ରାଜ୍ୟ

ଉଠାଦୋକାନ ହଟାଇବାକୁ ଜୋରଦାର ବିରୋଧ

ଚନ୍ଦ୍ରଶେଖରପୁର: ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପାଖାପାଖି ୬୦ଟି ଅଞ୍ଚଳରୁ ୮ହଜାରରୁ ଅଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ୱାଡ୍‌ ଆଜି ସହରର ୭ଟି ଅଞ୍ଚଳରେ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଯିବା ସମୟରେ ଉଚ୍ଛେଦକାରୀ ଦଳକୁ ତୀବ୍ର ବିରୋଧ କରାଯାଇଛି। ଭୁବନେଶ୍ବରର ଦୁଇଜଣ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ଗତକାଲି ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଉଠାଦୋକାନୀଙ୍କୁ ଉଚ୍ଛେଦ ନ କରିବାକୁ ନିବେଦନ କରିଥିଲେ। ଶ୍ରୀ ପାଟିଲ ମଧ୍ୟ ବିଧାୟକମାନଙ୍କୁ ସମ୍ମାନ ଜଣାଇ ଉଠାଦୋକାନୀ ଉଚ୍ଛେଦ କରାଯିବ ନାହିଁ ଏବଂ ସେମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଏମ୍‌ସିର ତିନି ଜୋନ୍‌ର ଯୁଗ୍ମ ଉପସଚିବ କମିସନରଙ୍କ କଥାକୁ ଭ୍ରୁକ୍ଷେପ ନକରି ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଉଠାଦୋକାନୀକୁ ଉଚ୍ଛେଦ କରିବାକୁ ଯାଇଥିଲେ।

ସେଠାରେ ବିଧାୟକ ଶ୍ରୀ ଜେନା ପହଞ୍ଚି ଉଚ୍ଛେଦକାରୀ ଦଳଙ୍କ ସହ ଆଲୋଚନା କରିଥିଲେ। ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମହାସଂଘ ଉପସଭାପତି ସୂର୍ଯ୍ୟମଣି ସାହୁ ପହଞ୍ଚିବା ପରେ ଉଚ୍ଛେଦକାରୀ ଦଳ ସେଠାରୁ ଫେରି ଯାଇଥିଲେ। ଉତ୍ତର ଜୋନ୍‌ର ଯୁଗ୍ମ ଉପସଚିବ ବାଣୀବିହାର ଓ ଡମଣାରୁ କିଟ୍ ଛକ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଯାଇଥିବା ସମୟରେ ସେଠାରେ ମଧ୍ୟ ଉଠାଦୋକାନୀ ତୀବ୍ର ବିରୋଧ କରିଥିଲେ। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀଙ୍କ ସହ ଆଲୋଚନା କରିଥିଲେ। ବିଧାୟକ ଶ୍ରୀ ରାଉତ କହିଥିଲେ ଯେ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇପାରିବ ନାହିଁ। ବିଏମ୍‌ସି କମିସନର ଗତକାଲି ଆମ୍ଭମାନଙ୍କ ସହ ଆଲୋଚନା କରି ଉଚ୍ଛେଦ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜି କାହିଁକି ଆସି ଦୋକାନୀମାନଙ୍କୁ ହଇରାଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ସେହିପରି କୋଏଲ୍‌ କ୍ୟାମ୍ପସ ଛକଠାରେ ମହାସଂଘ କୋଷାଧ୍ୟକ୍ଷ ପ୍ରଦୀପ ସାହୁ, ଲଲାଟ୍‌ କୁମାର ଓଝା, ଶୁଭଲକ୍ଷ୍ମୀ ମହାନ୍ତି, ବିଜୟ ସେନାପତି, ମଙ୍ଗୁଳି ସାହୁ, ସୁମନ ପୃଷ୍ଟିଙ୍କ ନେତୃତ୍ୱରେ ବିଏମ୍‌ସିର ଉଚ୍ଛେଦକାରୀ ଦଳଙ୍କୁ ତୀବ୍ର ବିରୋଧ କରାଯାଇଥିଲା। କିନ୍ତୁ ବଡ଼ ଦୁଃଖର ବିଷୟ ତିନି ଜୋନ୍‌ର ଜେଡିସିମାନେ କାହିଁକି ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଏତେ ତତ୍ପର ହୋଇ ଉଠୁଛନ୍ତି ତାହା ଜଣାପଡୁ ନାହିଁ ବୋଲି ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଅଭିଯୋଗ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button