ରାଜ୍ୟ

ପରୀକ୍ଷାରେ ଅନିୟମିତତା ପାଇଁ କଠୋର ହେଲେ ସରକାର: ୧୦ବର୍ଷ ଜେଲ୍‌, କୋଟିଏ ଜରିମାନା

ଭୁବନେଶ୍ବର: ପୂର୍ବ ସରକାର ଅକୁଣ୍ଠିତ ଜନ ସମର୍ଥନ ଓ ନିରଙ୍କୁଶ ଶାସନର ସୁଯୋଗ ପାଇଥିଲା। କିନ୍ତୁ ଓଡ଼ିଶାକୁ ଛଳନା ଓ ପ୍ରତାରଣାର ଲାବୋରେଟୋରିରେ ପରିଣତ କରିଦେଇଥିଲା। ୨୫ବର୍ଷର ସରକାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିଲା। ନିଯୁକ୍ତି ପ୍ରକ୍ରିୟା ସ୍ବଚ୍ଛ ଓ ପାରଦର୍ଶୀ ଥିଲା ବୋଲି କେହି ଦମ୍ଭରେ କହିପାରିବେନି। ପ୍ରଶ୍ନପତ୍ର ପ୍ରଘଟ, ମୌଖିକ ପରୀକ୍ଷାରେ ପାତରଅନ୍ତର ହେବା, ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା ନହେବା, ପରୀକ୍ଷାରେ ଲାଞ୍ଚ କାରବାର ହେବା ଭଳି ଅନେ ଅନିୟମିତତା ଘଟଣା ପୂର୍ବ ସରକାରରେ ଏକ ସାଧାରଣ ଘଟଣା ଥିଲା। ସରକାରୀ ଅଧିକାରୀମାନେ ଚାକିରି ରୢାକେଟ୍‌ରେ ସଂପୃକ୍ତ ଥିଲେ। ସଚିବାଳୟରେ ଏଏସ୍‌ଓ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞପ୍ତି ପ୍ରକାଶ ପାଇଲା ସେତେବେଳେ ହୁଣ୍ଡା ମୂଲ୍ୟରେ ପିଲାଙ୍କୁ ଡକାଯାଉଥିଲା। ଏଏସ୍‌ଓ ଚାକିରି ୨୫ରୁ ୩୦ଲକ୍ଷ ଟଙ୍କାରେ ନିଲାମ ହେଉଥିଲା। ହେଲେ ଗତ ସରକାରରେ ହୋଇଥିବା ଅପରାଧର ଇତି ହୋଇସାରିଛି। ଆମ ପିଲାଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ଭଲ ପାଠ ପଢ଼ୁଥିବା, ପରିଶ୍ରମୀ ପିଲା ଯେପରି ନିରପେକ୍ଷ ନିଯୁକ୍ତି ପ୍ରକ୍ରିୟାରେ ସାମିଲ୍ ହେବେ ସେଥିପାଇଁ ଆମ ସରକାର କଠୋର ଆଇନ ଆଣିଛନ୍ତି।

ବିଧାନସଭାରେ ବିଲ୍‌ ପାରିତ ହେଲା
ପୂର୍ବ ସରକାର ୨୫ରୁ ୩୦ଲକ୍ଷ ଟଙ୍କାରେ ଏଏସ୍‌ଓ ଚାକିରି ନିଲାମ କରୁଥିଲେ: ମୁଖ୍ୟମନ୍ତ୍ରୀ
ତରବରିଆ ପ୍ରସ୍ତୁତ ହୋଇଛି ବିଲ୍‌, ସ୍ପଷ୍ଟତା ନାହିଁ: ବିରୋଧୀ

ଆଜି ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୁଚିତ ସାଧନର ନିବାରଣ) ବିଲ୍‌, ୨୦୨୪କୁ ଉପସ୍ଥାପନ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହିଭଳି ଢଙ୍ଗରେ ପୂର୍ବର ବିଜେଡି ସରକାର ଉପରେ ଏମିତି ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ କ୍ଷେତ୍ରରେ ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାଣୁ କରିଦେଇଥିବା ପୂର୍ବ ସରକାରଙ୍କ ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। କେବଳ ନିଯୁକ୍ତି କିମ୍ବା ବୈଷୟିକ ଶିକ୍ଷା ନୁହେଁ, ଏ ପ୍ରକ୍ରିୟା କିଭଳି ପାରଦର୍ଶୀ ହେବ, ତା’ର ପରିଣାମ ଆଜିର ଏହି ବିଧେୟକ। ଏହି ବିଧେୟକ ଆଇନ୍‌ରେ ପରିଣତ ହେବା ମାତ୍ରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ। ଏଥିରେ ଯଦି କେହି ପ୍ରଶ୍ନପତ୍ର ପ୍ରଘଟ, ପରୀକ୍ଷା ପରିଚାଳନା‌ରେ ଅନିୟମିତତା ଆଦି ଅପରାଧରେ ସଂପୃକ୍ତ ଥିବା ପ୍ରମାଣିତ ‌ହୁଏ ତେବେ ଅତି କମ୍‌ରେ ୩ବର୍ଷରୁ ଆରମ୍ଭ କରି ୫ବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ। ସେବା ଯୋଗାଣକାରୀ ମଧ୍ୟ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ। ସେବା ଯୋଗାଣକାରୀଙ୍କ ଠାରୁ ମଧ୍ୟ ପରୀକ୍ଷା ପରିଚାଳନାର ସମସ୍ତ ଅର୍ଥ ଆଦାୟ ହେବା ସହ ୪ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଂଚାଳନ ପାଇଁ ଅନୁମତି ମିଳିବନି। ସଂଗଠିତ ଅପରାଧ ହୋଇଥିଲେ ଏଥିରେ ସଂପୃକ୍ତ ସମସ୍ତ ବ୍ୟକ୍ତି, ଅନୁଷ୍ଠାନକୁ ୫ବର୍ଷରୁ ୧୦ବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ୧କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ। ସରକାର ଆଗାମୀ ଦିନରେ ଦେଢ଼ ଲକ୍ଷ ନିଯୁକ୍ତି ଦେବାକୁ ଥିବାରୁ ଏହା ସହାୟକ ହେବ।

