ରାଜ୍ୟ

ଚାପରେ ପ୍ରଶାସନ: ବଦଳି ପାଇଁ ଆସୁଛି ମାଳମାଳ ସୁପାରିସ‌

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ରାଜ୍ୟ ପ୍ରଶାସନ ପୂରା ଚାପରେ ଅଛି। ବ୍ଲକ୍ ଅଫିସ୍ରୁ ଆରମ୍ଭ କରି ପ୍ରଶାସନିକ ବିଭାଗ ପର୍ଯ୍ୟନ୍ତ ବଦଳି ପାଇଁ ମାଳମାଳ ସୁପାରିସ ପହଞ୍ଚୁଛି। କେବଳ ବିଧାୟକ କି ସାଂସଦ ଦେଉନାହାନ୍ତି, ଶାସକ ଦଳର ବରିଷ୍ଠ ନେତାମାନେ ମଧ୍ୟ ବଦଳି ପାଇଁ ଚିଠି ଲେଖୁଛନ୍ତି। ଏହା ଏବେ ସରକାର ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏହାର ମାତ୍ରା ଏତେ ବଢ଼ିଯାଇଛି ଯେ ଆଜି ମୁଖ୍ୟ ଶାସନ ସଚିବ ଏହି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କର୍ମଚାରୀମାନେ ନିଜ ପସନ୍ଦର ବଦଳି ପାଇଁ ବାହ୍ୟ ଚାପ ନପକାଇବାକୁ ଚେତାବନୀ ଦେଇଛନ୍ତି। ଏପରି କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଧମକ ବି ଦେଇଛନ୍ତି। ଏହି ଚିଠି କ୍ଷମତା କରିଡର୍ରେ ଆଲୋଡ଼ନ ସୃଷ୍ଟି କରିଛି।

ନୂଆ ସରକାର ଆସିଲା ପରେ ନିଜ ନିଜ ପସନ୍ଦର ଅଧିକାରୀଙ୍କୁ ନିଜ ଅଞ୍ଚଳକୁ ନେବା ପାଇଁ ଅଘୋଷିତ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏଥି ପାଇଁ ସାରା ରାଜ୍ୟରେ ସବୁ ବିଭାଗରେ ବ୍ୟାପକ ଅଦଳବଦଳ ଚାଲିଛି। ବିଧାୟକ ଓ ସାଂସଦଙ୍କ ସହ ଶାସକ ଦଳର କିଛି ବରିଷ୍ଠ ନେତା ବି ଏଥିରେ ସାମିଲ ହୋଇଛନ୍ତି। ଗୋଟିଏ ଗୋଟିଏ ଜାଗାକୁ ଏକାଧିକ ନେତା ନିଜ ନିଜ ପସନ୍ଦ ମୁତାବକ ଅଧିକାରୀଙ୍କ ନାମ ସୁପାରିସ କରୁଛନ୍ତି। ଫଳରେ ମନ୍ତ୍ରୀ ଓ ସଚିବ କାହା ସୁପାରିସ ପାଳନ କରିବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ଯେଉଁମାନେ ସୁପାରିସ କରୁଛନ୍ତି, ସେମାନେ ସେଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲବି ବି କରୁଛନ୍ତି।

କ୍ଷୋଭ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ
ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଯେଉଁଠି ବିଜେପିର ବିଧାୟକ ଜିତିଛନ୍ତି, ସେଠାରେ ଅଧିକାଂଶ ବଦଳି ତାଙ୍କ ପସନ୍ଦ ମୁତାବକ ହୋଇଯାଉଛି। କିନ୍ତୁ ଯେଉଁଠି ବିଜେପି ବିଧାୟକ ନାହାନ୍ତି, ସେଠି ବିଜେପି ନେତାଙ୍କ ଭିତରେ ବଳ କଷାକଷି ଚାଲିଛି। ପରାଜିତ ପ୍ରାର୍ଥୀ ନିଜ ପସନ୍ଦର ଅଧିକାରୀଙ୍କୁ ସେହି ଅଞ୍ଚଳକୁ ନେବାକୁ ଚାହୁଁଥିଲା ବେଳେ ସେଠାରେ ଥିବା ଦଳର ଆଉ କିଛି ଛାମୁଆ ନେତା ଅନ୍ୟ ଅଧିକାରୀଙ୍କୁ ନେବାକୁ ଲବି କରୁଛନ୍ତି। ଦଳର ବରିଷ୍ଠ ନେତାଙ୍କୁ ନିଜ ନିଜ ବାଟରେ ଧରି ପସନ୍ଦର ବିଡିଓ, ତହସିଲଦାରଙ୍କୁ ନେବା ପାଇଁ ଛକାପଞ୍ଝା ଚାଲିଛି। ପୁଣି ଜିତିଥିବା ବିରୋଧୀ ଦଳର ବିଧାୟକ ମଧ୍ୟ ଚାପ ପକାଉଛନ୍ତି। ଫଳରେ ସେଠାରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ପୂରା ପ୍ରଶାସନ ଅକଳରେ ପଡ଼ିଯାଇଛି।

ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଆଜି ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, କିଛି ସରକାରୀ କର୍ମଚାରୀ ସେମାନଙ୍କର ବଦଳି ଓ ନିଯୁକ୍ତି ପାଇଁ ବାହାରୁ ଚାପ ପକାଉଛନ୍ତି। ଏହା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ(କଣ୍ଟକ୍ଟ ରୁଲ୍ସ) ଉଲ୍ଲଂଘନ କରୁଛି। ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ଓ ବ୍ୟବହାରରେ ଉଚ୍ଚମାନ ଓ ସ୍ବଚ୍ଛତାକୁ ବଜାୟ ରଖିବା ଉଚିତ। କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରାଶାସନିକ ପ୍ରକ୍ରିୟାରେ ପ୍ରଚଳିତ ନୀତି ନିୟମ ଅନୁଯାୟୀ ହୁଏ। ଏହି ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବା ନିଶ୍ଚିତ ଭାବେ ବୃତ୍ତିଗତ ଅନୁଚିତ ବ୍ୟବହାର ଭାବେ ଗଣନା କରାଯିବ। ଏହା ଦ୍ବାରା ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ତେଣୁ ସବୁ କର୍ମଚାରୀମାନେ ନିଜ ପସନ୍ଦର ବଦଳି ଓ ନିଯୁକ୍ତି ପାଇଁ ବାହ୍ୟ ଚାପ ସୃଷ୍ଟି କରିବାକୁ ବିରତ ରହିବାକୁ ମୁଖ୍ୟ ଶାସନ ସଚିବ ଚେତାଇ ଦେଇଛନ୍ତି। ସବୁ ବିଭାଗର ସଚିବ ଓ ଜିଲ୍ଲାପାଳମାନେ ଏ ଦିଗରେ ଯତ୍ନବାନ ହେବାକୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button