IBN ଓଡ଼ିଶା ବ୍ୟୁରୋ

ଅତଳ ସମୁଦ୍ରରେ ବିରଳ ଆବିଷ୍କାର

ଦକ୍ଷିଣ ଭାରତ ମହାସାଗରର ଅଗଭୀର ସମୁଦ୍ର ଶଯ୍ୟାରେ ଭାରତୀୟ ବୈଜ୍ଞାନିକମାନେ ଏକ ବିରଳ କୃତି ହାସଲ କରିଛନ୍ତି। ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ୍ ଟେକ୍ନୋଲୋଜି (ଏନ୍‌ଆଇଓଟି) ଓ ନେସ୍‌ନାଲ୍‌ ସେଣ୍ଟର ଫର୍‌ ପୋଲାର୍‌ ଆଣ୍ଡ୍‌ ଓସେନ୍‌ ରିସର୍ଚ୍ଚ (ଏନ୍‌ସିପିଓଆର୍‌)ର ବୈଜ୍ଞାନିକମାନେ ଦକ୍ଷିଣ ଭାରତ ମହାସାଗରର କେନ୍ଦ୍ରୀୟ ଓ ଦକ୍ଷିଣ-ପଶ୍ଚିମ ତଟସ୍ଥ ୪,୫୦୦ ମିଟର ସମୁଦ୍ର ପତ୍ତନ ତଳେ ଏକ ହାଇଡ୍ରୋଥର୍ମାଲ୍‌ ସଲଫାଇଡ୍‌ କ୍ଷେତ୍ରର ଫଟୋଚିତ୍ର ଉତ୍ତୋଳନ କରିପାରିଛନ୍ତି। ସାମୁଦ୍ରିକ ଗବେଷଣା ଜାହାଜ ‘ସାଗର ନିଧି’ ମାଧ୍ୟମରେ ଚଳିତ ମାସରେ ସଂପୃକ୍ତ ଇଲାକାରେ ସେମାନଙ୍କ ଦ୍ବାରା ସଂଗଠିତ ଏହି ଅଭିଯାନ ସମୁଦ୍ର-ବିଜ୍ଞାନ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଏନ୍‌ଆଇଓଟି ଦ୍ବାରା ବିକଶିତ ‘ଓସେନ୍‌ ମିନେରାଲ୍‌ ଏକ୍ସପ୍ଲୋରର୍‌’ (ଓଏମ୍‌ଇ ୬୦୦୦) ନାମକ ସ୍ବୟଂକ୍ରିୟ କ୍ଷୁଦ୍ର ବୁଡ଼ାଜାହାଜ ସାହାଯ୍ୟରେ ସେମାନେ ଗଭୀର ସମୁଦ୍ର ଶଯ୍ୟାରେ ସଂପୃକ୍ତ ଜଳ-ତାପଜ ଗବାକ୍ଷର ଫଟୋଚିତ୍ର ଉତ୍ତୋଳନ କରିବା ସହ ତତ୍‌ ସମ୍ପର୍କିତ ବିଶଦ ତଥ୍ୟ ମଧ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି।

ଆମ ଦେଶର ବୈଜ୍ଞାନିକମାନେ ଦକ୍ଷିଣ ଭାରତ ମହାସାଗର ପତ୍ତନରୁ ୪,୫୦୦ ମିଟର ତଳେ ଏକ ହାଇଡ୍ରୋଥର୍ମାଲ୍‌ ସଲ୍‌ଫାଇଡ୍‌ କ୍ଷେତ୍ରର ଫଟୋ ଉଠାଇବାର ବିରଳ ସଫଳତା ହାସଲ କରିଛନ୍ତି

ଉଲ୍ଲେଖଯୋଗ୍ୟ, ସଂପୃକ୍ତ ଗବାକ୍ଷଗୁଡ଼ିକ ଧାରଣ କରିଥିବା ଅନନ୍ୟ ପର୍ଯ୍ୟାବରଣ ପ୍ରଣାଳୀ ଓ ଗଚ୍ଛିତ ଖଣିଜ ପଦାର୍ଥ ଉଭୟ ବୈଜ୍ଞାନିକ ଗବେଷଣା ଓ ସମ୍ଭାବ୍ୟ ସମ୍ବଳ ଉତ୍ତୋଳନ ପାଇଁ ବିଶେଷ ଗୁରୁତ୍ବ ବହନ କରୁଛି। ମହାସାଗରୀୟ ସମ୍ବଳ ଓ ଜୈବବିବିଧତାର ପରିବର୍ଦ୍ଧିତ ନିରୀକ୍ଷଣ ଲାଗି ଉଦ୍ଦିଷ୍ଟ ଭାରତର ବ୍ୟାପକ ‘ଡିପ୍‌ ଓସେନ୍‌ ମିସନ୍‌’ର ଅଂଶବିଶେଷ ଏହି ଅଭିଯାନ ସ୍ଥାୟୀ ସଂସାଧନ ଆହରଣ ପାଇଁ ଜ୍ଞାନକୌଶଳ ବିକଶିତ କରିପାରିବ ବୋଲି ଆଶା କରାଯାଉଛି। ଏହି ଆବିଷ୍କୃତ ଗଭୀର ସଲ୍‌ଫାଇଡ୍‌ କ୍ଷେତ୍ରରେ ସ୍ବର୍ଣ୍ଣ, ରୌପ୍ୟ ଓ ତାମ୍ର ଆଦି ମୂଲ୍ୟବାନ ଖଣିଜ ଭଣ୍ଡାର ଥିବାର ସମ୍ଭାବନା ରହିଛି। ଏହି ଆବିଷ୍କାର ଭାରତର ‘ଲକ୍ଷ୍ୟ-୨୦୪୭’ର ଉଦ୍ଦେଶ୍ୟ ସାଧନ କରିପାରିବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ଭାରତର ଏହି ଗଭୀର ସମୁଦ୍ର ତଳ ଅଭିଯାନ ଓ ଗବେଷଣା ଦେଶର ଉନ୍ନତ ଜ୍ଞାନକୌଶଳକୁ ପ୍ରମାଣିତ କରିଛି ଏବଂ ଅନୁରୂପ ଅଭିଯାନ ପାଇଁ ସକ୍ଷମ ହାତଗଣତି ରାଷ୍ଟ୍ରଙ୍କ ଗହଣରେ ନିଜକୁ ସାମିଲ କରିଛି। ତେବେ ବିରଳ ତଥା ଜଟିଳ ସାମୁଦ୍ରିକ ପର୍ଯ୍ୟାବରଣ ପ୍ରଣାଳୀକୁ ଉନ୍ମୋଚନ କରିଥିବା ଭାରତର ଏହି ସଫଳ ଅଭିଯାନ ଆଗକୁ ସମୁଦ୍ର ପତ୍ତନରୁ ୬,୦୦୦ ମିଟର ତଳେ ହେବାକୁ ଥିବା ପରବର୍ତ୍ତୀ ‘ସମୁଦ୍ରାୟନ ମିସନ୍‌’ ପାଇଁ ଭିତ୍ତିଭୂମି ପକାଇଛି ବୋଲି ଉକ୍ତ ଅଭିଯାନ ସହ ଜଡ଼ିତ ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button