ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବ: ‘ଜଳବାୟୁ ପରିବର୍ତ୍ତନର ମୁକାବିଲା କର’
ଭୁବନେଶ୍ବର: କୃଷି ଓ କୃଷକଙ୍କ ବିକାଶ ବିନା ଦେଶର ସମଗ୍ର ବିକାଶ ସମ୍ଭବପର ନୁହେଁ। କୃଷି, ମତ୍ସ୍ୟ ଉତ୍ପାଦନ ଓ ପଶୁସମ୍ପଦର ବିକାଶ ଦ୍ୱାରା ଆମର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ମାତ୍ର ଏବେ କୃଷି କ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ, ମୁଣ୍ଡପିଛା ଚାଷ ଜମି ଆକାର ହ୍ରାସ ଓ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ ଭଳି ନୂତନ ଆହ୍ୱାନର ସମ୍ମୁଖୀନ ହେଉଛି। ଏହି ଆହ୍ୱାନର ମୁକାବିଲା କରିବାକୁ ବୈଜ୍ଞାନିକମାନଙ୍କୁ ଠିକ୍ ସମୟରେ ପ୍ରଯୁକ୍ତିବିଦ୍ୟା ବିକଶିତ ଓ ପ୍ରସାର କରିବାକୁ ପଡ଼ିବ। ପରିବେଶ ସୁରକ୍ଷା, ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ଓ ମୃତ୍ତିକା ସଂରକ୍ଷଣ, ପ୍ରାକୃତିକ ସମ୍ପଦର ଉନ୍ନତ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ବୈଜ୍ଞାନିକମାନଙ୍କୁ ଆହ୍ବାନ ଦେଇଛନ୍ତି।
ରାଷ୍ଟ୍ରପତି ଆହୁରି କହିଲେ, ତାପମାତ୍ରା ଓ ଗ୍ରିନ୍ହାଉସ୍ ଗ୍ୟାସ ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି। ଏଭଳି ସମସ୍ୟାର ମୁକାବିଲା କରିବାରେ କୃଷି ବୈଜ୍ଞାନିକଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର ମଧ୍ୟ ଆମ କୃଷି କ୍ଷେତ୍ର ପାଇଁ ଏକ ନୂତନ ଆହ୍ୱାନ ଭାବେ ଉଭା ହୋଇଛି। ମାଟି, ପାଣି ଓ ପରିବେଶ ଉପରେ ଏହାର ଖରାପ ପ୍ରଭାବ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଯୁବ ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ବାହାର କରିବେ ବୋଲି ସେ ଆାଶାପୋଷଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ସମାବର୍ତ୍ତନ ଉତ୍ସବ ତୁମମାନଙ୍କ ଆଶାଜନକ ଭବିଷ୍ୟତର ମାର୍ଗ ଖୋଲିଥାଏ। ତୁମେମାନେ ବାସ୍ତବ ବୈଶ୍ବିକ ପରିସ୍ଥିତିରେ ଜ୍ଞାନ ଓ ଦକ୍ଷତାର କଠୋର ପରୀକ୍ଷାର ସମ୍ମୁଖୀନ ହେବ। ଏଠାରୁ ହାସଲ କରିଥିବା ଜ୍ଞାନ ଓ କୌଶଳ ପ୍ରୟୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବ ବୋଲି ମୋର ଆଶା। ଏଥିସହ ଅଭିନବ ଚିନ୍ତାଧାରା ଓ ଉତ୍ସର୍ଗୀକୃତ କାର୍ଯ୍ୟ ମାଧ୍ୟମରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି ସେଥିରେ ତୁମମାନଙ୍କ ଯୋଗଦାନ ରହିବ। ସମୟ ଥିଲା ଆମେ ଖାଦ୍ୟଶସ୍ୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲୁ। ମାତ୍ର ବର୍ତ୍ତମାନ ଆମେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ରପ୍ତାନି କରୁଛୁ। ଆମ କୃଷି ବୈଜ୍ଞାନିକଙ୍କ ମାର୍ଗଦର୍ଶନ ଓ କୃଷକଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ଓଡ଼ିଶାର ୯୩% କୃଷକ ହେଉଛନ୍ତି କ୍ଷୁଦ୍ର ଓ ମଧ୍ୟମବର୍ଗର। ସେମାନଙ୍କ ଆୟ ବୃଦ୍ଧି କରିବାକୁ ହେଲେ ଆମକୁ ନୂଆ ଜ୍ଞାନକୌଶଳ ଆପଣାଇବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ, ଫସଲ ଉତ୍ପାଦନ ହ୍ରାସ ଓ ବଜାର ସୁବିଧା ବର୍ତ୍ତମାନର ସମୟରେ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ତାହାର ମୁକାବିଲା କରିବା ଦିଗରେ ବୈଜ୍ଞାନିକମାନେ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। ଏଥିସହ ଜୈବିକ ଚାଷକୁ ପ୍ରାଥମିକତା ଦେବାକୁ ସେ ଆହ୍ବାନ ଦେଇଥିଲେ। ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ତଥା ପ୍ରୋ-ଚାନ୍ସଲର୍ କନକବର୍ଦ୍ଧନ ସିଂହଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ସଂସ୍ଥା ସହ ରାଜିନାମା ଓ ନୂଆ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସ୍ବାଗତ ଭାଷଣ ସହ ବିବରଣୀ ପାଠ କରିଥିଲେ। ଏହି ଅବସରରେ କୃଷି ଓ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଟମିକ୍ ଏନର୍ଜି କମିସନ ଅଧ୍ୟକ୍ଷ ତଥା ଅଟମିକ୍ ଏନର୍ଜି ବିଭାଗ ସଚିବ ଅଜିତ କୁମାର ମହାନ୍ତି, ୟୁଏସ୍ଏସ୍ଥିତ ଏନ୍ଆଇଏଫ୍ଏ ନିର୍ଦ୍ଦେଶକ ମଞ୍ଜିତ୍ ମିଶ୍ର, ନ୍ୟାସନାଲ ଏକାଡେମି ଅଫ୍ ଭେଟେରିନାରି ସାଇନ୍ସର ସଭାପତି ପ୍ରକାଶ ରାଓ ଭେନ୍କାଟା ରାମାନଦୁଭରି ଓ ଓଡ଼ିଶାର ମିଲେଟ୍ ରାଣୀ ଭାବେ ପରିଚିତ ରାଇମତି ଘିଉରିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଏବଂ ୭ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ୧୧୮ଜଣ ପିଏଚ୍ଡି, ୨,୭୦୫ ଜଣ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଡିଗ୍ରି ଦିଆଯାଇଥିଲା।