ଭଲ ରାସ୍ତା ଭାଙ୍ଗିଦେଲେ: କଂକ୍ରିଟ୍ ଉପରେ ପେଭରବ୍ଲକ୍
ଭୁବନେଶ୍ୱର: ଦୁର୍ନୀତି ପାଇଁ ନୂଆ ବାଟ ଖୋଲିଛି ବିଏମ୍ସି ଇଞ୍ଜିନିୟର। ନୂଆ ରାସ୍ତା ଖୋଳି କଂକ୍ରିଟ୍ ଉପରେ ପେଭରବ୍ଲକ୍ ପକାଉଛନ୍ତି। ଇଞ୍ଜିନିୟର ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ହଡ଼ପ୍ ହେଉଛି। କେବଳ ରାଜସ୍ବ ହଡ଼ପ୍ ହେଉନାହିଁ ବରଂ ପେଭରବ୍ଲକ୍ର ଦ୍ବାରା ଭୂତଳ ଜଳ ସଂରକ୍ଷଣର ଉଦ୍ଦେଶ୍ୟ ପୂରଣ ହେଉନାହିଁ। ବିଏମ୍ସିରେ ଅର୍ଥ ନଥିବାରୁ ଜନହିତକର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି। କିନ୍ତୁ ଏଭଳି ହରିଲୁଟ୍କୁ କିଭଳି ଜନପ୍ରତିନିଧି ଆଖି ବୁଜିଦେଇଛନ୍ତି ସେ ନେଇ ପ୍ରଶ୍ନ ଉଠିଛି।
୬୦ ନମ୍ବର ୱାର୍ଡ ହାଟସାହି ରାସ୍ତାରେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏହି ରାସ୍ତା କାମ ପାଇଁ ଗତ ଫେବ୍ରୁଆରି ମାସରେ ବିଏମ୍ସି ଟେଣ୍ଡର କରିଥିଲା। କିନ୍ତୁ ୧୦ ମାସେ ପରେ କାମ ଆରମ୍ଭ ହେଉଛି। ପାଣି ପାଇପ୍ ପାଇଁ ଖୋଳା ଯାଇଥିବା କେତେକ ସ୍ଥାନକୁ ଛାଡ଼ି ଦେଲେ ସମଗ୍ର ରାସ୍ତାରେ କୌଣସି ସମସ୍ୟା ନଥିଲା। କିନ୍ତୁ ଏହାର ଟେଣ୍ଡର ହେବା ସହ ବିଳମ୍ବରେ କାମ ଆରମ୍ଭ ହେଲା। ମେସିନ୍ ଲଗାଇ କଂକ୍ରିଟ୍ ରାସ୍ତାକୁ ତାଡ଼ି ଦେବା ପରେ ବାଲି ଫିଲିଂ ହେଲା। ୪୦୦ ମିଟର ଲମ୍ବା ରାସ୍ତାର ଖର୍ଚ୍ଚ ଅଟକଳ ୬୦ ଲକ୍ଷ ଟଙ୍କା ରହିଛି। କାମ ଦେଖିବା ପାଇଁ ବିଏମ୍ସିର ଇଞ୍ଜିନିୟର ନାହାନ୍ତି। ଯାହାର ଫାଇଦା ନେଇ ଠିକାଦାର ମନଇଚ୍ଛା କାମ କରୁଛି। ୧୦ କୁଣ୍ଡ ଗୋଡ଼ି, ୭ କୁଣ୍ଡ ବାଲି ଓ ଅଧବସ୍ତା ସିମେଣ୍ଟରେ କଂକ୍ରିଟ ହେଉଛି। ରାସ୍ତା ଖୋଳା ଯିବାର କାରଣ ହେଲା କଂକ୍ରିଟ୍ ଉଠାଯାଇ ପେଭର ବ୍ଲକ୍ ପଡ଼ିବ। ଫଳରେ ସହଜରେ ବର୍ଷା ପାଣି ମାଟି ତଳକୁ ଯାଇପାରିବ। ଆଶ୍ଚର୍ଯ୍ୟର କଥା ହେଉଛି ବାଲି ଉପରେ କଂକ୍ରିଟ୍ ଢଳେଇ କରାଯାଇ ତା ଉପରେ ପେଭର ବ୍ଲକ୍ ପକାଯିବ। ପେଭରବ୍ଲକ୍ ଯେଭଳି ଦବିବନି ସେଥିପାଇଁ ଏଭଳି ସୁଚିନ୍ତିତ ଯୋଜନା ହୋଇଛି। ୬୦ ଲକ୍ଷ ଟଙ୍କା ଯେଭଳି ଖର୍ଚ୍ଚ ହେବ, ଆବଶ୍ୟକ ପଡ଼ିଲେ ତା’ ଠାରୁ ଅଧିକ ବିଲ୍ ହେବ ସେ ନେଇ ଇଞ୍ଜିନିୟର-ଠିକାଦାର ଯେଜାନା କରିଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ବିଏମ୍ସି ସବ୍ଡିଭିଜନ-୩ର ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କିଛି କହିବାକୁ ଚାହିନାହାନ୍ତି। ସ୍ଥାନୀୟ କର୍ପୋରେଟର ଚନ୍ଦ୍ରଶେଖର ମଲିଆ କହିଛନ୍ତି ରାସ୍ତା ଖରାପ ଥିବାରୁ ନିର୍ବାଚନ ପୂର୍ବରୁ ଟେଣ୍ଡର ହୋଇଥିଲା। ଏବେ ଯଦି କାମ ଖରାପ ହେଉଛି ତେବେ ଇଞ୍ଜିନିୟରଙ୍କ ନିକଟରେ ଅଭିଯୋଗ କରାଯିବ।