ରାଜ୍ୟ

ରଙ୍ଗ ବଦଳିଲା, ପୋଷାକ ମିଳିଲାନି: ସରିଆସିଲାଣି ଦଶମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ବର: ପାଠପଢ଼ା ସରିଆସିଲାଣି। ପିଲାମାନେ ଧୀରେ ଧୀରେ ସ୍କୁଲ ଆସିବା ବନ୍ଦ କରୁଛନ୍ତି। ସିଲାବସ୍‌ ଶେଷ ସହ ବିଦ୍ୟାଳୟଗୁଡ଼ିକରେ କ୍ଲାସ ରିଭିଜନ୍‌ ଆରମ୍ଭ ହୋଇଯାଇଛି। ଦୁଇ ମାସ ପରେ ପରୀକ୍ଷା ଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠାଇବାକୁ ଉଚିତ ମଣୁନାହାନ୍ତି। ଗୋଟିଏ ଧାଡ଼ିରେ କହିଲେ, ଅଢ଼େଇ ମାସ ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ହଲ୍‌ରେ ବସିବେ। ମାତ୍ର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସ୍କୁଲ ୟୁନିଫର୍ମ ମିଳିପାରି ନାହିଁ। ୨୦୨୪-୨୫ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ) ଛାତ୍ରଛାତ୍ରୀଙ୍କୁ ପୋଷାକ ମିଳି ନ ଥିବାରୁ ସେମାନେ ପୁରୁଣା ୟୁନିଫର୍ମରେ ସ୍କୁଲ ଆସୁଛନ୍ତି। ଭୁବନେଶ୍ବରର ବିଭିନ୍ନ ହାଇସ୍କୁଲରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। କେବଳ ରାଜଧାନୀରେ ନୁହେଁ, ରାଜ୍ୟର ଅଧିକାଂଶ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆଜି ପର୍ଯ୍ୟନ୍ତ ୟୁନିଫର୍ମ ମିଳି ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ନୂଆ ସରକାର ଆସିବାର ୩ ମାସରେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳାଇଥିଲେ। ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ‘ହଣ୍ଟର ଗ୍ରିନ୍‌’ କରାଯାଇଥିଲା। ବର୍ତ୍ତମାନର ସରକାର ତାହାକୁ ବଦଳାଇ ବାଦାମୀ ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିଛନ୍ତି। ଛାତ୍ରଙ୍କ ପାଇଁ ଫୁଲ୍‌ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ହାଫ୍‌ ଜ୍ୟାକେଟ୍‌ ରହିଛି। ଛାତ୍ରୀଙ୍କ ହାଫ୍‌ ଜ୍ୟାକେଟ୍‌ରେ ଦୁଇଟି ପକେଟ୍‌ ଓ ଛାତ୍ରଙ୍କର ବେଲ୍ଟ ରହିଛି। ଡ୍ରେସ୍‌ରେ କୌଣସି ଲୋଗୋ ନାହିଁ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କଲରେ ପଢ଼ୁଥିବା ପିଲାଙ୍କୁ ପୋଷାକ ବଣ୍ଟନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଅକ୍ଟୋବର ୧ରେ ଅବଗତ କରାଯାଇଥିଲା। ଇତିମଧ୍ୟରେ ଦୁଇ ମାସ ବିତିଯାଇଥିଲେ ମଧ୍ୟ ହାଇସ୍କୁଲ ପିଲାମାନଙ୍କୁ ୟୁନିଫର୍ମ ମିଳିପାରି ନାହିଁ। କେବେ ମିଳିବ ସେନେଇ କାହା ପାଖରେ ସୂଚନା ମଧ୍ୟ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button