ରାଜ୍ୟ

ଜଙ୍ଗଲରେ ଲୁଚିଛନ୍ତି ୨୬୨ ମଦ ମାଫିଆ: ଅଭିଯୁକ୍ତଙ୍କ ବିରୋଧରେ ୨୫୧ ମାମଲା

କଟକ: ଜଙ୍ଗଲ ଭିତରେ ଦେଶୀ ମଦ ରାନ୍ଧିବା ସମୟରେ ଅବକାରୀ ବିଭାଗ ଚଢ଼ଉ କରୁଛି। ହେଲେ ଚକମା ଦେଖାଇ ଫେରାର ହୋଇଯାଉଛନ୍ତି ମଦ ମାଫିଆ। ଗଲା ଦୁଇ ବର୍ଷ ଭିତରେ କଟକ ଜିଲ୍ଲାର ଡାଳୁଆ, ଭିରୁଡ଼ା, କୋରଗାଁ, ଜାମୁଣ୍ଡା ଇତ୍ୟାଦି ଜଙ୍ଗଲରେ ୨୬୧ ଜଣ ମଦ ମାଫିଆ ଏଭଳି ଢଙ୍ଗରେ ଫେରାର ହୋଇଯାଇଛନ୍ତି। ସେମାନଙ୍କର ପତ୍ତା ମିଳୁନାହିଁ। ତେଣୁ ସେମାନଙ୍କ ବିରୋଧରେ ୨୫୧ଟି ଫେରାର ମାମଲା ଜିଲ୍ଲା ଅବକାରୀ ବିଭାଗ ରୁଜୁ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ତଦନ୍ତ କରୁଥିବା ବେଳେ ଫେରାର ମଦ ମାଫିଆଙ୍କୁ ଘଞ୍ଚ ଜଙ୍ଗଲରେ ଧରିବା ଆହ୍ବାନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ଆଠଗଡ଼ର କୋରଗାଁ, ଢେଙ୍କାନାଳ ସୀମାକୁ ଲାଗିଥିବା ବାଙ୍କୀ ବ୍ଲକ୍‌ ଭିରୁଡ଼ା, ମୁକୁନ୍ଦପୁର, ଜାମୁଣ୍ଡା ଜଙ୍ଗଲ, ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ, ମହାଲକ୍ଷ୍ମୀପୁର, ଛେନାଖିଆ ନୂଆଗାଁ, ସଠିଲୋ ବାସୁଦେବପୁର, ଗୁରୁଡ଼ିଝାଟିଆର ଶାନ୍ତାଣିବାଟି ଇତ୍ୟାଦି ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରାଯାଉଛି। ଏହି ମଦ କଟକ ଜିଲ୍ଲାର ନରସିଂହପୁର, ବଡ଼ମ୍ବା, କାନପୁର, ଆଠଗଡ଼, କଳାପଥର, ବାରଙ୍ଗ, ତିଗିରିଆ, ଚୌଦ୍ବାର, ଜଗତପୁର, ଟାଙ୍ଗୀ, ବାଙ୍କୀ ଅଞ୍ଚଳକୁ ଚାଲାଣ କରାଯାଉଛି। କଟକ ଜିଲ୍ଲା ବାଦ୍ ପଡ଼ୋଶୀ ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ମଧ୍ୟ ଚାଲାଣ କରାଯାଉଛି। ଅବକାରୀ ବିଭାଗ ଏହିସବୁ ଜଙ୍ଗଲରେ ଚଢ଼ଉ କରି ମାଫିଆଙ୍କୁ ଧରିବାରେ ସମସ୍ୟାର ସମ୍ମୁଖୀନ ହେଉଛି। ଗାଁ ରାସ୍ତାରେ ଯେତେବେଳେ ଅବକାରୀ ଟିମ୍ ଜଙ୍ଗଲ ଭିତରକୁ ପ୍ରବେଶ କରୁଛି, ଏହି ସମୟରେ ଗାଁରୁ ଆଗୁଆ ଖବର ଜଙ୍ଗଲ ଭିତରେ ଥିବା ମାଫିଆଙ୍କ ନିକଟରେ ପହଞ୍ଚି ଯାଉଥିବାରୁ ସେମାନେ ଫେରାର ହୋଇଯାଉଛନ୍ତି। ଜଙ୍ଗଲ ରାସ୍ତାରେ ଅବକାରୀ ବିଭାଗ ଗାଡ଼ି ଯିବା ସମ୍ଭବପର ହେଉନଥିବାରୁ ଚାଲିଚାଲି ଜଙ୍ଗଲ ଭିତରେ ମଦ ମାଫିଆଙ୍କୁ ଧରିବା ବି ସମସ୍ୟା ହେଉଛି।

ଜିଲ୍ଲା ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୩ରେ ୧୪୮ଟି ମାମଲା ଫେରାର ମଦ ମାଫିଆଙ୍କ ବିରୋଧରେ ରୁଜୁ ହୋଇଥିଲା। ଏହି ମାମଲାଗୁଡ଼ିକରେ ୮ ଜଣ ଗିରଫ ହୋଇଥିବା ବେଳେ ୧୫୯ ଜଣ ଫେରାର ଅଛନ୍ତି। ସେହିଭଳି ୨୦୨୪ ଜାନୁଆରି ୧ରୁ ବର୍ତ୍ତମାନ ସୁଦ୍ଧା ଫେରାର ଅଭିଯୁକ୍ତଙ୍କ ବିରୋଧରେ ୧୦୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୦୩ ଜଣ ଫେରାର ଅଛନ୍ତି। ୨୦୨୩ ପୂର୍ବରୁ ଜଙ୍ଗଲରେ ଅବକାରୀ ବିଭାଗ ଚଢ଼ଉ କରିବାବେଳେ କେବଳ ମଦରନ୍ଧା ସାମଗ୍ରୀ ଓ ମଦ ଚାଲାଣରେ ବ୍ୟବହୃତ ଯାନବାହନ ଜବତ କରୁଥିଲା। ୨୦୨୩ରୁ ଅବକାରୀ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଯେଉଁମାନେ ଫେରାର ହେଉଛନ୍ତି, ସେମାନଙ୍କ ବିରୋଧରେ ସିଧାସଳଖ ଫେରାର ମାମଲା ରୁଜୁ ହେଉଛି। ଫେରାର ମାମଲା ରୁଜୁ ସହିତ ଜବତ ତାଲିକା ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କୋର୍ଟରେ ଦାଖଲ ହେଉଛି। ଏକାଧିକ ଫେରାର ମାମଲାରେ ସେମାନଙ୍କୁ ଛନ୍ଦିବା ଦ୍ବାରା ସେମାନେ କୋର୍ଟରୁ ଜାମିନ୍ ପାଇବାକୁ କସରତ କରୁଛନ୍ତି। ନଚେତ ଗିରଫ ଭୟରେ ଜଙ୍ଗଲ ଭିତରେ ଲୁଚି ରହୁଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button