ଲିଙ୍ଗରାଜଙ୍କଠି ଲାଗୁନି ବାବୁଙ୍କ ମନ: ସମସ୍ୟାର ସମାଧାନ କରିବାକୁ କାହାରି ଆଗ୍ରହ ନାହିଁ

ପୁରୁଣା ଭୁବନେଶ୍ବର: ଦଶନ୍ଧି ଦଶନ୍ଧି ବିତୁଛି। ହେଲେ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ସେବାପୂଜା ବ୍ୟବସ୍ଥିତ ହୋଇପାରୁନି। ମନ୍ଦିର ସୁରକ୍ଷାଠାରୁ ଆରମ୍ଭ କରି ନୀତିକାନ୍ତି ସବୁ କ୍ଷେତ୍ରରେ ଅବହେଳା ଚରମସୀମାରେ। ନିଯୋଗ-ନିଯୋଗ ମଧ୍ୟରେ ବିବାଦ ପ୍ରଭୁଙ୍କ ଭୋକ ଉପାସରେ ରଖୁଛି। ଶହ ଶହ ଏକର ମୂଲ୍ୟବାନ ଜମି ଜବରଦଖଲରେ। ଏଭଳି ମାଳମାଳ ଯାବତୀୟ ସମସ୍ୟା ଥିଲେ ହେଁ ପ୍ରଭୁ ଲିଙ୍ଗରାଜଙ୍କ ସେବା ପାଇଁ ସରକାର ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି କରୁନାହାନ୍ତି। ଅତିରିକ୍ତ ଦାୟିତ୍ବରେ ଯେଉଁ ବାବୁ ରହୁଛନ୍ତି ସେମାନଙ୍କର ଦିଅଁଙ୍କ ସେବା ପୂଜା ପାଇଁ କାହିଁକି କେଜାଣି ମନଲାଗୁନି। ମନ୍ଦିରର ଭଲ ମନ୍ଦ ବୁଝିବା ଏବଂ ସମସ୍ୟାର ସମାଧାନ ପାଇଁ ପ୍ରତିମାସରେ ଟ୍ରଷ୍ଟବୋର୍ଡ ବୈଠକ ବସିବାର ନିୟମ ରହିଛି। ହେଲେ ୫ ମାସ ହେବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିନାହିଁ। କୌଣସି ପ୍ରସଙ୍ଗରେ ସରକାରୀ ବାବୁ କିମ୍ବା ସରକାର ଅକଳରେ ପଡ଼ିଲେ କେବଳ ଜରୁରୀ ବୈଠକ ଡକାଯାଉଛି। ଏବାବଦରେ ଦେବତ୍ତୋର ବିଭାଗର ମଧ୍ୟ ନଜର ନାହିଁ। ବୈଠକରେ ଆଲୋଚନା ନହେବାରୁ ଅନେକ ସମସ୍ୟାର ସମାଧାନ ହୋଇପାରୁନାହିଁ। ମୂଳକଥା ହେଲା, ଶ୍ରୀ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ତାଙ୍କ ଅଧ୍ୟକ୍ଷତାରେ ହିଁ ଟ୍ରଷ୍ଟବୋର୍ଡ ବୈଠକ ବସେ। ହେଲେ ତାଙ୍କ ପାଖରେ ଦିଅଁଙ୍କ ସେବା ପାଇଁ ଆବଶ୍ୟକ ସମୟ ନାହିଁ।
ଟ୍ରଷ୍ଟବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି ଭୁବନେଶ୍ବରର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ମହାନ୍ତି। ତାଙ୍କ ପୂର୍ବରୁ ଯେଉଁମାନେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ରହୁଥିଲେ ସେମାନେ ମଧ୍ୟ ଏହି ପଦରେ ରହୁଥିଲେ। ନିର୍ବାହୀ ଅଧିକାରୀ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ବସିନ୍ତି