ଖେଳ

ଅଭ୍ୟାସ ମ୍ୟାଚ୍ ଜିତିଲା ଭାରତ: ରୋହିତ ଫ୍ଲପ୍, ଗିଲ୍ ହିଟ୍

କାନ୍‌ବେରା: ଆଡିଲେଡ୍‌ରେ ଖେଳାଯିବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍‌ ପୂର୍ବରୁ ସ୍ଥାନୀୟ ମାନୁକା ଓଭାଲ୍‌ରେ ଖେଳିଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ଭାରତ ୬ ୱିକେଟ୍‌ରେ ଜିତି ଆତ୍ମବିଶ୍ବାସ ବଢ଼ାଇଛି। ଏହି ଦୁଇ ଦିନିଆ ଓ ପ୍ରତ୍ୟେକ ଦଳରେ ୧୨ଜଣ ଖେଳାଳି ଥିବା ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନର ଖେଳକୁ ବର୍ଷା ଧୋଇ ନେଇଥିଲା। ଫଳରେ ରବିବାର ଦ୍ବିତୀୟ ଦିନରେ ଭାରତ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ଏକ ୫୦ ଓଭରିଆ ଅଭ୍ୟାସ ମ୍ୟାଚ୍ ‌ଖେଳାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଏକାଦଶ ୪୩.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୩ ରନ୍ କରିଥିଲା। ଓପନର୍ ସାମ୍ କନ୍‌ଷ୍ଟାଟ୍ସ ୧୦୭ ରନ୍‌ର ପାଳି ଖେଳି ନିଜ ଦେଶର ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ପର୍ଥ ଟେଷ୍ଟ୍‌ରେ ପଦାର୍ପଣ କରିଥିବା ଭାରତୀୟ ଯୁବଦ୍ରୁତ ବୋଲର ହର୍ଷିତ ରାଣା ଚମତ୍କାର ବୋଲିଂ କରି ୪ ୱିକେଟ୍ କରାୟତ୍ତ କରିଥିଲେ। ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ୱାସିଂଟନ୍ ସୁନ୍ଦର ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ଏବଂ ଆକାଶଦୀପ ଦୁଇଟି ୱିକେଟ୍ ନେଇ ନିଜ ନିଜ ବୋଲିଂର ଧାରକୁ ଆହୁରି ଶାଣିତ କରିଥିଲେ।

