ଚନ୍ଦ୍ରାବତରଣ: ଇତିହାସ ରଚିଲା ଭାରତର ‘ବିକ୍ରମ’, ଦକ୍ଷିଣ ମେରୁରେ ବିଶ୍ବରେ ପ୍ରଥମ – Ibnodisha
[ad_1]
ନୂଆଦିଲ୍ଲୀ: ମହାକାଶ ଇତିହାସରେ ଭାରତ ଆଜି ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ନରମ ଅବତରଣ କରି ଅକଳ୍ପନୀୟ ଗୌରବ ଆଣିଛି। ସମଗ୍ର ବିଶ୍ବ ଭାରତର ଏହି ସଫଳତାକୁ ସ୍ବାଗତ କରିଛି ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ଶିଖର ଛୁଇଁଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍ରେ ବିକ୍ରମ ଲ୍ୟାଣ୍ଡର ରୋଭର୍ ସହିତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ସହ ଦକ୍ଷିଣ ମେରୁରେ ସଫଳ ଅବତରଣ କରିବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ପାଲଟିଛି। ଅବତରଣ ପରେ ଅନ୍ଧକାରାଛନ୍ନ ଦକ୍ଷିଣ ମେରୁ ଚନ୍ଦ୍ରଯାନର ଆଲୋକରେ ଆଲୋକିତ ହୋଇଉଠିଛି। ଏହାସହିତ ଭାରତ ଆଜି ଚନ୍ଦ୍ରରେ ନିଜ ଯାନ ଅବତରଣ କରାଇବାରେ ବିଶ୍ବର ଚତୁର୍ଥ ରାଷ୍ଟ୍ର ମାନ୍ୟତା ହାସଲ କରିଛି। ଏହା ପୂର୍ବରୁ ସୋଭିଏତ ୟୁନିଅନ୍ (ରୁଷ୍), ଆମେରିକା ଏବଂ ଚୀନ୍ ଚନ୍ଦ୍ରରେ ମହକାଶ ଯାନ ଅବତରଣ କରିବାରେ ସଫଳ ହୋଇଛନ୍ତି।
ଚନ୍ଦ୍ରରେ ଚନ୍ଦ୍ରଯାନର ସୂକ୍ଷ୍ମ ଅବତରଣ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଥିଲା। ନିକଟରେ ରୁଷ୍ର ମହକାଶଯାନ ଲୁନା-୨୫ ଏଥିରେ ବିଫଳ ହୋଇ ଦୁର୍ଘଟଣାର ଶିକାର ହୋଇଥିବାରୁ ଆଜିର ଅବତରଣ ପ୍ରକ୍ରିୟା ଆହ୍ବାନପୂର୍ଣ୍ଣ ଥିଲା। ତେବେ ଚନ୍ଦ୍ରଯାନର ସଫଳ ଅବତରଣ ପରେ ଇସ୍ରୋର କମାଣ୍ଡ୍ ସେଣ୍ଟର ତାଳିମାଡ଼ରେ କମ୍ପି ଉଠିଥିଲା। ସମଗ୍ର ଦେଶରେ ଖୁସିର ଲହରି ଖେଳିଯାଇଥିଲା। ଅବତରଣ ପୂର୍ବରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ୧୭ ମିନିଟ୍ ସମସ୍ତଙ୍କ ହୃଦ୍ସ୍ପନ୍ଦନ ବଢ଼ାଇ ଦେଇଥିଲା । ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଥିଲା ଏବଂ ଚନ୍ଦ୍ରରେ ସଫଳ ଅବତରଣ ସହ ଭାରତ ନୂଆ ଇତିହାସ ରଚିବାକୁ ସକ୍ଷମ ହେଲା।
