୩୨୬ କୋଟିର ପ୍ରକଳ୍ପ, ପାଣି ମିଳୁନି: ୫ ବର୍ଷ ବିତିଲା, ସରିଲାନି ପାଇପ୍ ବିଛା

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ର ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇବା ପାଇଁ ଦୁଇଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଗୋଟିଏ ପ୍ରକଳ୍ପ ୩ବର୍ଷ ତଳୁ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ସବୁ ଗାଁକୁ ପାନୀୟଜଳ ପହଞ୍ଚି ପାରିନାହିଁ। ସେହିପରି ୩୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅନ୍ୟ ଏକ ବୃହତ୍ ପାନୀୟଜଳ ପ୍ରକଳ୍ପ ଏଯାଏଁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ମଧ୍ୟ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପିଇବା ପାଣି ପାଇଁ ଲୋକେ କଲବଲ ହେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିରବତା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
୮୯% ବିଲ୍ ଦେଇ ବିଭାଗ ନିରବ
୫ ବର୍ଷ ବିତିଲା, ସରିଲାନି ପାଇପ୍ ବିଛା
୨୦୧୯ରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ କାଳୀଆମ୍ବ ନିକଟରେ ଆରମ୍ଭ ହୋଇଥିଲା ବୃହତ୍ ପାନୀୟଜଳ ପ୍ରକଳ୍ପ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରୁ ୩୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରୁ ୨୦୦ ଗାଁକୁ ପାନୀୟଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଠିକାସଂସ୍ଥା ‘ଏନ୍ସିସି’ ଦ୍ୱାରା ୨୦୨୨ରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ କରୋନା ମହାମାରୀ ଯୋଗୁଁ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଅବଧିକୁ ଆଉ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ୨୦୨୩ ଡିସେମ୍ବରରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା। ଏହି ପ୍ରକଳ୍ପ ପାଇଁ ହଦଗଡ ଡ୍ୟାମ୍ରୁ ପାଣି ଉଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଉକ୍ତ ସ୍ଥାନ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଭିତରେ ଥିବାରୁ ବନ ବିଭାଗର ଅନୁମତି ମିଳିନଥିଲା। ପରେ ବିଦ୍ୟାଧରପୁରସ୍ଥିତ ସାଳନ୍ଦୀ ବ୍ୟାରେଜ୍ରୁ ପାଣି ଆଣିବାକୁ ସ୍ଥିର ହୋଇଥିଲା। ବିଦ୍ୟାଧରପୁର ବ୍ୟାରେଜ୍ରୁ ଚାଷଜମିକୁ ଜଳ ନିଅଣ୍ଟ ପଡ଼ୁଛି। ସେଠାରୁ କିପରି ୨୦୦ ଗ୍ରାମକୁ ଜଳଯୋଗାଣ କରାଯିବ, ତାକୁ ନେଇ ପ୍ରଶ୍ନ ଉଠିଛି।
୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ସରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ମାର୍ଚ୍ଚ ଯାଇ ଡିସେମ୍ବର ସରିବାକୁ ବସିଲାଣି, କାମ ସରୁନି। ଏପଟେ ଠିକାସଂସ୍ଥା ଯେତିକି କାମ କରିଛି, ତା’ଠାରୁ ଢେର ଅଧିକ ୮୯ ପ୍ରତିଶତ ବିଲ୍ ଉଠାଇ ନେଇଛି। ୫ବର୍ଷ ପରେ ବି ଶାସଙ୍ଗ, ବଞ୍ଚୋ, ହାଟଡିହି, ପନ୍ଦାଡ଼ୋ, ମରୈଗାଁ ଭଳି ଅନେକ ବଡ଼ବଡ଼ ଗ୍ରାମରେ ପାଇପ୍ ବିଛା ହୋଇନି। କିଛି ସ୍ଥାନରେ ବିଛା ହୋଇଥିବା ପାଇପ୍ ସବୁ ନଷ୍ଟ ହୋଇଗଲାଣି। ଏଭଳି ସ୍ଥିତିରେ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ଓ ଲୋକଙ୍କୁ ପାଣି ମିଳିବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ, ବିଭିନ୍ନ ଗ୍ରାମକୁ ପରୀକ୍ଷାମୂଳକ ଭାବେ ଜଳଯୋଗାଣ କରାଯାଇଛି। ଯେଉଁ ଗ୍ରାମରେ ପାଇପ୍ ବିଛା ହୋଇନି, ଧାନକଟା ସରିବା ପରେ ହେବ ବୋଲି କହିଛନ୍ତି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଏଠାରେ କାମ କରୁଥିବା ଠିକାସଂସ୍ଥା ତା’ର କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବାରୁ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ, ତାକୁ ନେଇ ପ୍ରଶ୍ନ ଉଠିଛି।




