ବାଂଲାଦେଶ ନାବାଳିକା ଚାଲାଣ ଘଟଣା: ମୟୂରଭଞ୍ଜରୁ ଗିରଫ ହେଲା ସୁନିତା ଓରଫ୍ ଦିଦି
କଟକ: ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବାଂଲାଦେଶ ନାବାଳିକା ଚାଲାଣ ଘଟଣାରେ ସଂପୃକ୍ତ ଦିଦି ଓରଫ ସୁନିତା ଦାସକୁ ପୁଲିସ ଗିରଫ କରିଛି। ଦିଦି ହେଉଛି ବାରିପଦାରେ ନାବାଳିକାଙ୍କୁ ୨୨ ଦିନ ଦେହ ବ୍ୟବସାୟରେ ନିୟୋଜିତ କରିବା ଘଟଣା ପଛର କାର୍ପଟଦାର୍। ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ମାଇନିଂ କଲୋନିର ଦିଦିକୁ ଗିରଫ କରି ମଧୁପାଟଣା ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିବା ସହିତ କଟକର ପୋକ୍ସୋ କୋର୍ଟରେ ହାଜର କରିଛି। ପରେ ତାକୁ ଚୌଦ୍ବାର ସର୍କଲ ଜେଲକୁ ପଠାଇ ଦିଆଯାଇଛି। ତେବେ ଏହି ମାମଲାରେ ଦିଦିକୁ ମିଶାଇ ପୂର୍ବରୁ ଗିରଫ ଅନ୍ୟ ତିନି ଜଣ ଆଜି ଜାମିନ୍ ଆବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ବାଂଲାଦେଶର ନାବାଳିକା ଭୁବନେଶ୍ବରର ମାଷ୍ଟରମାଇଣ୍ଡ ଗୋପୀ ନିକଟରେ ଥିବା ସମୟରେ ସେଠାରୁ ତାଙ୍କୁ ବ୍ରହ୍ମପୁର ନିଆଯାଇଥିଲା। ସେଠାରେ ତାକୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା। ସେଠାରୁ ତାଙ୍କୁ ବସରେ ବାରିପଦାରେ ଥିବା ଦିଦି ଓରଫ ସୁନିତା ଦାସ ନିକଟକୁ ପଠାଇ ଦିଆଯାଇଥିଲା। ଦିଦି ତାକୁ ଦେହ ବ୍ୟବସାୟରେ ନିୟୋଜିତ କରିବା ପରେ ବାଂଲାଦେଶ ପଠାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଦେହ ବ୍ୟବସାୟ କଲେ ମୋଟା ଅଙ୍କର ଟଙ୍କା ମିଳିବାର ପ୍ରଲୋଭନ ଦେଖାଇଥିଲା ଦିଦି। ତା’ ପାଖରେ ଏହି ନାବାଳିକା ୨୨ ଦିନ ରହିଥିଲେ। ସେଠାରେ ତାଙ୍କୁ ଏକାଧିକ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। କିନ୍ତୁ ଦିଦି ଆଉ ପ୍ରତିଶ୍ରୁତି ମୁତାବକ ଟଙ୍କା ଦେଇନଥିଲା। ସେଠାରେ ଏହି ନାବାଳିକାଙ୍କର କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳର ଯସ୍ମିନ୍ ଚୌଧୁରୀ ସହିତ ଭେଟ ହୋଇଥିଲା। ଯସ୍ମିନ ବି ସେଠାକୁ ଦେହ ବ୍ୟବସାୟ କାରବାର କରିବାକୁ ଯାଇଥିଲା।
ଦେହ ବ୍ୟବସାୟରେ ଦିଦି ଲଗାଇଥିଲା ୨୨ ଦିନ
