IBN ଓଡ଼ିଶା ବ୍ୟୁରୋ

ଶୀତ ଋତୁର ମଜା ନେଉଛନ୍ତି ପର୍ଯ୍ୟଟକ, ଭୋଜି ଭାତର ଆସର ଜମାଇ ନେଉଛନ୍ତି ମଜା

ଆସିଲାଣି ଶୀତ ଦିନ । ଶୀତ ଦିନେ ସମସ୍ତେ ପିକନିକ୍ ଯିବାକୁ ଭାରି ଭଲ ପାଆନ୍ତି । ପିକନିକ୍ ସ୍ପଟ୍ ଭାବେ ଅନେକ ସ୍ଥାନ ଓଡ଼ିଶାରେ ରହିଛି । କିନ୍ତୁ କୋରାପୁଟରେ ଥିବା ଏକ ସ୍ଥାନର ସ୍ବତନ୍ତ୍ରତା ଖାସ୍ ରହିଛି ।

ଓଡ଼ିଶାର କାଶ୍ମୀର କୁହା ଯାଉଥିବା କୋରାପୁଟକୁ ଏବେ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିଛି । ଅନ୍ୟ ରାଜ୍ୟ ତଥା ଜିଲ୍ଲା ମାନଙ୍କରୁ ପର୍ଯ୍ୟଟକମାନେ ଆସି ଏହି ପର୍ଯ୍ୟଟନ ସ୍ଥଳୀ ଓ ଶୀତ ଋତୁର ମଜା ନେଉଛନ୍ତି ।

କୋରାପୁଟ ଜିଲ୍ଲାରେ ଅନେକ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀ ଅଛି । ସେଥି ମଧ୍ୟରୁ ନନ୍ଦପୁର ସଦର ମହକୁମାରୁ ତିନି କିଲୋମିଟର ଗଲେ ଏକ ସୁନ୍ଦର ଜଳ ପ୍ରପାତ ପଡ଼େ ଯାହାର ନା ହେଉଛି ରାଣୀ ଡୁଡୁମା । ଏହି ଜଳ ପ୍ରପାତରେ ୪୦ ରୁ ୫୦ ଫୁଟ ଉଚ୍ଚତାରୁ ପାଣି କୁଳୁ କୁଳୁ ଶବ୍ଦ କରି ତଳକୁ ଖସୁ ଥାଏ । ପାଣିର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଆନମନା କରେ । ଏହି ପାଣି ତଳେ କିଏ ଗାଧେଇବାର ମଜା ନେଉଥିବା ବେଳେ କିଏ ଏହି ଦୃଶ୍ୟକୁ ନିଜ କ୍ୟାମେରା ରେକର୍ଡ କରେ । କିଛି ଲୋକ ସେଲଫି ନେବାରେ ବ୍ୟସ୍ତ ଥାଆନ୍ତି । ବଣ ଭୋଜି ପାଇଁ ଏହି ସ୍ଥାନ ଉଦ୍ଦିଷ୍ଟ ଥିବାବେଳେ ପର୍ଯ୍ୟଟକମାନେ ନିଜ ପରିବାର ସହ ଆସି ଭୋଜି ଭାତର ଆସର ଜମାଇ ମଜା ନେଉଛନ୍ତି ।

ଜଳ ପ୍ରପାତକୁ ଲାଗି ରାଜା ବିକ୍ରମ ଦେବଙ୍କ ଶାସନ କାଳରୁ ପ୍ରତିଷ୍ଠା ହୋଇ ଆସିଥିବା ମା ବନ ଦୁର୍ଗାଙ୍କ ମୂର୍ତ୍ତି । ମା’ଙ୍କ ମନ୍ଦିରକୁ ଲାଗି ଶିଶୁ ଉଦ୍ୟାନ ମଧ୍ୟ ରହିଛି । ଏବଂ ଜଳ ପ୍ରପାତକୁ ଯିବା ବାଟରେ ପଡ଼େ ଏକ ବିରାଟ ଗରିଲାର ପ୍ରତିମୂର୍ତ୍ତି ଏହା ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରେ । ଏହି ଜଳ ପ୍ରପାତ ଗୋଟିଏ କିଲୋମିଟର ପରିଧି ଭିତରେ ରହିଛି । ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯାଇଛି । ଏହି ଜଳ ପ୍ରପାତକୁ ଦେଖିବା ପାଇଁ ବର୍ଷକ ବାର ମାସ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଏଠାରେ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଭଳି ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକମାନେ ଆସନ୍ତି । ଏହା ସହିତ ଶୀତ ଋତୁରେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସି ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button