ଜନ୍ମମାଟିରେ ମହାମହିମ: ଉପରବେଡ଼ା ଉତ୍ସବମୁଖର

ରାଇରଙ୍ଗପୁର/ହାଟବାଦଡ଼ା/ବାଦାମପାହାଡ଼: ‘ଜନ୍ମଭୂମି ଗାଁ ମାଟିସ୍ପର୍ଶରେ ମୁଁ ଅତି ଆନନ୍ଦିତ ଅନୁଭବ କରୁଛି। ଉପରବେଡ଼ା ପରି ଉପାନ୍ତ ଅଞ୍ଚଳ ବିଦ୍ୟାଳୟରୁ ପାଠ ପଢ଼ି ଆଜି ରାଷ୍ଟ୍ରପତି ପଦରେ ପହଞ୍ଚିପାରିଛି। ଏହା କେବଳ ଆମ ଆରାଧ୍ୟ ‘ମାରାଙ୍ଗ ବୁରୁ’ ଓ ‘ଜାହେର ଆୟୋ’ଙ୍କ ଆଶୀର୍ବାଦରେ ସମ୍ଭବପର ହୋଇଛି। ଗ୍ରାମବାସୀଙ୍କ ମଧ୍ୟ ଶୁଭ କାମନା ସହିତ ଆଶୀର୍ବାଦ ରହିଛି’। ଶୁକ୍ରବାର ଦିନ ନିଜ ଜନ୍ମମାଟିରେ ପାଦ ଥାପିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଉପରବେଡ଼ା ହେଉଛି ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ର ଏକ ଗାଁ। ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ନିଜର ଜନ୍ମମାଟି ଏହି ଗାଁକୁ ପ୍ରଥମଥର ପାଇଁ ପାଦ ଥାପିବାରୁ ଗାଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଥିଲା। ସମଗ୍ର ଗାଁ ଏବଂ ରାଷ୍ଟ୍ରପତି ପଢ଼ୁଥିବା ସ୍କୁଲ୍କୁ ସମ୍ପୂର୍ଣ୍ଣ ଭାବେ ସଜାଯାଇଥିଲା। ନିଜ ଗାଁ ଝିଅ ହୋଇଥିଲେ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବାର ଏକ ଐତିହାସିକ ସୁଯୋଗରେ ରହିଥିଲେ ସମସ୍ତେ। ଶୁକ୍ରବାର ୧୧ଟା ୫ମିନିଟ୍ ସମୟରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରଙ୍ଗାମାଟିଆ ହେଲିପ୍ୟାଡ୍ରେ ଅବତରଣ କରିଥିଲେ। ସେଠାରେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଝିଅ ଇତିଶ୍ରୀ, ଜ୍ୱାଇଁ ଲକ୍ଷ୍ମଣ ଏବଂ ତାଙ୍କର ଦୁଇ ନାତୁଣୀ ରହିଥିଲେ। ସେଠାରୁ ସଡ଼କ ପଥରେ ମହାମହିମ ନିଜ ଜନ୍ମଭୂମି ଉପରବେଡ଼ା ଗାଁରେ ପହଞ୍ଚିଥିଲେ।
ବିଦ୍ୟାଳୟ ବୁଲିଲେ, ପରିବାର ସହ ଗ୍ରାମବାସୀଙ୍କୁ ଭେଟିଲେ
ରାଷ୍ଟ୍ରପତିଙ୍କୁ ପାଖରେ ପାଇ ସମସ୍ତେ ଭାବବିହ୍ବଳ ହେଲେ
ଉପରବେଡ଼ା ଗ୍ରାମବାସୀ ଆଦିବାସୀ ପରମ୍ପରା ଅନୁସାରେ ନୃତ୍ୟ କରି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଆଦିବାସୀ ନୃତ୍ୟ ଓ ମାଦଳ ଧୁମ୍ସା ତାଳରେ ଗାଁ ଉତ୍ସବମୁଖର ହୋଇଉଠିଥିଲା। ମହାମହିମଙ୍କ ଉଦ୍ଦେଶ୍ୟରେ ଗାଁର ପ୍ରତ୍ୟେକ ଘର ଦାଣ୍ଡରେ ଶୋଭା ପାଇଥିଲା ଝୋଟି ଏବଂ ଭଳିକିଭଳି ଫୁଲ। ଭବ୍ୟ ସମ୍ବର୍ଦ୍ଧନା ମଧ୍ୟରେ ରାଷ୍ଟ୍ରପତି ଉପରବେଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ବାଲ୍ୟକାଳର ସାଙ୍ଗମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଷ୍ଟ୍ରପତିଙ୍କୁ ସ୍କୁଲ୍ରେ ପାଠ ପଢ଼ାଇଥିବା ଶିକ୍ଷକ ଦୁବୁଲାବେଡ଼ା ଗାଁର ବିଶ୍ବେଶ୍ୱର ମହାନ୍ତ, ଟେଣ୍ଟପୋଷି ଗାଁର ବାସୁଦେବ ବେହେରା, ବାଲିଆଢିପାର ବସନ୍ତ କୁମାର ଗିରିଙ୍କୁ ରାଷ୍ଟ୍ରପତି ଶାଲ୍ ଦେଇ ସମ୍ମାନିତ କରିଥିଲେ। ସେଠାରୁ ବାହାରି ଉପରବେଡ଼ା ଗ୍ରାମସ୍ଥିତ କମଳାବିମଳା ଉଚ୍ଚବିଦ୍ୟାଳୟରେ ଆୟୋଜିତ ସଭାରେ ଯୋଗ ଦେଇ ଯୁବବର୍ଗ ସହିତ ଆଲୋଚନା କରିଥିଲେ। ସେଠାରୁ ଉପରବେଡ଼ା ଗ୍ରାମସ୍ଥିତ ନିଜ ପୈତୃକଘରେ ପହଞ୍ଚି ପୁତୁରା ଓ ପୁତୁରାବୋହୂଙ୍କ ସମେତ ଆତ୍ମୀୟଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍ନ ୧.୨୦ ସମୟରେ ଉପରବେଡ଼ା ଗ୍ରାମରୁ ବାହାରି ରାଇରଙ୍ଗପୁର ମହୁଲଡିହାସ୍ଥିତ ନିଜ ବାସଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ। ଅପରାହ୍ନ ୩.୩୦ ସମୟରେ ରାଷ୍ଟ୍ରପତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏସ୍ଏଲ୍ଏସ୍ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିଥିଲେ। ଅପରାହ୍ନ ୪ଟାରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରି ଅପରାହ୍ନ ୪ଟା ୫୦ରେ କୁଚେଇବୁଡ଼ିସ୍ଥିତ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରକୁ ଯାଇ ଆଳତି କରିଥିଲେ ଏବଂ ରାଇରଙ୍ଗପୁରସ୍ଥିତ ନିଜ ବାସଭବନକୁ ଫେରିଥିଲେ।