ନାହିଁ। ଅତିଥି ଭଳି ମାସକୁ ଥରେ ଦୁଇ ଥର ଆସନ୍ତି। କୌଣସି କାମ ପାଇଁ ମନ୍ଦିର କାର୍ଯ୍ୟାଳୟର କର୍ମଚାରୀ ଫାଇଲ୍ ଧରି ବାବୁଙ୍କ ଦସ୍ତଖତ ପାଇଁ ଯାଉଛନ୍ତି। ସ୍ଥାୟୀ କାର୍ଯ୍ୟନିର୍ବାହୀ ନଥିବାରୁ ମନ୍ଦିରର ସମସ୍ୟାକୁ ଠିକ୍ ଭାବେ ଅନୁଧ୍ୟାନ କରାଯାଉ ନାହିଁ କି ଲାଗି ରହିଥିବା ସମସ୍ୟାର ସମାଧାନ ହେଉନାହିଁ। ଏହାକୁ ନେଇ ସମସ୍ତ ନିଯୋଗ, ସେବାୟତ, ପୁରୁଣା ଭୁବନେଶ୍ବରବାସୀ, ବୁଦ୍ଧିଜୀବୀ ବାରମ୍ବାର ଦାବି କରି ଆସୁଥିଲେ ହେଁ, ନାଁ ଲିଙ୍ଗରାଜ ଆଇନ ଲାଗୁ ହେଉଛି, ନା ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ହେଉଛି। ଏମିତିକି ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କ୍ଷମତାରେ ଥିବା ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।
ମନ୍ଦିର କାର୍ଯ୍ୟାଳୟରେ ବସୁନାହାନ୍ତି ନିର୍ବାହୀ ଅଧିକାରୀ
ସମସ୍ୟାର ସମାଧାନ କରିବାକୁ କାହାରି ଆଗ୍ରହ ନାହିଁ
ପ୍ରତିମାସରେ ବସିପାରୁନି ଟ୍ରଷ୍ଟ ବୋର୍ଡ ବୈଠକ
ସେବାୟତମାନଙ୍କ ମଧ୍ୟରେ ବେବନ୍ଦୋବସ୍ତ ଜମିକୁ ନେଇ ଅସନ୍ତୋଷ କୁହୁଳୁଛି। ପୂର୍ବରୁ ଏସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇଥିଲା। ଏ ସମସ୍ୟାର ସମାଧାନ ପାଇଁ ମଧ୍ୟ ସେବାୟତଙ୍କୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ବର୍ଷ ବର୍ଷ ଧରି ଏସମସ୍ୟା ସମାଧାନ ହୋଇପାରୁନି। ଟ୍ରଷ୍ଟବୋର୍ଡର ପରିଚାଳନାରେ ତ୍ରୁଟି ଯୋଗୁ ମନ୍ଦିରରେ ଶୃଙ୍ଖଳିତ ଅନେକ ସମୟରେ ହୋଇପାରୁନାହିଁ। ଦୁଃଖର କଥା, ଲିଙ୍ଗରାଜଙ୍କର ଅନେକ ସେବାପୂଜା ବନ୍ଦ ହୋଇଗଲାଣି। କପିଳେଶ୍ବରଙ୍କ ହାଣ୍ଡିଭଙ୍ଗା ଯାତ୍ରାରେ ଲିଙ୍ଗଜରାଜ ଯାଉନାହାନ୍ତି। ସେହିପରି କପିଳେଶ୍ବର ଲିଙ୍ଗରାଜଙ୍କ ୨୨ଦିନ ଚନ୍ଦନ ଯାତ୍ରା ଓ ଶୀତଳ ଷଷ୍ଠିକୁ ଆସୁନାହାନ୍ତି। ବଡ଼ୁ ଓ ପୂଜା ପଣ୍ଡା ନିଯୋଗ ବିବାଦ ଯୋଗୁ ପଇତା ଲାଗି ସେବା ପୂଜା ଏବଂ ଓଢ଼ଣୀ ଷଷ୍ଠିରେ ଅଧିବାସ ପୂଜା ବର୍ଷ ବର୍ଷ ଧରି ହୋଇପାରୁନି। ଲିଙ୍ଗରାଜଙ୍କ ଜମି ଜବରଦଖଲ ଉଚ୍ଛଦ ହେଉନି। ନିକଟରେ ବଡ଼ୁ ନିଯୋଗ ଲିଙ୍ଗରାଜଙ୍କ ଜମି ଜବରଦଖଲ କରି ମାର୍କେଟ ବିଲଡିଂ କଲା। ଏନେଇ ଦେବତ୍ତେରାଙ୍କ କୋର୍ଟରେ ମାମଲା ହେଲା। ହେଲେ ଟ୍ରଷ୍ଟ ବୋର୍ଡର ପରିଚାଳନାଗତ ତ୍ରୁଟି ପାଇଁ ମାମଲା ଗଡ଼ିଲା, ଅନ୍ୟପଟେ ଜବରଦଖଲ ଜମି ଉପରେ ବଡ଼ୁ ନିଯୋଗ କୋଠା କରି ଭଡ଼ାକୁ ଦେଲା। ମନ୍ଦିର ଭିତରକୁ ପଲିଥିନ୍, ମୋବାଇଲ୍, ଜୋତା ତଥା ଅଣହିନ୍ଦୁ ପ୍ରବେଶ ନିଷେଧ। ହେଲେ ଦୁଃଖର କଥା ଏ ସମ୍ପର୍କରେ ଗୋଟିଏ ସୂଚନା ଫଳକ ପ୍ରଶାସନ ଲଗାଇପାରୁନାହିଁ। ମନ୍ଦିର ଭିତରେ ପାନଛେପ ଓ ସିଗାରେଟ୍ ଟାଣିବା ନୀତି ଦିନଆ ଘଟଣା ହେଲାଣି। ସିଗାରେଟ୍ ଟାଣି କିଛି ଦିନ ତଳେ ଜଣେ ଯୁବ ସୋସିଆଲ ମିଡିଆରେ ଛାଡ଼ି ଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ମନ୍ଦିରରେ ଫଟୋ ଉଠାଇବା ବାରଣ କରାଯାଇଛି। ହେଲେ ଖୋଦ୍ ସେବାୟତମାନେ ଯଜମାନଙ୍କ ଫଟୋ ଉଠାଉଛନ୍ତି। ନିକଟରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଫଟୋ ଭାଇରାଲ୍ ପରେ ସଂପୃକ୍ତ ମନ୍ଦିର ସୁପରଭାଇଜରଙ୍କୁ ନୋଟିସ୍ ଦିଆଗଲା। ହେଲେ ମନ୍ଦିର ପ୍ରଶାସନର କୋହଳ ନୀତି ଯୋଗୁଁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସ୍ଆଇ ହାତରେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ମୁଖ୍ୟମନ୍ଦିର ସମେତ ବେଢ଼ାରେ ଥିବା ମନ୍ଦିରମାନ ଦୁର୍ବଳ ହେବାରେ ଲାଗିଛି। ଏମିତି ମାଳ ମାଳ ସମସ୍ୟା ଭିତରେ ଲିଙ୍ଗରାଜଙ୍କ ମନ୍ଦିର ଚାଲିଛି।
ମନ୍ଦିର କାର୍ଯ୍ୟାଳୟରେ ଦୁଇ ଜଣ ଆକାଉଣ୍ଟ, ଜଣେ ଡାଟା ଏଣ୍ଟ୍ରି ଅପରେଟର ଓ କିଛି ହାତଗଣତି କର୍ମଚାରୀଙ୍କ ଭରଷାରେ ଚାଲିଛି। ଫଳରେ ଲିଙ୍ଗରାଜଙ୍କ ଜମି ଉପରେ ଅନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା କବ୍ଜା କରିଛନ୍ତି। ଯାହାଦ୍ବାରା ଲିଙ୍ଗରାଜଙ୍କ ଆୟ ଅନ୍ୟମାନେ ନେଉଛନ୍ତି। ଓଡ଼ିଆ ଅସ୍ମିତାର ନାରା ଦେଇ ରାଜ୍ୟରେ ନୂଆ ସରକାର ଆସିଛି। କଳା, ସଂସ୍କୃତି, ଐତିହ୍ୟ ପରମ୍ପରାକୁ ରକ୍ଷା କରିବା ପାଇଁ ସରକାର ପ୍ରାଧାନ୍ୟ ଦେଉଥିବା ଆଲୋଚନା ମଧ୍ୟ ହେଉଛି। ହେଲେ ବାସ୍ତବରେ ଏହା କେବେ ପରିଣତ ହେବ ତାକୁ ହିଁ ଅପେକ୍ଷା।