ରାଜ୍ୟ

ପ୍ରାଣଘାତୀ ସାଜିଛି ମାଞ୍ଜା ସୂତା: ଗୋଟିଏ ଦିନରେ ଦୁଇ ଆହତ

ଖଣ୍ଡଗିରି: ପ୍ରାଣଘାତୀ ସାଜିଛି ମାଞ୍ଜା ସୂତା। ଯେତେ କଟକଣା ହେଲେ ବି କେହି ମାନୁ ନାହାନ୍ତି। ଯେଉଁଥିପାଇଁ ଅଘଟଣ ବଢ଼ିବାରେ ଲାଗିଛି। ମକର ସଂକ୍ରାନ୍ତି ଅବ୍ୟବହିତ ପୂର୍ବରୁ ମାଞ୍ଜା ସୂତା ଲାଗି ଗୋଟିଏ ଦିନରେ ଦୁଇ ଜଣ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଉଭୟ ଅଘଟଣ ଜାତୀୟ ରାଜପଥରେ ଘଟିଛି। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ଟାରେ ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଭରତଭୂଷଣ ପଟ୍ଟନାୟକ ତମାଣ୍ଡୋରୁ ଭୁବନେଶ୍ବର ଫେରୁଥିଲେ। ବରମୁଣ୍ଡା ଜାତୀୟ ରାଜପଥ ଫ୍ଲାଏଓଭର‌ରେ ଗୁଡ଼ିର ମାଞ୍ଜା ସୂତା ତାଙ୍କ ମୁହଁରେ ଲାଗିଥିଲା। ଫଳରେ ତାଙ୍କ ଦୁଇ ଆଖି ଓ ନାକରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଥିଲା। ଚଷମା ପିନ୍ଧିଥିବାରୁ ଯଦିଓ ଆଖି ବଞ୍ଚି ଯାଇଥିଲା; ତଥାପି ଜାତୀୟ ରାଜପଥରେ ହଠାତ୍‌ ଗାଡ଼ି ଅଟକାଇ ଦେବାରୁ ପଛପଟୁ ବଡ଼ଗାଡ଼ି ଧକ୍କା ଦେବା ସମ୍ଭାବନା ସୃଷ୍ଟି ହୋଇଥିଲା। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଗୋଟିଏ ଘଟଣା ନୁହେଁ, ଭରତଭୂଷଣଙ୍କ କିଛି ସମୟ ପୂର୍ବରୁ ୧ ନମ୍ବର ହାଟ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କର ମଧ୍ୟ ମାଞ୍ଜା ସୂତା ଲାଗି ନାକ କଟିଯାଇଥିଲା। ତାଙ୍କ ନାକରେ ୬ଟି ଷ୍ଟିଚ୍‌ ପଡ଼ିଥିଲା। ମକର ସଂକ୍ରାନ୍ତି ପୂର୍ବରୁ ଗୋଟିଏ ଦିନରେ ଏଭଳି ଦୁଇଜଣ ଆହତ ହେବା ଘଟଣା ରାଜଧାନୀରେ ଆତଙ୍କ ଖେଳାଇ ଦେଇଛି।

ଶ୍ରୀ ପଟ୍ଟନାୟକଙ୍କ କହିବାନୁଯାୟୀ ସୂତା ଲାଗିଯିବା ପରେ ମୁଁ ଗାଡ଼ିରୁ ପଡ଼ିଯିବା ଭଳି ସ୍ଥିତି ହୋଇଥିଲା। ଗାଡ଼ି ଧିମା ଥିବାରୁ ବଞ୍ଚି ଯାଇଥିଲି। ଖାଲି କଟକଣା କଲେ ହେବ ନାହିଁ। ରାସ୍ତା ଉପରେ ଗୁଡ଼ି ଉଡ଼ାଇବା ଦେଖିଲେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ମାଞ୍ଜାସୂତା ବିକ୍ରି କଟକଣାକୁ କଡ଼ାକଡ଼ି କରାଯିବା ଆବଶ୍ୟକ। ଖଣ୍ଡଗିରି ଅଞ୍ଚଳର ଫଗୁନାଥ ସାହୁ କହିଛନ୍ତି, ୨୦୨୧ରେ ମାଞ୍ଜା ସୂତା ବେକରେ ଲାଗି କଟକ ଜିଲ୍ଲାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ଉଦାହରଣ ରହିଛି। ମାଞ୍ଜ‌ା ସୂତା ବାଇକ ଆରୋହୀଙ୍କ ପାଇଁ ସବୁଠାରୁ ଅଧିକ ବିପଦ ହୋଇଛି। ଗୁଡ଼ି କିଏ କେଉଁଠି ଉଡ଼ାଇଲା ଧରିବା କଷ୍ଟକର। କିନ୍ତୁ ମାଞ୍ଜା ସୂତା ବିକ୍ରି ୧ବନ୍ଦ କରିବାରେ ପ୍ରଶାସନକୁ କୌଣସି ସମସ୍ୟା ନାହିଁ। ଏଣୁ ବଡ଼ ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ବରମୁଣ୍ଡା ଅଞ୍ଚଳର ସୁକନ୍ୟା ମହାନ୍ତି ମଧ୍ୟ ଅନୁରୂପ ଦାବି କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button