ଏହି ବିଲ୍‌କୁ ବିରୋଧ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ବିଲ୍‌ଟି ତରବରିଆ ଭାବେ ପ୍ରସ୍ତୁତ ହୋଇଛି। ଏଥିରେ ବହୁତ ନିୟମ ଅଭାବ ଅଛି। ତେଣୁ ଏହାକୁ ଆଗାମୀ ଅଧିବେଶନକୁ ପଠାଯାଉ। ସେହିପରି ମୁଖ୍ୟମନ୍ତ୍ରୀ ଯଦି କହୁଛନ୍ତି ୨୫ରୁ ୩୦ଲକ୍ଷ ଟଙ୍କା ନେଇ ଏଏସ୍‌ଓଙ୍କୁ ଚାକିରି ଦିଆଯାଇଛି ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ବସିଲା ଭଳି କାହିଁକି ଏମିତି କହୁଛନ୍ତି। ବିଲ୍‌ଟି ଓଡ଼ିଶା ପରିପ୍ରେକ୍ଷୀରେ ହୋଇନାହିଁ। ବରଂ କେନ୍ଦ୍ର ସରକାରଙ୍କ ବିଲ୍‌କୁ ନକଲ କରାଯାଇଛି। ଏଥିରେ ଚାର୍ଜସିଟ୍ କେବେ ଦାଖଲ ହେବ, କେବେ ସୁଦ୍ଧା ଦଣ୍ଡବିଧାନ ହେବ ସେନେଇ କିଛି ସ୍ପଷ୍ଟ ହୋଇନି। ଏହା ଏକ ଦନ୍ତହୀନ ବାଘ ଭଳି ଆଇନ ନହେଉ। ସେହିପରି ବିଧାୟକ ଗଣେଶ୍ବର ବେହେରା କହିଥିଲେ ଯଦି ସରକାର ଏହି ଆଇନକୁ ଲାଗୁ କରିବାକୁ ତରବର ତେବେ କେଉଁ ତାରିଖରୁ ଲାଗୁ କରିବେ ତାହା କହିଁକି ନିର୍ଦ୍ଦିଷ୍ଟ ଭାବେ କହୁନାହାନ୍ତି। ପୂର୍ବ ସରକାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିଲେ ତୁରନ୍ତ ପରୀକ୍ଷା ବାତିଲ୍ କରି ପୁଣି ପରୀକ୍ଷା କରୁଥିଲେ। ଅନିୟମିତତା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବିଲ୍‌କୁ ବିରୋଧ କରି କହିଥିଲେ, ଏହି ବିଲ୍‌ଟି ତରବରିଆ ଭାବେ ଅଣାଯାଇଥିବାରୁ ଏଥିରେ ବ୍ୟାପକ ସଂଶୋଧନ ହେବା ଆବଶ୍ୟକ। ଏଥିପାଇଁ ଏହାକୁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଯାଉ। ବିଲ୍‌କୁ ସମର୍ଥନ କରି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଥିଲେ, ପୂର୍ବ ସରକାରରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିଲା। ଏବେ ଏଥିରେ ବ୍ୟାପକ ସଂଶୋଧନ ଅଣାଯାଇଛି। ବିଧାୟକ ପଦ୍ମଲୋଚନ ପଣ୍ଡା ଓ ଆକାଶ ଦାସନାୟକ ସମର୍ଥନ କରିଥିଲେ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଣେଶ୍ବର ବେହେରା ଓ ରାମଚନ୍ଦ୍ର କାଡ଼ାମ ଏହି ବିଲ୍‌ର ବିଭିନ୍ନ ଉପଧାରାରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଥିଲେ ହେଁ ଏହା କାଟ୍‌ ଖାଇଥିଲା। ଏହାପରେ ବାଚନିକ ଭୋଟ୍‌ରେ ବାଚସ୍ପତି ଏହି ବିଲ୍‌କୁ ପାରିତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button