ରାଜ୍ୟ

ଅନୁଗୁଳରେ ପ୍ରାଥମିକ ଶିକ୍ଷାରେ ଶିକ୍ଷକ ସଙ୍କଟ: ବିନା ପ୍ରଧାନଶିକ୍ଷକରେ ୫୦୦ ବିଦ୍ୟାଳୟ

ଅନୁଗୁଳ: ଶିକ୍ଷକ ଅଭାବରୁ ଅନୁଗୁଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାକୁ ବସିଛି। ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ସଙ୍କଟ ଲାଗି ରହିଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଉନି। ଏକାଧିକ ଶ୍ରେଣୀକୁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି ପାଇଥିବାରୁ ପିଲାମାନେ ବିଦ୍ୟାଳୟ ବାରଣ୍ଡାରେ ଖେଳାବୁଲା କରି ଫେରୁଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଅନୁଗୁଳ ଜିଲ୍ଲାରେ ୩୨ ବରିଷ୍ଠ ପ୍ରଧାନଶିକ୍ଷକ ପଦବି ରହିଥିଲା ବେଳେ ଏଥିରୁ ୧୬ଟି ଫାଙ୍କା ପଡ଼ିଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୬୨ଟି ଅନୁମୋଦିତ ପ୍ରଧାନଶିକ୍ଷକ ପଦ ରହିଥିଲେ ମଧ୍ୟ ଏବେ କାର୍ଯ୍ୟ କରୁଛନ୍ତି ମାତ୍ର ୮୨ ଜଣ। ୪୮୦ ପଦ ଖାଲି ରହିଛି। ଅର୍ଥାତ୍‌ ଜିଲ୍ଲାରେ ପ୍ରାୟ ୫ଶହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିନା ପ୍ରଧାନଶିକ୍ଷକରେ ଚାଲୁଛି। ‌ତେବେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅନୁମୋଦିତ ପଦ ଅନୁସାରେ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।

ପ୍ରଧାନଶିକ୍ଷକଙ୍କ ପରି ବରିଷ୍ଠ ଶିକ୍ଷକଙ୍କ ଅଭାବ ମଧ୍ୟ ଲାଗିରହିଛି। ଜିଲ୍ଲାରେ ଲେଭେଲ-୪ର ବିଜ୍ଞାନ ସ୍ନାତକ ଶିକ୍ଷକ ପଦବି ୫୫୦ଟି ରହିଛି। ହେଲେ ଏବେ ମାତ୍ର ୪୫ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି। ୫୦୫ଟି ଶିକ୍ଷକ ପଦ ଖାଲି ପଡ଼ିଛି। ସେହିପରି ଲେଭେଲ-୪ର କଳା ସ୍ନାତକ ଶିକ୍ଷକ ପଦବି ୫୫୦ଟି ରହିଥିଲା ବେଳେ ଏବେ ୩୬୩ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ୧୮୭ଟି ଶିକ୍ଷକ ପଦ ଫାଙ୍କା ରହିଛି। ଏପଟେ ଲେଭେଲ ୫-ବି ବର୍ଗର ୮୬୦ଟି ଅନୁମୋଦିତ ପଦବି ରହିଛି। ଏଥିରୁ ୨୦୪ଟି ଆସନ ଖାଲି ପଡ଼ିଛି। ତେବେ ଲେଭେଲ ୫-ଏ ବର୍ଗର ୮୩୫ଟି ପଦବି ରହିଥିଲେ ମଧ୍ୟ ଏହା ତୁଳନାରେ ଅଧିକ ଶିକ୍ଷକ ନିଯୁକ୍ତି କରାଯାଇଛି। ଏହି ପରିସଂଖ୍ୟାନ ଅନୁସାରେ, ଅନୁଗୁଳ ଜିଲ୍ଲାରେ ପ୍ରଧାନଶିକ୍ଷକ ଓ ବରିଷ୍ଠ ଶିକ୍ଷକଙ୍କ ଅଭାବ ରହିଥିଲା ବେଳେ ଶିକ୍ଷା ବ୍ୟବସ୍ଥା ଏବେ କନିଷ୍ଠ ଶିକ୍ଷକଙ୍କ କାନ୍ଧରେ ଲଦି ଦିଆଯାଇଛି। ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ କରିବା ପାଇଁ କେବଳ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ମିଳୁଥିଲା ବେଳେ ବରି‌ଷ୍ଠ ଶିକ୍ଷକ ନ ଥିବାରୁ ଉଚ୍ଚ ଶ୍ରେଣୀର ପାଠପଢ଼ା ବ୍ୟାହତ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button