ବାତ୍ୟାରେ ୧.୯୩ ଲକ୍ଷ ହେକ୍ଟର ଜମିରେ ଚାଷ ବରବାଦ୍
ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ବାତ୍ୟା ‘ଦାନା’ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି, ବର୍ଷା କମିବା ପରେ ଅଫିସରମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଜିଓ ଟ୍ୟାଗିଂ ରିପୋର୍ଟ ପଠାଇବେ। ସେହି ରିପୋର୍ଟକୁ ଆଧାର କରି ଆବଶ୍ୟକ ନିଷ୍ପତ୍ତି ନିଆଯିବ।
ଚାଷୀମାନଙ୍କ ଯାହା ଅଧିକାର ତାହା ସେମାନେ ନିଶ୍ଚିତ ପାଇବେ।
ଚାଷୀଙ୍କର ଯାହା ଅଧିକାର ନିଶ୍ଚିତ ପାଇବେ: କୃଷି ମନ୍ତ୍ରୀ
ବୈଠକରୁ ଜଣାପଡ଼ିଛି ଯେ ବାତ୍ୟାରେ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି। ପ୍ରାଥମିକ ଭାବେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜର ଚାଷ ଜମି ଜଳମଗ୍ନ ହେବା ସହ ଫସଲହାନି ଆଶଙ୍କା କରାଯାଇଛି। ଏହି ୫ଟି ଜିଲ୍ଲାରେ ମୋଟ୍ ୧,୯୩,୦୧୧ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ୮୮,୫୯୪ ହେକ୍ଟର ଜମି ଜଳମଗ୍ନ ହୋଇଥିବାବେଳେ ୨୪,୮୨୭ ହେକ୍ଟର ଚାଷ ଜମିରେ ଫସଲହାନି ଆକଳନ କରାଯାଇଛି। ସେହିପରି କେନ୍ଦ୍ରାପଡ଼ାର ୮ଟି ବ୍ଲକରେ ପ୍ରାୟ ୨୮୪୨୬ ହେକ୍ଟର ଜମି ପ୍ରଭାବିତ ହୋଇଛି। ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକର ୪୩୯୬ ହେକ୍ଟର ଜମି ଜଳମଗ୍ନ ଥିବାବେଳେ ୩୧୪୦ ହେକ୍ଟର ଜମି ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର ୭ଟି ବ୍ଲକର ୧୭୬୬୬ ହେକ୍ଟର ଜମି ଜଳମଗ୍ନ ଥିବାବେଳେ ୨୧୭୦୯ ହେକ୍ଟର ଜମି ପ୍ରଭାବିତ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ୧୬ଟି ବ୍ଲକରୁ ୧୮୭୨ ହେକ୍ଟର ଜମି ଜଳମଗ୍ନ ହୋଇଥିବାବେଳେ ୨୩୮୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯାହାଙ୍କ ପାଖରେ ୨ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୩୩%ରୁ ଅଧିକ ଫସଲ ହାନି କ୍ଷେତ୍ରରେ ସରକାରଙ୍କ ଧାର୍ଯ୍ୟ ସହାୟତା ମୂଲ୍ୟ ରେନଫେଡ ଏରିଆରେ ହେକ୍ଟର ପିଛା ୮୫୦୦ଟଙ୍କା, ନିଶ୍ଚିତ ଜଳସେଚନ ଅଞ୍ଚଳରେ ହେକ୍ଟର ପିଛା ୧୭ହଜାର ଟଙ୍କା, ପେରେନିଆଲ କ୍ରପ୍ସ ପାଇଁ ହେକ୍ଟର ପିଛା ୨୨,୫୦୦ଟଙ୍କା ରହିଛି। ସମସ୍ତ ତଥ୍ୟ ମିଳିବା ପରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।