ରାଜ୍ୟ

ଆଳୁ ଖୋଳୁ ଖୋଳୁ… ଖାତାରେ ୫୬୦ ଏକର, ବିକାକିଣା ହୋଇଛି ୬୦୦

ଭୁବନେଶ୍ବର: ବିଡିଏର ବହୁ ଚର୍ଚ୍ଚିତ ଟିପି ସ୍କିମ୍‌ ବିବାଦମୁକ୍ତ ହୋଇ ପାରୁନି। ପ୍ରକଳ୍ପ ଆରମ୍ଭ ହେବାରେ ଅହେତୁକ ବିଳମ୍ବ ଯୋଗୁ ଜମି ମାଲିକ ଏବେ ବି ଫସି ରହିଥିବା ବେଳେ ଏବେ ନୂଆ ଅଡ଼ୁଆ ଛିଡ଼ା ହୋଇଛି। ଏହି ସ୍କିମ୍‌ର ପ୍ରଥମ ପ୍ରକଳ୍ପ (ପାଇକରାପୁର) ଅଧାପନ୍ତରିଆ ପଡ଼ିଥିବା ବେଳେ ଆସନ୍ତା ମାସରେ ୮ ନମ୍ବର ପ୍ରକଳ୍ପ(ଟିପି-୮) ଅନ୍ଧାରୁଆ-ଦାସପୁର ପ୍ରକଳ୍ପର ନକ୍ସା ପ୍ରକାଶ ପାଇବାକୁ ଯାଉଛି। ଏହି ପ୍ରକଳ୍ପରେ ‘ଆଳୁ ଖୋଳୁ ‌ଖୋଳୁ ମହାଦେବ’ ବାହାରିବା ସ୍ଥିତି ହୋଇଛି। ଏଠାରେ ୫୬୦.୮୬ଏକର ଜମିର ହିସାବ ବିଡିଏ ପାଖରେ ଥିବା‌ ବେଳେ ଏବେ ଏଠାରେ ୬ଶହ ଏକର ଜମି ବାହାରିଲାଣି। ଗୋଟିଏ ଅଭିଯୋଗର ଖୋଳତାଡ଼ ବେଳେ ଏଭଳି ବିଚିତ୍ର ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ବିଡିଏ ଅଧିକାରୀଙ୍କର ଅକଲ ଗୁଡ଼ୁମ୍‌ ହୋଇଛି।

ଟିପି ସ୍କିମ୍‌ରେ ନୂଆ ବିବାଦ
ଅଧିକାରୀଙ୍କ ଅକଲ ଗୁଡ଼ୁମ୍‌
ଜାନୁଆରିରେ ପ୍ରକାଶ ପାଇବ ଅନ୍ଧାରୁଆ ନକ୍ସା

ବିଡିଏ ଅନ୍ଧାରୁଆ-ଦାସପୁର ପ୍ରକଳ୍ପର କାମ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ପ୍ଳଟ୍‌ଗୁଡ଼ିକୁ ଚିହ୍ନଟ କରାଯାଇଛି। ଏକ ସ୍ବତନ୍ତ୍ର ଦଳ ପ୍ଲଟ୍‌ଗୁଡ଼ିକୁ ମ୍ୟାପ୍‌ ସହ ମେଳକ କରାଇବା ପରେ ନୂଆ ନକ୍ସା ପ୍ରସ୍ତୁତ ହୋଇଛି। ଆସନ୍ତା ଜାନୁଆରିରେ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯିବ। ଏଥିରେ କାହାର କୌଣସି ଆପତ୍ତି ଥିଲେ ଦୁଇ ମାସ ମଧ୍ୟ‌ରେ ଜଣାଇବେ। କିନ୍ତୁ ଏହି ନକ୍ସା ପ୍ରସ୍ତୁତ କଲାବେଳେ ବିଚିତ୍ର କଥା ସାମ୍ନାକୁ ଆସିଛି। ଏଠାରେ ୫୬୦.୮୬ ଏକରର ହିସାବ ଥିବା ବେଳେ ଏବେ ୬୦୦ ଏକର ଜମି ହିସାବ ସାମକ୍ନାକୁ ଆସିଛି। ବଡ଼କଥା ହେଉଛି ବାକି ୪୦ ଏକର ଜମିର ପଟ୍ଟା ମଧ୍ୟ ପ୍ରସ୍ତୁତ ହୋଇଛି। ବିଡିଏ ମାପଚୁପ କରି ଏହି ୫୬୦.୮୬ ଏକର ଜମି ଚିହ୍ନଟ କରିଥିବା ବେଳେ ଆଉ ୪୦ ଏକର କୁଆଡ଼ୁ ଆସିଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ଜଣାପଡ଼ିଥିଲା କି ଗୋଟିଏ ଗୋଟିଏ ପ୍ଲଟ୍‌ ଭାଗ ଭାଗ ହୋଇ ବିକ୍ରି ହୋଇଛି। କେତେକ ଜମିକୁ ଭାଇ ବିକ୍ରି କରିଦେଇଥିବା ବେଳେ ସେହି ଜମିକୁ ଭଉଣୀ ବିକି ଦେଇଛି। ଗୋଟିଏ ଗୋଟିଏ ପ୍ଲଟ୍‌ର ଦୁଇ ଦୁଇ ଜଣ ମାଲିକ ବାହାରୁଛନ୍ତି। ଉଭୟ ‌ଗୋଟିଏ ପ୍ଲଟ୍‌ର ପଟ୍ଟା ମଧ୍ୟ ଦେଖାଉଛନ୍ତି। ଏହା ପଛର କାହାଣୀ ମଧ୍ୟ ବଡ଼ ବିଚିତ୍ର। ତାହା ହେଉଛି; ଥରେ ଜମି ବିକ୍ରି ହୋଇଯିବା ପରେ ତୁରନ୍ତ ନାମ ସଂଶୋଧନ ହେଉ ନାହିଁ। ଫଳରେ ଆଉଥରେ ବିକ୍ରି ହୋଇଯାଇଛି। ସବୁଠାରୁ ବଡ଼କଥା ହେଉଛି ଇସି ବାହାର କଲା ବେ‌ଳେ ଏଭଳି ଠକାମି ଧରାପଡ଼ୁନାହିଁ। ପ୍ରଥମେ ଜମିକୁ ଭାଗ ଭାଗ କରି ବିକି ଦିଆଯାଉଛି। ପରେ ଭାଗ ହେଉଥିବା ମୂଳ ପ୍ଲଟ୍‌କୁ କାଗଜପତ୍ରରେ ଉଡ଼ାଇ ଦିଆଯାଉଛି। ସେଥିରେ କେବଳ ପାର୍ଟପ୍ଲଟ୍‌ର ସଂଖ୍ୟା ପ୍ରତିଫଳିତ ହେଉଛି। ମୂଳ ପ୍ଲଟ୍‌ ନମ୍ବର ଉଡ଼ି ଯାଉଛି। ଟଙ୍କା ଦେଲେ ଏଭଳି ବିଚିତ୍ର କାମ ହୋଇ ପାରୁଛି ବୋଲି ଜଣେ ଜମିମାଲିକ ଅଭିଯୋଗ କରିଛନ୍ତି। ଫଳରେ ଇସି ବାହାର କଲେ ମଧ୍ୟ ଚୋରି ଧରା ପଡ଼ୁନାହିଁ।

