ଓଡ଼ିଶାରେ ଖୋଲିବ ୮ କେନ୍ଦ୍ରୀୟ ବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶର ୧୯ଟି ରାଜ୍ୟରେ ୮୬ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥିରେ ଓଡ଼ିଶାର ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ସାମିଲ ଅଛି। ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ଼ ଓ ପାଟଣାଗଡ଼, ଅନୁଗୁଳ ଜିଲ୍ଲାର ଆଠମଲିକ ଓ ତାଳଚେର, ଆଇଟିବିପି ଖୋର୍ଦ୍ଧା, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଜୟପୁର ଓ ଢେଙ୍କାନାଳ (କାମାକ୍ଷାନଗର)ରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ। ୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ସଂପ୍ରସାରଣ ପାଇଁ ୫୮୭୨.୦୮ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଅନ୍ୟପକ୍ଷେ ଦେଶରେ ୨୮ଟି ନୂତନ ନବୋଦୟ ବିଦ୍ୟାଳୟ ସ୍ଥାପନ ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ଦ୍ବାରା ପ୍ରଦାନ କରାଯାଇଥିବା ମଞ୍ଜୁରିରେ ଓଡ଼ିଶା ସ୍ଥାନ ପାଇନାହିଁ। ୭ଟି ରାଜ୍ୟରେ ନୂତନ ନବୋଦୟ ବିଦ୍ୟାଳୟ ଖୋଲାଯିବ।