ସନ୍ଧ୍ୟା ଠିକ୍ ୬ଟା ୪ ମିନିଟ୍ରେ ସଫଳ ଅବତରଣ ପରେ ଇସ୍ରୋ ଦେଶବାସୀଙ୍କୁ ମିସନ ସଫଳତାର ଅଭିନନ୍ଦନ ଜଣାଇଥିଲା। ଇସ୍ରୋ ପକ୍ଷରୁ ଏକ୍ସ(ଟ୍ବିଟ୍ର)ରେ କୁହାଯାଇଥିଲା ‘ଚନ୍ଦ୍ରଯାନ-୩ ମିସନ: ଭାରତ, ମୁଁ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି ଏବଂ ଆପଣ ମଧ୍ୟ! ଅଭିନନ୍ଦନ ଭାରତ!’। ଏହି ଐତିହାସିକ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ସନ୍ଧ୍ୟା ୫ଟା ୨୦ରୁ ଆରମ୍ଭ ହୋଇଥିଲା ଏବଂ ଚନ୍ଦ୍ରରେ ଅବତରଣ ସହିତ ଏହାର ପ୍ରରିସମାପ୍ତି ହୋଇଥିଲା। ଅବତରଣର ପ୍ରତ୍ୟେକଟି ସଫଳ ପର୍ଯ୍ୟାୟ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରିଦେଉଥିଲା ଏବଂ ଚନ୍ଦ୍ରଯାନ ଚନ୍ଦ୍ରରେ ପାଦ ଥାପିବା ପରେ କମାଣ୍ଡ୍ ସେଣ୍ଟରରେ ଉତ୍ସବ ଆରମ୍ଭ ହୋଇଯାଇଥିଲା।
ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ସିଧାପ୍ରସାରଣରେ ଯୋଡ଼ି ହୋଇଥିଲେ ଏବଂ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହା ନୂଆ ଭାରତର ନୂଆ ଉଡ଼ାଣ। ଚନ୍ଦ୍ରରେ ସଫଳ ଅବତରଣ ସହ ଭାରତ ନୂଆ ଇତିହାସ ଲେଖିଛି ଏବଂ ଏହା ବିକଶିତ ଭାରତର ଶଙ୍ଖନାଦ। ମିସନର ସଫଳତା ସଂପର୍କରେ ସୂଚନା ଦେଇ ପ୍ରକଳ୍ପ ନିର୍ଦ୍ଦେଶ ପି ବୀରାମୁଥୁଭେଲ କହିଛନ୍ତି ଯେ ଲ୍ୟାଣ୍ଡର ଅବତରଣର ସବୁ ପର୍ଯ୍ୟାୟକୁ ସଫଳତାର ସହ ସଂପାଦନ କରିଛି। ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ମିସନର ସଫଳତା ପାଇଁ ୧୪୦ କୋଟି ଭାରତୀୟଙ୍କ ସଦିଚ୍ଛା, ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ୬୦୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଚନ୍ଦ୍ରଯାନ-୩ ମିସନ ସବୁ ପର୍ଯ୍ୟାୟରେ ତା’ର ଶ୍ରେଷ୍ଠତା ପ୍ରତିପାଦିତ କରିଛି। ଜୁଲାଇ ୧୪ରେ ଇସ୍ରୋର ଏଲ୍ଭିଏମ୍୩ ଏମ୍୪ ରକେଟ୍ ଚନ୍ଦ୍ରଯାନ-୩କୁ ଏହାର ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରିଥିଲା। ଜୁଲାଇ ୨୨ରେ ମହାକାଶଯାନକୁ ୭୧,୩୫୧ କିମି x ୨୩୩ କିମି କକ୍ଷପଥରେ ସଫଳତାର ସହ ସ୍ଥାନିତ କରାଯାଇଥିଲା। ଅଗଷ୍ଟ ୧ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ ହାସଲ ସ୍ବରୂପ, ଚନ୍ଦ୍ରଯାନ-୩ ଏକ ୨୮୮ କିମି x ୩,୬୯,୩୨୮ କିମି ଟ୍ରାନ୍ସଲୁନାର୍ କକ୍ଷପଥରେ ପ୍ରବେଶ କଲା। ଅଗଷ୍ଟ ୧୭ ତାରିଖରେ ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞା ରୋଭରକୁ ନେଇ ଲ୍ୟାଣ୍ଡିଂ ମଡ୍ୟୁଲ୍ ପ୍ରପଲ୍ସନ ସିଷ୍ଟମ୍ରୁ ଅଲଗା ହୋଇଥିଲା। ଗତ ୨୦ ତାରିଖ ଦିନ ଚନ୍ଦ୍ରଯାନ-୩ର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ କରାଯାଇ ଏହାର ଏଲ୍ଏମ୍ କକ୍ଷପଥକୁ ୨୫ କିମି x ୧୩୪ କିମିକୁ ହ୍ରାସ କରାଯାଇଥିଲା ଏବଂ ସବୁକିଛି ଠିକ୍ଠାକ୍ ରହିବାରୁ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ମେରୁରେ ଆଜି ନିର୍ଦ୍ଦିଷ୍ଟ ସ୍ଥାନରେ ନରମ ଅବତରଣରେ ସକ୍ଷମ ହେଲା।
ଦକ୍ଷିଣମେରୁ କାହିଁକି
ଚନ୍ଦ୍ରରେ ଅବତରଣ ଉଦ୍ୟମ ପୂର୍ବରୁ ଅନେକ ଥର ବିଫଳ ହୋଇଛି। ତେବେ ବିଭିନ୍ନ ବିଫଳତାରୁ ଭାରତ ଶିକ୍ଷାଲାଭ କରି ବିସ୍ମୟକର ସଫଳତା ହାସଲ କରିଛି। ରୁଷିଆର ଲୁନା-୨୫ ମହାକାଶଯାନ ଚଳିତ ସପ୍ତାହରେ ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା, କିନ୍ତୁ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚନ୍ଦ୍ରର ବିଷୁବ ଅଞ୍ଚଳଠାରୁ ବହୁ ଦୂରରେ ଥିବା ଦକ୍ଷିଣ ମେରୁଟି ଖାଲଖମାରେ ପରିପୂର୍ଣ୍ଣ। ଆପୋଲୋ ସମେତ ଅନେକ ପୂର୍ବ ଅଭିଯାନ ଏଠାରେ ଅବତରଣ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।
