ରାଜ୍ୟ

ଶିଳ୍ପାଙ୍କ ସହ ଫଟୋ ପାଇଁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ଵର: ଲିଙ୍ଗରାଜ ମନ୍ଦିରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ଫଟୋ ଉଠାଇଥିବା ପ୍ରସଙ୍ଗରେ ସେବାୟତଙ୍କୁ ନୋଟିସ୍ । ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିରର ସୁପର ଭାଇଜର୍ ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ସୋ କଜ୍ ନୋଟିସ୍ ହୋଇଥିବା କହିଛନ୍ତି ଏଡିଏମ୍ ରୁଦ୍ରନାରାୟଣ ମହାନ୍ତି।

୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ରହିଛି। କେଉଁ ପରିସ୍ଥିତିରେ ଓ କିଭଳି ଭାବେ ନିୟମ ଉଲଂଘନ କରି ସମ୍ପୃକ୍ତ ସେବାୟତ ଅଭିନେତ୍ରୀଙ୍କ ସହ ଫଟୋ ଉଠାଇଲେ ତାର ତଦନ୍ତ ମଧ୍ୟ ହେବ। ବାରମ୍ବାର ଏଭଳି ଘଟଣା ଘଟୁଛି , ଆଗକୁ ଏଭଳି ଘଟଣାର କିଭଳି ପୁନରାବୃତ୍ତି ନ ହେବ, ସେଥିପାଇଁ ନିୟମକୁ କଡାକଡି କରାଯିବ ବୋଲି ଏଡିଏମ୍ କହିଛନ୍ତି। ସେପଟେ ଏହି ଘଟଣାକୁ ନେଇ ବିଧାୟକ ବାବୁ ସିଂ କହିଛନ୍ତି ଏହା ଏକ ଗୁରୁତର ତ୍ରୁଟି।

ଏଭଳି ଭୁଲ ବାରମ୍ବାର ହେଉଛି। ଖୋଦ୍ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କ୍ୟାମେରା ଟିମ୍ କୁ ବାହାରେ ରଖାଗଲା। ଲିଙ୍ଗରାଜ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରରେ କେଉଁ ପର୍ଯ୍ୟନ୍ତ କ୍ୟାମେରା ଯିବାକୁ ଅନୁମତି ରହିଛି , ସେ ନେଇ ସ୍ଵତନ୍ତ୍ର ନିୟମ ରହିଛି। ଯେଉଁମାନେ ନିୟମ ଉଲଂଘନ କରିଛନ୍ତି , ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖାଯିବ ବୋଲି ବାବୁ ସିଂ କହିଛନ୍ତି । ଭୁବନେଶ୍ଵର ଗସ୍ତରେ ଆସିଥିବାବେଳେ ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ମନ୍ଦିର ଭିତରେ ଉଠାଇଥିବା ଫଟୋ ଭାଇରାଲ ହେବା ପରେ କିଭଳି କ୍ୟାମେରା ମନ୍ଦିର ଭିତରକୁ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button