ରାଜ୍ୟ

ଏସିଏଫ୍‌ଙ୍କ ଘରୁ ବାହାରିଲା ନଗଦ ୧୪.୭୧ ଲକ୍ଷ ଟଙ୍କା

ସମ୍ୱଲପୁର: ହୀରାକୁଦ ବନ୍ୟପ୍ରାଣୀ ବିଭାଗର ସହଯୋଗୀ ବନସଂରକ୍ଷକ (ଏସିଏଫ) ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଛି। ସମ୍ବଲପୁର ଅଇଁଠାପାଲିରେ ତାଙ୍କର ୧.୮ କୋଟି ଟଙ୍କାର ଭବ୍ୟ ତିନିମହଲା କୋଠା ସହିତ ସମ୍ବଲପୁର, ବରଗଡ଼ ଓ ଭୁବନେଶ୍ବରରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍‌ ଠାବ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ପକ୍ଷରୁ ୯ଟି ସ୍ଥାନରେ ଚଢ଼ାଉ ବେଳେ ନଗଦ ୧୪.୭୧ ଲକ୍ଷ ଟଙ୍କା ସହିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ମଧ୍ୟ ମିଳିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି। ତାଙ୍କ ମାଲିକାନାରେ ଥିବା ସମ୍ପତ୍ତିର ତାଲିକା ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ସୂଚନା ଦେଇଛି।

ଯାଞ୍ଚ ବେଳେ ଭିଜିଲାନ୍ସ ପ୍ରଥମେ ତାଙ୍କ ଅଇଁଠାପାଲିସ୍ଥିତ ରାଜକୀୟ କୋଠାରେ ପହଞ୍ଚିଥିଲା। ୩ ମହଲା ବିଶିଷ୍ଟ ଏହି କୋଠାଟି ୯୭୦୦ ବର୍ଗଫୁଟ୍‌ ଜାଗାରେ ତିଆରି କରାଯାଇଛି। ଏହାସହିତ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତା ମାଲିପାଲିରେ ଥିବା ତାଙ୍କର ଏକ ବଡ଼ ବ୍ୟାବସାୟିକ କୋଠାକୁ ସେ ଭଡ଼ା ସୂତ୍ରରେ ଦେଇଛନ୍ତି। ବରଗଡ଼ ଜିଲ୍ଲା ପଦମପୁରରେ ମଧ୍ୟ ତାଙ୍କ ନାମରେ ଏକ ବିଶାଳ କୋଠା ରହିଛି। ଏହାଛଡ଼ା ତାଙ୍କ ନାଁରେ ଭୁବନେଶ୍ବର ଘାଟିକିଆସ୍ଥିତ ସତ୍ୟମ ରୟାଲ ଆପାର୍ଟମେଣ୍ଟରେ ଗୋଟିଏ ୨-ବିଏଚ୍‌କେ ଫ୍ଲାଟ୍‌, ସମ୍ବଲପୁର ସହର ଫାର୍ମରୋଡ୍‌ସ୍ଥିତ ସିଟି ପ୍ରାଇଡ୍‌ ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚ୍‌କେ ଫ୍ଲାଟ୍‌ ଏବଂ ଚର୍ଚ୍ଚ ଛକ ନିକଟ ବ୍ରିଜଧାମ ହାଉସିଂ ସୋସାଇଟିରେ ୨ଟି ୨ ବିଏଚ୍‌କେ ଫ୍ଲାଟ୍‌ ରହିଛି। ସେହିପରି ସମ୍ବଲପୁର ସହରର ମୁଖ୍ୟସ୍ଥଳରେ ୪ଟି ଓ ବରଗଡ଼ ଜିଲ୍ଲା ପଦମପୁରରେ ତାଙ୍କର ୩ଟି ପ୍ଲଟ୍‌ ରହିଛି। ଏହି ସବୁ ଅଞ୍ଚଳ ସହିତ ବରଗଡ଼ ଜିଲ୍ଲା ବିଜେପୁର ବଳନ୍ଦା ଗାଁରେ ତାଙ୍କ ପୈତୃକଘର, ଡିୟରପାର୍କସ୍ଥିତ ସରକାରୀ କ୍ବାର୍ଟର୍ସ ଏବଂ ସମ୍ବଲପୁରସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା।

ନଗଦ ୧୪.୭୧ ଲକ୍ଷ ଟଙ୍କା ସହିତ ୧୫୦ ଗ୍ରାମର ସୁନା ଅଳଙ୍କାର, ୩୦୦ ଗ୍ରାମର ରୁପା ଅଳଙ୍କାର, ୩୧ ଲକ୍ଷ ୩୧ ହଜାର ୮୪୯ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ଗୋଟିଏ ଦୁଇଚକିଆ ଗାଡ଼ି ଏବଂ ୯.୧୩ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ ହୋଇଛି। ଭିଜିଲାନ୍ସର ବୈଷୟିକ ଟିମ୍‌ ସମ୍ପତ୍ତି ଆକଳନ ଜାରି ରଖିଥିବା ବେଳେ ଆୟବହିର୍ଭୂତ ସମ୍ପତ୍ତି ବାବଦରେ ରେବତୀରମଣଙ୍କୁ ପଚରାଉଚରା କରୁଛି। ଭିଜିଲାନ୍ସର ୯ଟି ଟିମ ଚଢ଼ଉରେ ଅଂଶଗ୍ରହଣ କରିଥିବାବେଳେ ଏଥିରେ ୩ ଡିଏସ୍‌ପି, ୧୦ ଇନ୍ସପେକ୍ଟର ଓ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ। ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଅଂଶୁପ୍ରଜ୍ଞା କହିଛନ୍ତି, ଏସିଏଫ୍‌ ଆଜି କାର୍ଯ୍ୟାଳୟ ଆସିନଥିଲେ। କିନ୍ତୁ ତାଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ଉ ଏବଂ ଜବତ ସମ୍ପତ୍ତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଏହା ଜାଣିବା ପରେ ତାଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି ହେବ।

!

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button