ଇସ୍ରୋର ଚନ୍ଦ୍ରଯାନ-୩ ବୁଧବାର ଅବତରଣ କରିବାରେ ସଫଳ ହେବା ସହ ଚନ୍ଦ୍ରକୁ ନେଇ ଚାଲିଥିବା ଗବେଷଣା ଏବେ ବ୍ୟାପକ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ପୂର୍ବରୁ ୨୦୧୯ରେ ଚନ୍ଦ୍ରଯାନ-୨ ଉକ୍ତ ଅଞ୍ଚଳ ନିକଟରେ ସୁରକ୍ଷିତ ଭାବେ ଅବତରଣ କରିବାରେ ବିଫଳ ହୋଇଥିଲା। ଆଜି ଭାରତର ଐତିହାସିକ ସଫଳତା ପରେ ନାସା କହିଛି ଯେ ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ ପାଇଁ ଏବେ ଏହାର ଯୋଜନାକୁ ଅଧିକ ବଳ ମିଳିଛି। ଆମେରିକା ଓ ଚୀନ୍ ଦକ୍ଷିଣ ମେରୁ ମିସନ ପାଇଁ ଯୋଜନା କରିଛନ୍ତି। ଆଗକୁ ରୁଷ୍ ମଧ୍ୟରେ ଚୀନ୍ ସହିତ ହାତ ମିଳାଇ ଦକ୍ଷିଣ ମେରୁରେ ଅବତରଣ ପାଇଁ ପ୍ରୟାସ କରିବ ବୋଲି ଜଣାପଡ଼ିଛି। ୧୯୬୦ ଦଶକରେ ପ୍ରଥମ ଆପୋଲୋ ଅବତରଣ ପୂର୍ବରୁ ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ ଚନ୍ଦ୍ରରେ ଜଳ ଥାଇପାରେ। କିନ୍ତୁ ଆପୋଲୋ କର୍ମଚାରୀମାନେ ୧୯୬୦ ଦଶକର ଶେଷ ଭାଗ ଏବଂ ୧୯୭୦ ଦଶକର ପ୍ରାରମ୍ଭରେ ଚନ୍ଦ୍ରରୁ ଯେଉଁ ନମୁନା ବିଶ୍ଳେଷଣ ପାଇଁ ନେଇ ଫେରିଥିଲେ, ତାହା ଶୁଷ୍କ ଥିଲା। ୨୦୦୮ ମସିହାରେ ବ୍ରାଉନ୍ ୟୁନିଭର୍ସିଟିର ଗବେଷକମାନେ ନୂତନ ଜ୍ଞାନକୌଶଳରେ ସେହି ଚନ୍ଦ୍ର ନମୁନାଗୁଡ଼ିକର ପୁନଃପରୀକ୍ଷା କରିଥିଲେ ଏବଂ ସେଥିରୁ ହାଇଡ୍ରୋଜେନ୍ ପାଇଥିଲେ। ୨୦୦୯ ମସିହାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଚନ୍ଦ୍ରଯାନ-୧ ପ୍ରୋବ୍ରେ ଥିବା ନାସାର ଏକ ଉପକରଣ ଦ୍ବାରା ଚନ୍ଦ୍ରପୃଷ୍ଠରେ ଜଳ ଥିବା ଜଣାପଡ଼ିଥିଲା। ସେହି ବର୍ଷ ଚନ୍ଦ୍ରର ଦକ୍ଷିଣମେରୁକୁ ଧକ୍କା ଦେଇଥିବା ନାସାର ଆଉ ଏକ ଯାନ ଚନ୍ଦ୍ରପୃଷ୍ଠ ତଳେ ବରଫ ଦେଖିବାକୁ ପାଇଥିଲା। ପୂର୍ବରୁ ନାସାର ଆଉ ଏକ ମିସନ ୧୯୯୮ ଲୁନାର ପ୍ରସ୍ପେକ୍ଟର ଦକ୍ଷିଣମେରୁର ଛାୟାଗ୍ରସ୍ତ କ୍ରେଟର (ଗର୍ତ୍ତ)ରେ ଜଳ-ବରଫର ସର୍ବାଧିକ ସାନ୍ଦ୍ରତା ଥିବା ପ୍ରମାଣ ପାଇଥିଲା।
ଚନ୍ଦ୍ରରେ ଜଳ କାହିଁକି ଗୁରୁତ୍ୱପୂର୍ଣ୍ଣ?
