ରାଜ୍ୟ

ହାଇକୋର୍ଟରେ ସିପାହି/କନଷ୍ଟେବଳ ପଦ ପାଇଁ ବୟସ ସୀମା ପ୍ରସଙ୍ଗ: ୬ ବର୍ଷ କୋହଳ ନିର୍ଦ୍ଦେଶ

କଟକ: ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ବାଟାଲିୟନ୍‌ରେ ୧୩୬୦ଟି ସିପାହି/କ‌ନଷ୍ଟେବଳ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ। ଏ ସଂପର୍କ‌ରେ ଓଡ଼ିଶା ପୁଲିସ ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବେ। ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ। ଅନ୍‌ଲାଇନ୍‌ରେ ଏପରି ପ୍ରାର୍ଥୀମାନେ କିପରି ନିଜ ଦରଖାସ୍ତ ଦାଖଲ କରିବେ ସେ ନେଇ ବୋର୍ଡ ଆବଶ୍ୟକ ବ୍ୟବସ୍ଥା କରିବ। କରୋନା ମହାମାରୀ କାରଣରୁ ଗୋଟିଏ ଥର ପାଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଓ ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସ୍ବଚ୍ଛତା ପ୍ରସଙ୍ଗ ସୁନିଶ୍ଚିତ କରିବା ଲାଗି ଏହି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଅସାଧାରଣ ପରିସ୍ଥିତିରେ ଥରକ ପାଇଁ ଏହି ବୟସ ସୀମା କୋହଳ ବ୍ୟବସ୍ଥା କରାଯାଉଛି, ଏହାକୁ ନଜିର ଭାବେ ଭବିଷ୍ୟତରେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସୃଷ୍ଟି ହେଉଥିବା ଖାଲି ପଦବିକୁ ଦୃଷ୍ଟିରେ ରଖି ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ ବୋର୍ଡ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶ୍ବେଶ୍ବର ବିଶ୍ବାଳ ଓ ଅନ୍ୟମାନଙ୍କ ତରଫରୁ ଦାୟର ୪୦ରୁ ଅଧିକ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଓଡ଼ିଶା ପୁଲିସର ଓଏସ୍‌ଏପି, ଆଇଆର୍‌, ଏସ୍‌ଆଇଆର୍‌, ସ୍ପେସାଲ୍‌ ସିକ୍ୟୁରିଟି ବାଟାଲିଅନ୍‌ରେ ୧୩୬୦ଟି ସିପାହି/କନଷ୍ଟେବଳ ପଦ ପୂରଣ ପାଇଁ ‌ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡ ପକ୍ଷରୁ ୨୦୨୪ ସେପ୍ଟେମ୍ବର୍‌ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଆରି ୧ରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ସ୍ପଷ୍ଟ କରାଯାଇଥିଲା। ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ ବ୍ୟବସ୍ଥା ରଖାଯାଇଥିଲା। ଅନ୍ୟପକ୍ଷରେ ଶେଷଥର ୨୦୧୮ରେ ଓଡ଼ିଶା ପୁଲିସରେ ସିପାହି/କ‌ନଷ୍ଟେବଳ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କେତେକ ଆଶାୟୀ ପ୍ରାର୍ଥୀ ଦାବି କରିଥ‌ିଲେ।

କରୋନା ମହାମାରୀ ସ୍ଥିତି ପରେ ସରକାରୀ ଚାକିରିରେ ସର୍ବାଧିକ ବୟସସୀମା ସମ୍ପର୍କିତ ୧୯୮୯ର ନିୟମରେ ସରକାର ସଂଶୋଧନ କରିଥିଲେ। ମହାମାରୀ ବେଳେ ପ୍ରାୟ ତିନିବର୍ଷ ଧରି କୌଣସି ନିୟମିତ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିଲା। ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରି ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପମି ରଥ, ଆଇନଜୀବୀ ପ୍ରିୟରଞ୍ଜନ ସିଂହ, ବିପ୍ଳବ ପି.ବି.ବାହାଲି, ରାଜୀବ ରଥ, କ୍ଷୀରୋଦ କୁମାର ରାଉତ ଓ ଅନ୍ୟମାନେ ମାମଲା ପରିଚାଳନା କରୁଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button