ରାଜ୍ୟ

କଂଗ୍ରେସରେ ଯୋଗ ଦେବେ ହକି ତାରକା ପ୍ରବୋଧ ତିର୍କୀ; ତଳସରା ଉପରେ ରହିଛି ନଜର – Ibnodisha

[ad_1]

ସୁନ୍ଦରଗଡ଼: ଭାରତୀୟ ହକିର ପୂର୍ବତନ ଅଧିନାୟକ ପ୍ର‌ବୋଧ ତିର୍କୀ କଂଗ୍ରେସରେ ଯୋଗ ଦେବେ। ହକି ଓ ଏୟାର ଇଣ୍ଡିଆ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ନିକଟରେ ଗାଁକୁ ଫେରିବା ପରେ ପ୍ରବୋଧ କଥା ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି। ଏପରିକି ତଳସରା ବିଧାନସଭା ପାଇଁ ସେ କଂଗ୍ରେସ ଟିକଟରେ ଲଢ଼ିବାକୁ ଚାହୁଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। କିଛି ଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳର ବ୍ଲକ ଘେରାଉରେ ସେ ସାମିଲ ହୋଇଥିବା ଦେଖାଯାଇଥିଲା। ଏହା ପରେ ସେ କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ କେବେ କଂଗ୍ରେସରେ ସାମିଲ ହେବେ ସେ ନେଇ କିଛି କହି ନାହାନ୍ତି। ହକି ତାରକା ଭାବେ ଦେଶରେ ସୁନାମ ଅର୍ଜିଥିବା ଶ୍ରୀ ତିର୍କୀ କଂଗ୍ରେସରେ ସାମିଲ ହେବାକୁ ମନ ବଳାଇବା ତଳସରା ତଥା ଜିଲ୍ଲା ରାଜନୀତିକୁ ସରଗରମ କରିଛି।

କଂଗ୍ରେସର ଗଡ଼ ଥିବା ତଳସରା ବିଧାନସଭାକୁ ୨୦୧୯‌ରେ ବିଜେପି ଛଡ଼ାଇ ନେଇଥିଲା। ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତର ୩ ଥର ବିଧାୟକ ରୂପେ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିବା ଡ. ପ୍ରଫୁଲ୍ଲ ମାଝୀ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ୨୦୨୧ ଡିସେମ୍ବରରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ। ଏହା ପରେ ୨୦୨୪ ନିର୍ବାଚନରେ ତଳସରା କ୍ଷେତ୍ର ପାଇଁ କଂଗ୍ରେସ ଏକ ଗ୍ରହଣୀୟ ଚେହେରା ଖୋଜୁଥିଲେ। ପ୍ରବୋଧ କଂଗ୍ରେସ ଖୋଜୁଥିବା ଚେହେରା ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଅତି ଗରିବ ପରିବାରରେ ୧୯୮୪ ଅକ୍ଟୋବର ୬ରେ ଜନ୍ମ ନେଇଥିଲେ ପ୍ରବୋଧ। ଅଭାବ ଭିତରେ ବି ବଡ଼ ଭାଇ ଇଗ୍ନେଶ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ। ହକି ବାଡ଼ି କିଣିବା ପାଇଁ ବାପା ସକ୍ଷମ ନଥିବାରୁ ବାଉଁଶ ବାଡ଼ି ଧରି ହକି ଅଭ୍ୟାସ କରୁଥିଲେ। ସେମାନଙ୍କ ପାଇଁ ଗାଁ ଦାଣ୍ଡ ହିଁ ଥିଲା ହକି ପଡ଼ିଆ। ବାଉଁଶ ବାଡ଼ି ଓ ଗାଁ ଦାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ଇଗ୍ନେଶ ଓ ପ୍ରବୋଧ ପରବର୍ତ୍ତୀ ସମୟରେ ଭାରତୀୟ ହକି ଦଳରେ ପ୍ରମୁଖ ସ୍ଥାନ ଦଖଲ କରି ନେଇଥିଲେ। ଏକ ସମୟରେ ପ୍ରବୋଧ ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ୨୦୦୭ରେ ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଏସିଆ କପ୍ ଜିତିଥିଲା। ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ପାଇଥିଲେ। ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ବେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଗାଁକୁ ଚାଲି ଆସିଛନ୍ତି। କିଛି ଦିନ ତ‌ଳେ ଲୁଲୁକିଡିହିସ୍ଥ ନିଜ ପୈତୃକ ଜମିରେ ଟ୍ରାକ୍ଟର ଚଲାଇ ଚାଷ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମ‌ ପୃଷ୍ଠାରେ ଭାଇରାଲ ହୋଇଥିଲା। ଏ ପ୍ରସଙ୍ଗରେ ପ୍ରବୋଧ ଯେଉଁ ସାର କଥାଟି କହିଥିଲେ, ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା। ସେ କହିଥିଲେ ‘ଯୁବ ପିଢି ଚାକିରି ପଛରେ ନଗୋଡ଼ାଇ ଜମିକୁ ଓହ୍ଲାଇଲେ ଦେଶରୁ ବେରୋଜଗାର ହଟିଯିବ’। ପ୍ରବୋଧଙ୍କ ଏହି ଚିନ୍ତାଧାରା ରାଜନୀତି ‌କ୍ଷେତ୍ରରେ ତାଙ୍କୁ ଭଲ ସୁଯୋଗ ଆଣି ଦେଇପାରେ ବୋଲି ଆଲୋଚନା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button