ବ୍ୟାଟିଂରେ ସମସ୍ତଙ୍କ ନଜର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିଥିଲେ ମଧ୍ୟ ସେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ୧୧ ବଲ୍ ଖେଳି ମାତ୍ର ୩ ରନ୍ କରିଥିଲେ। ରୋହିତ ପର୍ଥ ଟେଷ୍ଟ୍ ଖେଳି ନଥିବାରୁ ବଡ଼ ପାଳି ଖେଳି ଅଷ୍ଟ୍ରେଲିଆରେ ନିଜକୁ ଖାପ ଖୁଆଇବାର ଭଲ ସୁଯୋଗ ହାତଛଡ଼ା କରିଥିଲେ। ତେବେ ଆହତ ହୋଇ ପର୍ଥ ଟେଷ୍ଟ୍‌ରୁ ବାଦ୍ ପଡ଼ିଥିବା ଶୁବମନ ଗିଲ୍ (୫୦*) ଅର୍ଦ୍ଧଶତକୀୟ ପାଳି ଖେଳି ଶତପ୍ରତିଶତ ଫିଟ୍‌ନେସ୍ ପାଇବାର ନିକଟତର ହୋଇ ସାରିଥିବାର ସଙ୍କେତ ଦେଇଥିଲେ। ସେହିଭଳି ଓପନର ଯଶସ୍ବୀ ଜୟସ୍ବାଲ (୪୫), କେଏଲ୍ ରାହୁଲ (୨୭*), ନୀତୀଶ କୁମାର ରେଡ୍ଡୀ (୪୨), ୱାସିଂଟନ୍ ସୁନ୍ଦର (୪୨), ରବୀନ୍ଦ୍ର ଜଡ଼େଜା (୨୭) କ୍ରିଜ୍‌ରେ କିଛି ସମୟ କଟାଇ ନିଜ ଆତ୍ମବଳ ବଢ଼ାଇଥିଲେ। ଭାରତ ୪୬ ଓଭରରେ ୫ ୱିକେଟ୍ ହରାଇ ୨୫୭ ରନ୍ କରି ସହଜ ବିଜୟ ହାସଲ କରିଥିଲା। ରାହୁଲ ଓ ଗିଲ୍‌ଙ୍କ ପାଖରେ ବଡ଼ ପାଳି ଖେଳିବାର ସୁଯୋଗ ଥିଲେ ମଧ୍ୟ ଅନ୍ୟମାନଙ୍କୁ ସୁଯୋଗ ଦେବା ଲାଗି ସେମାନେ ଅବସର ଆହତ ‌ହୋଇ ପଡ଼ିଆ ଛାଡ଼ିଥିଲେ। ସାମ୍ ତାଙ୍କ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସର୍ଫରାଜ୍‌ଙ୍କୁ ରୋହିତଙ୍କ ମଜାଳିଆ ମୁଥ
ରବିବାରର ଅଭ୍ୟାସ ମ୍ୟାଚ୍‌ ଅବସରରେ ଋଷଭ ପନ୍ତଙ୍କ ସ୍ଥାନରେ ୱିକେଟ୍ ରକ୍ଷଣ କରୁଥିବା ସର୍ଫରାଜ୍ ଖାନ୍‌ଙ୍କୁ ଅଧିନାୟକ ରୋହିତ ଶର୍ମା ମଜାରେ ଏକ ମୁଥ ମାରିବା ଉଭୟ ଦଳର ଖେଳାଳିଙ୍କୁ ଖୁସି ହେବାର ଖୋରାକ ଯୋଗାଇଥିଲା। ଏହି ମ୍ୟାଚ୍‌ରେ ସର୍ଫରାଜ ଏକ ସହଜ କ୍ୟାଚ୍ ହାତଛଡ଼ା କରିଥିଲେ। ତାଙ୍କର ଏଭଳି ତ୍ରୁଟି ଦେଖି ସାଥୀ ଖେଳାଳି ଓ ଦର୍ଶକ ନିଜ ହସ ରୋକି ପାରି ନଥି‌ଲେ। ଏହା ପରେ ରୋହିତ ଗେଲରେ ତାଙ୍କୁ ମୁଥ ମାରିବା ଦର୍ଶକଙ୍କ ମନ ଛୁଇଁ ଯାଇଥିଲା। ଏହି ଘଟଣା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ପାଳିର ୨୩ତମ ଓଭରରେ ଘଟିଥିଲା।

ବୁମ୍‌ରାଙ୍କ ମୁକାବିଲା କଲେ କୋହଲି
ପର୍ଥ ଭଳି ଆଡିଲେଡ୍ ଟେଷ୍ଟ୍‌ରେ କମାଲ କରିବାକୁ ଭାରତୀୟ କିଂବଦନ୍ତି କ୍ରିକେଟର୍‌ ବିରାଟ କୋହଲି ଲାଗି ପଡ଼ିଛନ୍ତି। ସେଥିପାଇଁ ଅନ୍ୟମାନେ ଅଭ୍ୟାସ ମ୍ୟାଚ୍ ଖେଳୁଥିଲା ବେଳେ କୋହଲି ସାଥୀ ଖେଳାଳି ଯଶପ୍ରୀତ୍‌ ବୁମ୍‌ରାଙ୍କୁ ନେଟ୍ସରେ ସମ୍ମୁଖୀନ ହୋଇ ଏହି ଗୋଲାପି ବଲ୍ ଟେଷ୍ଟ୍ ଲାଗି ପ୍ରସ୍ତୁତି କରୁଛନ୍ତି। କୋହଲିଙ୍କୁ ବୁମ୍‌ରା ବୋଲିଂ କରୁଥିବାର ଭିଡିଓ ବିସିସିଆଇ ପ୍ରକାଶ କରିବା ପରେ ଏହା ମଧ୍ୟ ଭାଇରାଲ୍ ‌ହୋଇଛି। ଏଥିରେ ବୁମ୍‌ରା ପୂରା ଦମ୍‌ରେ ବୋଲିଂ କରୁଥିଲା ବେଳେ କୋହଲି ମଧ୍ୟ ତାଙ୍କୁ ଚମତ୍କାର ଶୈଳୀରେ ସମ୍ମୁଖୀନ ‌ହେଉଥିବା ଦେଖିବାକୁ ମିଳୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button