IBN ଓଡ଼ିଶା ବ୍ୟୁରୋ

ଫେରିଆସିଲା ୯୮% ଦୁଇ ହଜାର ଟଙ୍କିଆ: ୬୯୭୦ କୋଟି ଟଙ୍କାର ନୋଟ୍‌ ଫେରିନି

ମୁମ୍ବାଇ: ବଜାରରେ ଥିବା ୯୮.୦୪ ପ୍ରତିଶତ ଦୁଇ ହଜାର ଟଙ୍କିଆ ଫେରିଆସିଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି। ୨୦୧୬ ନଭେମ୍ବରରେ ଘୋଷଣା କରାଯାଇଥିବା ବିମୁଦ୍ରୀକରଣ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ୨୦୦୦ ଟଙ୍କିଆ ପ୍ରଚଳନ କରାଯାଇଥିଲା। ୨୦୨୩ ମେ’ ୧୯ରେ ତାହାକୁ ପ୍ରତ୍ୟାହାର କରିବା ନେଇ ଘୋଷଣା ହୋଇଥିଲା।

ଲୋକମାନଙ୍କୁ ସେହି ଟଙ୍କା ଫେରାଇବା ଲାଗି ଆହ୍ବାନ ଦିଆଯାଇଥିଲା। ନୋଟ୍ ପ୍ରତ୍ୟାହାର ଘୋଷଣା ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଥିଲା। ଚଳିତ ବର୍ଷ ଅକ୍ଟୋବର ୩୧ ସୁଦ୍ଧା ସେଥିରୁ ୯୮.୦୪ ପ୍ରତିଶତ ନୋଟ୍ ଫେରିଆସିଛି। ଏବେ ବଜାରରେ ଆଉ ୬୯୭୦ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ରହିଛି।

ପ୍ରାରମ୍ଭିକ ସମୟରେ ୨୦୦୦ ଟଙ୍କିଆ ଫେରାଇବା ଲାଗି ଲୋକମାନଙ୍କୁ ୨୦୨୩ ଅକ୍ଟୋବର ୭ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତା’ ପରଠାରୁ ଦେଶରେ ଥିବା ରିଜର୍ଭ ବ୍ୟାଙ୍କର ୧୯ଟି ଇସ୍ୟୁ କାର୍ଯ୍ୟାଳୟରେ ନୋଟ୍ ଫେରସ୍ତ ଓ ବଦଳ କରିବା ବ୍ୟବସ୍ଥା ରହିଛି। ବ୍ୟକ୍ତିବିଶେଷ ଓ ସଂସ୍ଥା ଦାଖଲ କରୁଥିବା ୨୦୦୦ ଟଙ୍କିଆଗୁଡ଼ିକୁ ଏହି କାର୍ଯ୍ୟାଳୟଗୁଡ଼ିକରେ ଗ୍ରହଣ କରାଯାଉଛି। ଲୋକମାନଙ୍କ ପାଇଁ ଡାକ ଜରିଆରେ ୨୦୦୦ ଟଙ୍କିଆ ରିଜର୍ଭ ବ୍ୟାଙ୍କ ପାଖକୁ ପଠାଇବାର ବ୍ୟବସ୍ଥା ମଧ୍ୟ ରହିଛି। ଦେଶରେ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟଗୁଡ଼ିକ ଭୁବନେଶ୍ବର ସମେତ ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଓ ଥିରୁବନନ୍ତପୂରମରେ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button