ବୈଜ୍ଞାନିକମାନେ ପ୍ରାଚୀନ ଜଳ-ବରଫର ଭଣ୍ଡାର ପ୍ରତି ଆଗ୍ରହୀ କାରଣ ସେଥିରୁ ଚନ୍ଦ୍ର ଆଗ୍ନେୟଗିରି, ଧୂମକେତୁ ଓ ଗ୍ରହାଣୁ ମାଧ୍ୟମରେ ପୃଥିବୀକୁ ଆସିଥିବା ପଦାର୍ଥ ଏବଂ ମହାସାଗରର ଉତ୍ପତ୍ତି ବିଷୟରେ ତଥ୍ୟ ମିଳିପାରିବ।
ଯଦି ଚନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଜଳ-ବରଫ ଥିବାର ଜଣାପଡ଼େ, ତେବେ ଏହା ଚନ୍ଦ୍ର ଅନୁସନ୍ଧାନ ପାଇଁ ଯାଉଥିବା ମହାକାଶଚାରୀଙ୍କ ନିମନ୍ତେ ପାନୀୟ ଜଳର ଉତ୍ସ ହୋଇପାରେ ଏବଂ ବିଭିନ୍ନ ଯନ୍ତ୍ରକୁ ଶୀତଳ କରିବାରେ ସାହାଯ୍ୟ କରିପାରେ।
ଏହାକୁ ଭାଙ୍ଗି ସେଥିରୁ ଉଦଜାନ ଓ ଅମ୍ଳଜାନ ବାହାର କରାଯାଇପାରିବ। ଉଦଜାନକୁ ଇନ୍ଧନ ପାଇଁ ଏବଂ ଅମ୍ଳଜାନକୁ ନିଃଶ୍ୱାସପ୍ରଶ୍ବାସ ନେବା ପାଇଁ ବ୍ୟବହାର କରାଯାଇପାରିବ। ଚନ୍ଦ୍ରରେ ଖନନ କିମ୍ବା ମଙ୍ଗଳ ଅଭିଯାନକୁ ମଧ୍ୟ ଏହା ସାହାଯ୍ୟ କରିପାରେ।
୧୯୬୭ ମସିହା ମିଳିତ ଜାତିସଂଘର ବାହ୍ୟ ମହାକାଶ ଚୁକ୍ତି ଅନୁସାରେ କୌଣସି ରାଷ୍ଟ୍ର ଚନ୍ଦ୍ର ଉପରେ ମାଲିକାନା ଦାବି କରିପାରିବେ ନାହିଁ। କିନ୍ତୁ ବାଣିଜ୍ୟିକ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ କୌଣସି ନିୟମ ନାହିଁ।
ଚନ୍ଦ୍ର ଅନୁସନ୍ଧାନ ଏବଂ ଏହାର ସମ୍ବଳର ବ୍ୟବହାର ପାଇଁ ଏକ ନୀତି ପ୍ରଣୟନ ଲାଗି ଆମେରିକା ନେତୃତ୍ବାଧୀନ ପ୍ରୟାସ ‘ଆର୍ଟେମିସ୍ ଆକର୍ଡ’ରେ ୨୭ଟି ଦେଶ ସ୍ବାକ୍ଷର କରିଛନ୍ତି। ଚୀନ୍ ଓ ରୁଷ୍ ଏଥିରେ ସ୍ୱାକ୍ଷର କରିନାହାନ୍ତି।
ଶେଷ ୨୦ ମିନିଟ୍
ବେଙ୍ଗାଲୁରୁ: ଚନ୍ଦ୍ରଯାନ ୩ର ଅବତରଣ ପ୍ରକ୍ରିୟାରେ ସବୁଠାରୁ ଜଟିଳ ସମୟ ଥିଲା ଶେଷ ୨୦ ମିନିଟ୍। ଅନ୍ତିମ ମୁହୂର୍ତ୍ତ ଥିଲା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଶେଷ ମୁହୂର୍ତ୍ତରେ ଚନ୍ଦ୍ର ବିଜୟକୁ ଇସ୍ରୋ ସୁନିଶ୍ଚିତ କଲା ଏବଂ ନୂଆ ଇତିହାସ ସୃଷ୍ଟି ହେଲା। ସନ୍ଧ୍ୟା ୫ଟା ୪୪ : ଲ୍ୟାଣ୍ଡର ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। ୫ଟା ୪୫ରେ ମହାକାଶଯାନକୁ ଚନ୍ଦ୍ରର କ୍ଷୀଣ ମାଧ୍ୟାକର୍ଷଣ ସହ ସନ୍ତୁଳନ ରକ୍ଷା କରି ଧୀରେ ଖସାଯାଇଥିଲା।
