୪୦୦ କଏଦୀଙ୍କ ୩୦ଦିନର ସଜା କୋହଳ: ଉତ୍ତମ ଆଚରଣରୁ ନିଷ୍ପତ୍ତି ନେଲେ ଜେଲ୍ ଡିଜି
ଭୁବନେଶ୍ବର: ଚଳିତ ମାସ ୧୦ ତାରିଖରେ ପାଳିତ ହେବ ଜେଲ୍ ପ୍ରତିଷ୍ଠା ଦିବସ। ଏହାକୁ ଦୃଷ୍ଟିରେ ରଖି ଜେଲ୍ ବିଭାଗ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍ ହେବାକୁ ଯାଉଛି। ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହି କଏଦୀମାନଙ୍କ ୩୦ ଦିନର ସଜା କୋହଳ କରାଯିବ। ଫଳରେ ସେମାନେ ଧାର୍ଯ୍ୟ ଜେଲ୍ଦଣ୍ଡର ୩୦ଦିନ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ। ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।
ଜେଲ୍ ମାନୁଆଲ୍ ରୁଲ୍ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ୍ ଡିଜିଙ୍କର ରହିଛି। ଜେଲ୍ରେ ସଜା କାଟୁଥିବା କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ରରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ। ସେହିପରି ଜେଲ୍ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ। ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯିବ। ବର୍ଷକର ଚରିତ୍ର ପଞ୍ଜିକାରୁ କଏଦୀଙ୍କୁ ଏଭଳି ସଜା କୋହଳ କରାଯିବାର ବିଧିବ୍ୟବସ୍ଥା ରହିଛି। ଜେଲ୍ ଡିଜି ଅରୁଣ ରାୟଙ୍କ ସୂଚନାନୁସାରେ ଏଥର ୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ଅର୍ଥାତ୍ ୨୦୨୫ ଏପ୍ରିଲ୍ରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି କଏଦୀଙ୍କୁ ଏହି ସୁବିଧା ମିଳିବ। ଏହା ଜେଲ୍ ସଂସ୍କାର କାର୍ଯ୍ୟକ୍ରମର ଏକ ବଡ଼ କାମ। ଏହାଦ୍ବାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଫଳରେ ସେମାନେ ପୁଣି ଥରେ ସାମାଜିକ ସ୍ରୋତକୁ ଫେରିବା ଆଶା ରହିଛି।
ସମ୍ପ୍ରତି ରାଜ୍ୟର ବହୁ କାରାଗାରରେ ଧାର୍ଯ୍ୟ କ୍ଷମତାରୁ ଅଧିକ ସଂଖ୍ୟାରେ କଏଦୀ ରହୁଛନ୍ତି। ଫଳରେ ବହୁ ସମୟରେ ବିଶୃଙ୍ଖଳା ଘଟୁଛି। ତେଣୁ ଏଭଳି ସଂସ୍କାର କାର୍ଯ୍ୟକ୍ରମ ବଳରେ ଜେଲ୍ ଉପରୁ ବୋଝ କମିବା ସହିତ ଶୃଙ୍ଖଳା ରକ୍ଷା କରିବା ସହଜ ହେବ। ଡିଜିଙ୍କ କ୍ଷମତା ଅନୁସାରେ ଜଣେ ୧୦ ବର୍ଷ ସଜା ପାଇଥିବା କଏଦୀକୁ ତା’ର ଉତ୍ତମ ବ୍ୟବହାର ଓ ଆଚରଣ ପ୍ରଦର୍ଶନ ପାଇଁ ୬୦ ଦିନର ସଜା କମ୍ କରିହେବ। ଏମିତିକି ଡିଜି ଚାହିଲେ ସେଭଳି କଏଦୀଙ୍କ ସଜା ବର୍ଷେ ବି କମାଇପାରିବେ।