ଇଏତ ଗଲା ଅନ୍ଧାରୁଆ ପ୍ରକଳ୍ପ କଥା। ଶ୍ୟାମସୁନ୍ଦରପୁର ପ୍ରକଳ୍ପ‌ରେ ଆହୁରି ବିଚିତ୍ର କଥା ସାମ୍ନାକୁ ଆସିଛି। ଏଠାରେ ଏକ ପୁରୁଣା ଲିଜ୍‌ ଜମିକୁ ସ୍ଥିତିବାନ୍‌ କରି ବିକି ଦିଆଯାଇଛି। ଟିପି ସ୍କିମ୍‌ ସର୍ଭେ ବେଳେ ଏହା ଧରାପଡ଼ିଥିଲା। ଏଠାରେ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଜମି କିଣିଥିଲେ। କଥା ଆଗକୁ ବଢ଼ିଲେ ଏଭଳି ବେଆଇନ କାରବାରର ଗୁମର ଫିଟିବ ଓ ଏଥି‌ରେ ବଡ଼ବଡ଼ିଆଙ୍କ ନାଁ କାଳେ ସାମ୍ନାକୁ ଆସିବ ସେଥିପାଇଁ ସେହି ଜମିର ଲିଜ୍‌କୁ ବାତିଲ କରି ଦିଆଯାଇଛି। ଫଳରେ ଏଥିରେ କେବଳ ଆଇଏଏସ୍‌ ଅଫିସରଙ୍କର ନୁହେଁ ବରଂ ଅନେକଙ୍କର ଜମି ଯାଇଛି। ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଏହି ବିବାଦ ମଧ୍ୟ ଟିପି ସ୍କିମ୍‌କୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ପ୍ରକଳ୍ପ ପାଇକରାପୁରରେ କାମ ଆରମ୍ଭରେ ୯ ବର୍ଷ ବିଳମ୍ବ ଏବଂ ଏ ଯାବତ୍‌ ପ୍ରସ୍ତୁତ ହୋଇ ନଥିବା ବେଳେ ବାକି ସବୁଥିରେ ଏଭଳି ବିବାଦ ଏହି ସ୍କିମ୍‌ର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ତେବେ ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସ୍କିମ୍‌ ପ୍ରଭାବିତ ହେବ ନାହିଁ। ପାଇକରାପୁରରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଅନ୍ୟ ଯେଉଁ ସ୍କିମ୍‌ରେ ଏଭଳି ବିବାଦ ଆସୁଛି ସେ ସବୁ‌ରେ ଯେଉଁମାନେ ଦୋଷୀ ସେମାନେ ଆଇନ ଅନୁଯାୟୀ ଦଣ୍ଡ ପାଇବେ। ଯେଉଁମାନେ ଟିପି ସ୍କିମ୍‌ର ଲାଭ ପାଇବା ପାଇଁ ଯୋଗ୍ୟ ସେମାନେ ତାଙ୍କର ହକ୍‌ ପାଇବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button