୨ ଦିନରେ ତାପମାତ୍ରା ୪ ଡିଗ୍ରି କମିବ
ଭୁବନେଶ୍ବର: ଆସନ୍ତା ଦୁଇ ଦିନ ମଧ୍ୟରେ ଜଗତ୍ସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ପରବର୍ତ୍ତୀ ୩ ଦିନରେ ଜିଲ୍ଲାଗୁଡ଼ିକରେ ତାପମାତ୍ରା ପୁଣିଥରେ ୨ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଯାଜପୁର ଜିଲ୍ଲାଗୁଡ଼ିକରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୩ ଡିଗ୍ରି ଏବଂ ଘୁ.ଉଦୟଗିରିରେ ୧୪.୫ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଅନ୍ୟ ସମସ୍ତ ସହରର ରାତିର ତାପମାତ୍ରା ୧୫ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସିଷ୍ଟମ କ୍ରମଶଃ ଘନୀଭୂତ ହୋଇ ୧୨ ତାରିଖରେ ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ଆକଳନ କରାଯାଉଛି ଯେ ଡିସେମ୍ବରର ଦ୍ବିତୀୟ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର/ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ୪୮ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ। ଏହା ମଧ୍ୟ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ। ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ, ୯ ତାରିଖରେ ଉତ୍ତର ଉପକୂଳ, ୭ରୁ ୧୦ ମଧ୍ୟରେ ଦକ୍ଷିଣ ପୂର୍ବ ଆଭ୍ୟନ୍ତର, ୮ ଓ ୯ ତାରିଖରେ ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତର ପାଗ ଆଂଶିକ ମେଘୁଆ ରହିବ। ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୯ ଓ ୧୦ ତାରିଖରେ ଆଂଶିକ ମେଘୁଆ ରହିପାରେ। ୭ ଓ ୮ ତାରିଖରେ ଦକ୍ଷିଣ ଉପକୂଳରେ ହାଲୁକା ବର୍ଷା, ୮ରେ ଦକ୍ଷିଣ ଆଭ୍ୟନ୍ତରରେ ସ୍ବଳ୍ପ ବର୍ଷା, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୯ ତାରିଖରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ୯ ତାରିଖରୁ ଦକ୍ଷିଣ ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା କମିବାକୁ ଥିବା ବେଳେ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ୧୦ ତାରିଖରୁ ରାତିର ତାପମାତ୍ରା କମିବ। ସମ୍ଭାବ୍ୟ ବର୍ଷା ରବି ଫସଲ ପାଇଁ ସହାୟକ ହେବ। ତେବେ ପନିପରିବା ଫସଲରେ ଫିମ୍ପି ଜାତୀୟ ରୋଗ ଓ ଶିମ୍ବ ଜାତୀୟ ଫସଲରେ ଜଉ ପୋକ ଲାଗିବାର ସମ୍ଭାବନା ଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।