ରାଜ୍ୟ

୩ ସହରର ବାୟୁ ଅତି ଖରାପ: ଭୁବନେଶ୍ବର, ବାଲେଶ୍ବର, କଟକ ସ୍ଥିତି ଚିନ୍ତାଜନକ

ଭୁବନେଶ୍ବର: ବିଗିଡ଼ିଗଲାଣି ଓଡ଼ିଶାର ବାୟୁମଣ୍ଡଳ। ଗୋଟିଏ ପରେ ଗୋଟିଏ ସହରର ବାୟୁର ମାନ ଅତିଖରାପ ସ୍ତରରେ ପହଞ୍ଚୁଛି। ଗତକାଲି ଭୁବନେଶ୍ବର ସମେତ ତିନୋଟି ସହରର ବାୟୁର ମାନ ଖରାପ ସ୍ତରରେ ଥିଲା। ମାତ୍ର ତାହା ଆଜି ଆହୁରି ଜଟିଳ ସ୍ଥିତିରେ ପହଞ୍ଚିଛି। ଦାମନଯୋଡ଼ିର ବାୟୁ ଅତ୍ୟଧିକ ଖରାପ(ଭେରି ପୋର୍‌) ହୋଇଛି। ରାତି ୯ଟା ସୁଦ୍ଧା ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ୩୨୪ ଛୁଇଁଛି। କେବଳ ସେତିକି ନୁହେଁ, ଅନୁଗୁଳ ଓ ତାଳଚେର ସହରର ବାୟୁର ମାନ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି। ଏହି ଦୁଇ ସହରର ବାୟୁ ଆଜି ଅତ୍ୟଧିକ ଖରାପ ସ୍ତର ଛୁଇଁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ‌ବୋର୍ଡ ଦ୍ବାରା ଆଜି ଅପରାହ୍ଣରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନୁଗୁଳର ଏକ୍ୟୁଆଇ ୩୨୩ ଓ ତା‌ଳଚେରରେ ୩୦୨ ରହିଥିଲା। ବିଗତ ୨୪ ଘଣ୍ଟାର ବାୟୁର ହାରାହାରି ଗୁଣବତ୍ତା ଆଧାରରେ ପ୍ରକାଶିତ ଏହି ରିପୋର୍ଟ ଚିନ୍ତା ବଢ଼ାଇ ଦେଇଛି। ଗତକାଲି ଭୁବନେଶ୍ବରର ଏକ୍ୟୁଆଇ ୨୬୭ ଥିଲା। ଆଜି ତାହା ଆହୁରି ବୃଦ୍ଧି ପାଇ ୨୮୭ରେ ପହଞ୍ଚିଛି। ଅନୁରୂପ ଭାବେ ବାଲେଶ୍ବରର ଏକ୍ୟୁଆଇ ୨୬୧, ବ୍ୟାସନଗରର ୨୬୫, ରସୁଲପୁରର ୨୫୦ ଓ କଟକର ୨୦୫ରେ ପହଞ୍ଚିଛି।

