ରାଜ୍ୟ

ଭିମ୍‌ସାରରେ ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ

ବୁର୍ଲା: ଜଣେ ଆସନ୍ନ ପ୍ରସବାଙ୍କୁ ଭିମ୍ସାରକୁ ଆଣିଥିବା ଆଶାକର୍ମୀଙ୍କୁ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଶାକର୍ମୀମାନେ ଡାକ୍ତରଖାନା ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ସଂପୃକ୍ତ ଡାକ୍ତର ଆସି କ୍ଷମା ମାଗିବା ପରେ ସମାଧାନ ହୋଇଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ, ରେଢ଼ାଖୋଲ ବ୍ଲକ୍ ଲୁହାପଙ୍କ ପଞ୍ଚାୟତ ଖରସାଢ଼ି ଗ୍ରାମର ଜଣେ ଗର୍ଭବତୀଙ୍କୁ ଆଶାକର୍ମୀ ବନିତା ମୁଣ୍ଡା ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲେ।

ରବିବାର ପୂର୍ବାହ୍ନ ୧୦ଟାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଥିତି ଜଟିଳ ଥିବାରୁ ରାତି ୯ଟାରେ ତାଙ୍କୁ ବୁର୍ଲା ଭିମ୍ସାରକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ସକାଳେ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ଲେବର ରୁମକୁ ନିଆଯାଇଥିଲା। ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ସେ ପାଣି ମାଗିଥିଲେ। ତେବେ ଅସ୍ତ୍ରୋପଚାର ପୂର୍ବରୁ ପାଣି ପିଇବା ନିଷେଧ ଥିବାବେଳେ ନର୍ମାଲ ଡେଲିଭରି ହେଉଥିବାରୁ ଆଶାକର୍ମୀ ଜଣକ ଅଳ୍ପ ଟିକେ ପାଣି ଦେଇଥିଲେ।

ଏହା ଦେଖି ସେଠାରେ ଥିବା ଜଣେ ଡାକ୍ତର ତାଙ୍କ ପିଠିରେ ଜୋରରେ ଚାପୁଡ଼ା ମାରିଥିବା ଆଶାକର୍ମୀ ବନିତା ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କୁ ଗାଳିଗୁଲଜ କରି ସେଠାରୁ ତଡ଼ି ଦେଇଥିବା କହିଛନ୍ତି। ମାଡ଼ ଖାଇବା ପରେ ବନିତା ଜିଲ୍ଲା ଆଶାକର୍ମୀ ସଂଘର କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ଆଶାକର୍ମୀ ସଂଘର ଜିଲ୍ଲା ସଂଯୋଜିକା ପଦ୍ମିନୀ ସାହୁ, ସହ ସଂଯୋଜିକା କୈଳାସିକା ବାଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଲକ୍ଷ୍ମୀ ମହାରଣା, ବୁର୍ଲା ନଗର ସଂଯୋଜିକା ଉପାସୀ ମେହେର, ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଆଶୁତୋଷ ବିଶି, ଉପଦେଷ୍ଟା ବୈଶାଖୁ କଲେତ, ସହଯୋଗୀ ପ୍ରଭାସ ପୃଷେଠଙ୍କ ସହ ଅନେକ ଆଶାକର୍ମୀ ଡାକ୍ତରଖାନା ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଭୁଲ ବୁଝାମଣା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା। ସଂପୃକ୍ତ ଡାକ୍ତର, ବିଭାଗୀୟ ମୁଖ୍ୟ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆପୋସ ଆଲୋଚନା ପରେ ସସମାଧାନ ହୋଇଥିବା ଡାକ୍ତରଖାନା ଅଧୀକ୍ଷକ ଡା.ଲାଲମୋହନ ନାୟକ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button