୫ଟା ୪୫: ଇସ୍ରୋ ଲଗାତାର ତଥ୍ୟ ପ୍ରଦାନ ଜାରି ରଖିଲା
୫ଟା ୫୫: ଲ୍ୟାଣ୍ଡର୍ର ବେଗ୍ ହ୍ରାସ ପ୍ରକ୍ରିୟା ଜାରି ରହିଲା
୫ଟା ୫୭: ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାରୁ ଲାଇଭ୍ ଯୋଡ଼ିହେଲେ
୬ଟା: ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରୁ ୧ କିମି ଦୂରରେ ପହଞ୍ଚିଲା
୬ଟା ୨: ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରୁ ୨୦୦ ମିଟର ଦୂରରେ ପହଞ୍ଚିଲା
୬ଟା ୩: ସଫଳ ଅବତରଣର ମୁହୂର୍ତ୍ତ, ଇସ୍ରୋରେ ଖୁସିର ଲହରି
୬ଟା ୪: ଚନ୍ଦ୍ରର ଦକ୍ଷିଣମେରୁରେ ଚନ୍ଦ୍ରଯାନ ୩ର ସଫଳ ଅବତରଣ ଘୋଷଣା
ସୂଚନାଯୋଗ୍ୟ, ବିକ୍ରମ ଲ୍ୟାଣ୍ଡର୍ ନିର୍ଦ୍ଧାରିତ ଅବତରଣ ସ୍ଥାନଠାରୁ ଯେତେବେଳେ ପ୍ରାୟ ୩୦ କିଲୋମିଟର ଉଚ୍ଚରେ ଥିଲା, ସେତେବେଳେ
ପ୍ରତି ସେକେଣ୍ଡରେ ୧.୬ କିମି ବେଗରେ ଭାସୁଥିଲା। ପରବର୍ତ୍ତୀ ୬୯୦ ସେକେଣ୍ଡରେ ଚନ୍ଦ୍ରଯାନ-୩ର ଇଞ୍ଜିନଗୁଡ଼ିକ ଚାଲୁ ହୋଇଯାଇଥିଲା ଏବଂ ଏହା ଧୀରେ ଧୀରେ ଚନ୍ଦ୍ର ପୃଷ୍ଠ ଆଡ଼କୁ ଖସିବାରେ ଲାଗିଲା। ଏହି ନିୟନ୍ତ୍ରିତ ମନ୍ଥରତା ଏହାର ପ୍ରାରମ୍ଭିକ ବେଗକୁ ଏକ ଚତୁର୍ଥାଂଶକୁ ହ୍ରାସ କରିବା ସହ ଚନ୍ଦ୍ରର ମାଧ୍ୟାକର୍ଷଣ ବିକ୍ରମ ଲ୍ୟାଣ୍ଡରକୁ ପ୍ରତି ସେକେଣ୍ଡରେ ପ୍ରାୟ ୬୦ ମିଟର ବେଗରେ ତଳକୁ ତଳକୁ ଟାଣିଲା। ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ, ଏହା ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୭.୫ କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ ଅବତରଣ କ୍ଷେତ୍ରଠାରୁ ୩୨ କିଲୋମିଟର ଦୂରରେ ଚକ୍କର କାଟିଥିଲା। ଅବତରଣ ସ୍ଥାନ ସୁରକ୍ଷିତ ଅଛି କି ନାହିଁ ତାହା ଯାଞ୍ଚ କରାଯିବା ସହ ଅବତରଣ ପ୍ରକ୍ରିୟା ଜାରି ରହିଲା। ଏହି ପର୍ଯ୍ୟାୟରେ ବିକ୍ରମ ଲ୍ୟାଣ୍ଡରର ସମସ୍ତ ସେନ୍ସର ସୂକ୍ଷ୍ମ ଭାବରେ ସମନ୍ବିତ ଥିଲା ଏବଂ ସଫଳ ଅବତରଣକୁ ସୁନିଶ୍ଚିତ କଲା। ଶେଷରେ, ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠକୁ ସ୍ପର୍ଶ କରି ମହକାଶ ଇତିହାସରେ ଭାରତର ସ୍ବର୍ଣ୍ଣିମ ଅଧ୍ୟାୟକୁ ଯୋଡ଼ିଲା।
[ad_2]