ଦାମନଯୋଡ଼ି ସ୍ଥିତି ସାଙ୍ଘାତିକ
ସରକାର ବେଫିକର, ସୁଧାର ପାଇଁ ଉଦ୍ୟମ ନାହିଁ

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଲଗାତାର ତିନି ଦିନ ଧରି ଓଡ଼ିଶା ବାୟୁମଣ୍ଡଳ ସ୍ଥିତି ଖରାପ ହୋଇଥିଲେ ମଧ୍ୟ ପ୍ରାଶାସନିକ ସ୍ତରରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। କୌଣସି ବୈଠକ ହୋଇନି କିମ୍ବା ବାୟୁ ପ୍ରଦୂଷଣ ରୋକିବାକୁ କୌଣସି ବିଚାର ଆଲୋଚନା କରାଯାଇ ନାହିଁ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ନିରବଦ୍ରଷ୍ଟା ସାଜିଛନ୍ତି।  ଶିଳ୍ପ ସଂସ୍ଥାଗୁଡ଼ିକ ବାରମ୍ବାର ନିୟମ ଭାଙ୍ଗୁଥିଲେ ମଧ୍ୟ ସେଦିଗରେ ଆଦୌ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ପରିଣାମ ସ୍ବରୂପ ଆଜି ଦିନରେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ୧୬୫ ଥିବା ବେଳେ ଓଡ଼ିଶାର ଅଧିକାଂଶ ସହରର ବାୟୁ ତା’ଠାରୁ ଅଧିକ ପ୍ରଦୂଷିତ ହୋଇଛି। ଦେଶର ମୋଟ ୨୬୧ଟି ସହରର ବାୟୁ ପ୍ରଦୂଷଣ ମପାଯାଇଥିଲା। ସେଥିରୁ ୭ଟି ସହରର ବାୟୁ ଅତ୍ୟଧିକ ପ୍ରଦୂଷିତ ହୋଇଥିବା ଜଣାପଡ଼ିଛି। ଯେଉଁଥିରେ ଓଡ଼ିଶାର ଦୁଇଟି ସହର ଯଥା ଅନୁ‌ଗୁଳ ଓ ତାଳଚେର ରହିଛି। ଏବେ ଦୀପାବଳି ନାହିଁ କି ବାଣ ଫୁଟା ହୋଇନି। ତା’ସତ୍ତ୍ବେ ମଧ୍ୟ ସହରଗୁଡ଼ିକର ବାୟୁର ମାନ ଅତି ଖରାପ ସ୍ଥିତିରେ ପହଞ୍ଚିବାକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।

ସେମାନଙ୍କ କହିବା‌ କଥା ହେଉଛି ଯେ ଖଣି ଓ କଳକାରଖାନା ଅନୁଗୁଳ ଜିଲ୍ଲାରେ ବାୟୁର ମାନ ଖରାପ ହେବାର ମୁଖ୍ୟ କାରଣ ସାଜୁଛି। ଜିଲ୍ଲାରେ ମାଳ ମାଳ ଖଣି ଥିଲାବେଳେ ଏକାଧିକ ବୃହତ୍‌ ଶିଳ୍ପାନୁଷ୍ଠାନ ରହିଛି। ଶିଳ୍ପାନୁ‌ଷ୍ଠାନ ପାଇଁ ଗାଡ଼ି ମୋଟର ଅଧିକ ଚାଲୁଛି। ମାଲ୍‌ ପରିବହନ ପାଇଁ ଦୈନିକ ହଜାର ହଜାର ଟ୍ରକ୍‌ ବ୍ୟବହାର ହେଉଛି। ସେଥିରୁ ନିର୍ଗତ ହେଉଥିବା ଧୂଆଁ ଓ ଧୂଳିରେ ବାୟୁମଣ୍ଡଳ ଭରିଯାଉଛି। ରାସ୍ତା ଓ ରାସ୍ତାପାର୍ଶ୍ବରେ ଏତେ ପରିମାଣରେ କୋଇଲା ଗୁଣ୍ଡ ମିଶ୍ରିତ ଧୂଳି ଗଦା ହୋଇଛି ଯେ ସେଥିରେ ଯାତାୟାତ କରିବା କଷ୍ଟକର। ଏବେ ବର୍ଷା ନ ଥିବାରୁ ବାୟୁମଣ୍ଡଳ ଅଧିକ ବିଷାକ୍ତ ହେଉଛି। ବାୟୁ ପ୍ରଦୂଷଣ ରୋକିବାକୁ ଶିଳ୍ପ ସଂସ୍ଥାଗୁଡ଼ିକ ଯେଉଁଭଳି ପଦକ୍ଷେପ ନେବା କଥା ତାହା ଗ୍ରହଣ କରୁନାହାନ୍ତି। ବରଂ ସବୁ ଜାଣି ଚୁପ୍‌ ବସି ପଡ଼ୁଛନ୍ତି। ଯାହାର ପରିଣାମ ଏବେ ଅଞ୍ଚଳବାସୀ ଭୋଗୁଛନ୍ତି। ପ୍ରଦୂଷଣ ଯୋଗୁ ଶ୍ୱାସ ରୋଗ, ହୃଦ୍‌ରକ୍ତନଳୀ ରୋଗ, ଗଳା ପ୍ରଦାହ, ଛାତି ଯନ୍ତ୍ରଣା, କାଶ ପରି ସମସ୍ୟା ସୃଷ୍ଟି ହେବ। ଯେଉଁମାନେ ହୃଦ୍‌ରୋଗ କିମ୍ବା ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ, ସେମାନଙ୍କ ପାଇଁ ଏଭଳି ପ୍ରଦୂଷଣ ଅତି ବିପଦଜନକ। ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଦେଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button