ନିଯୁକ୍ତି ପ୍ରତିଶ୍ରୁତି ଦେଇ ଯସ୍ମିନ୍ ଓ ବେରୁ ଆଣିଥିଲେ କଟକ
ଯସ୍ମିନର ସ୍ବାମୀ ବେରୁ ଓମ୍ପ୍ରକାଶ ଚୌଧୁରୀ ଓରଫ ବେପା ରାମ୍ କଟକରେ ନିଯୁକ୍ତିର ଲୋଭ ଦେଖାଇ ନାବାଳିକାଙ୍କୁ କଟକ ଆଣିଥିଲା। ନଭେମ୍ବର ୮ରେ ଏହି ନାବାଳିକା ବସ୍ରେ କଟକ ଆସିଥିଲେ। ଲିଙ୍କ୍ ରୋଡରେ ଓହ୍ଲାଇବା ପରେ ଯସ୍ମିନ ଓ ତା’ ସ୍ବାମୀ ବେରୁ ସହିତ ଗୋପାଳପୁର ଘରକୁ ଯାଇଥିଲେ। ୯ ତାରିଖରେ ଗୋପାଳପୁର ଘରେ ନାବାଳିକାଙ୍କୁ ଏକାଧିକ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ଯସ୍ମିନ୍ ଓ ତା’ ସ୍ବାମୀ ବେରୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବାରୁ ସେଦିନ ରାତି ପ୍ରାୟ ୧୧ଟା ବେଳେ ଯସ୍ମିନର ଘରୁ ନାବାଳିକା ଚାଲିଚାଲି ଆସି ମଧୁପାଟଣା ଥାନାରେ ଫେରାଦ ହୋଇଥିଲେ। ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ତେବେ ଏହି ମାମଲାରେ ନଭେମ୍ବର ୨୩ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସିଡବ୍ଲୁସିଙ୍କ ପକ୍ଷରୁ ଡିସିପିଙ୍କ ମାଧ୍ୟମରେ ମଧୁପାଟଣା ଥାନାରେ ଏତଲା ଦିଆଯାଇଥିଲା।
ପୁଲିସ ଏକ ମାମଲା ରୁଜୁ କରି ପ୍ରଥମେ ନଭେମ୍ବର ୨୪ରେ କେନ୍ଦୁଝର ଜିଲ୍ଲାର ଯସ୍ମିନ୍ ଚୌଧୁରୀ ଓ ତା’ ସ୍ବାମୀ ରାଜସ୍ଥାନ ଯୋଧପୁର ଜିଲ୍ଲା ସୁରସାଗର ଥାନା ଅନ୍ତର୍ଗତ ବେରୁ ଓମ୍ପ୍ରକାଶ ଚୌଧୁରୀ ଓରଫ ବେପା ରାମକୁ ଗିରଫ କରିଥିଲା। ପରେ ଦ୍ବିତୀୟ ପର୍ଯ୍ୟାୟରେ ମାଷ୍ଟରମାଇଣ୍ଡ୍ ଗୋପୀର ଖାସ ସହଯୋଗୀ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଝାରପଡ଼ା ମୁସଲିମ୍ ସାହିର ଅବଦୁଲ ସେହେଦୁଲ୍ ସେଲମ୍ୟାନ ଓରଫ ସାହିଲକୁ ଗିରଫ କରିଥିଲା। ଏହି ଅଭିଯୁକ୍ତମାନେ ଏବେ ଚୌଦ୍ବାର ଜେଲରେ ଥିବା ବେଳେ ଶୁକ୍ରବାର ସେମାନଙ୍କ ପକ୍ଷରୁ ପୋକ୍ସୋ କୋର୍ଟରେ ଜାମିନ୍ ଆବେଦନ କରାଯାଇଥିଲା। ଆସନ୍ତା ମଙ୍ଗଳବାର ସମସ୍ତ ଅଭିଯୁକ୍ତଙ୍କ ଜାମିନ୍ ଶୁଣାଣି କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ବାଂଲାଦେଶର ମୁଖ୍ୟ ଚାଲାଣକାରୀ ଲିଟନ୍ ଦାସ ଓ ମୌସୁମୀ ନାୟକ, କଲିକତାର ବାବୁ ଦାସ ଓ ପତ୍ନୀ ମାୟା ଖାଁ ଏବଂ ଭୁବନେଶ୍ବରର ଗୋପୀ ଫେରାର ଅଛନ୍ତି।