ଦଳିତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ଏବେ ବି ଜଣେ ଅଭିଯୁକ୍ତ ଫେରାର୍
କଟକ, ୧୦।୧୧: ଦଳିତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଏବେ ବି ଜଣେ ଅଭିଯୁକ୍ତ ଫେରାର୍ । ଫେରାର୍ ଅଭିଯୁକ୍ତ ନାଁ ଏତଲାରେ ରହିଥିବା ସୂଚନା । ପୁଲିସ ଅଭିଯୁକ୍ତ ଜଣକୁ ଏଯାବତ୍ ଗିରଫ କରିବାରେ ସଫଳ ହୋଇନାହିଁ । ରବିବାର ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୀଡ଼ିତାଙ୍କ ବାପା । ଏହି ଘଟଣାରେ ଡିସିପି ଜଗମୋହନ ମୀନା ସୂଚନା ଦେଇଥିଲେ ଯେ, ଘଟଣାରେ ଜଡ଼ିତ ଥିବା ସମସ୍ତ ୬ ଅଭିଯୁକ୍ତ ଧରାପଡ଼ିଛନ୍ତି ।
୫ ଜଣ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଜଣେ ନାବାଳକ ବାଳସୁଧାର ଗୃହକୁ ପଠାଯାଇଛି ।
ଅଭିଯୋଗ ପରେ ଦୁଇ ଦିନରେ ୩ ଜଣ କରି ମୋଟ୍ ୬ ଅଭିଯୁକ୍ତ ଧରାପଡ଼ିଥିବା ଡିସିପି ସୂଚନା ଦେଇଥିଲେ । କିନ୍ତୁ, ରବିବାର ପୀଡ଼ିତାଙ୍କ ବାପା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇ ସୂଚନା ଦେଇଛନ୍ତି । ଏତଲାରେ ୭ ଜଣଙ୍କ ନାଁ ରହିଥିବା ବେଳେ ୬ ଜଣ ଧରାପଡ଼ିଛନ୍ତି ଓ ଜଣେ ଫେରାର୍ ଥିବା ସୂଚନା । ଫେରାର୍ ଅଭିଯୁକ୍ତ ଜଣକ ନୟାଗଡ଼ ଅଞ୍ଚଳରେ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି । ଏନେଇ ବାଦାମବାଡ଼ି ଥାନା ପୁଲିସ କିମ୍ବା ବରିଷ୍ଠ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କହିରଖୁ କି, ଦଳିତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ଅମାନବୀୟ ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ମହଲରୁ ଦାବି ହେଉଛି ।