ମକା ମିଲ୍ରେ ଗୋଡ଼ ପଶି ନାବାଳକ ଗୁରୁତର
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କରଲାପଡ଼ା ଗ୍ରାମରେ ଜଣେ ନାବାଳକର ଡାହାଣ ଗୋଡ଼ ମକା ମିଲ୍ରେ ପଶି ଯାଇ ଗୁରୁତର ହୋଇ ଥିବା ଜଣାପଡିଛି।
ସୂଚନା ପ୍ରକାରେ କରଲାପଡା ଗ୍ରାମର ନାରାୟଣ ଗୌଡ଼ଙ୍କ ପୁଅ କୃଷ୍ଣ ଗୌଡ଼(୧୪) ନିଜ ସମ୍ପର୍କୀୟଙ୍କ ମକା ମିଲିଙ୍ଗ କରିବା ପାଇଁ କିଛି ଲୋକଙ୍କ ସହ ଯାଇଥିଲେ। ଘର ଲୋକ କୃଷ୍ଣଙ୍କୁ ଯିବା ପାଇଁ ମନା କରିବା ସ୍ୱତ୍ତ୍ୱେ ସେ କାହାରି କଥା ଶୁଣି ନଥିଲେ। ତେବେ ମକା ମିଲିଙ୍ଗ ଗାଡ଼ିରେ ମକା ପକାଇବା ପରେ ପ୍ରଥମ ଥର ମିସିନ ଜାମ ହୋଇ ଯାଇଥିଲା। ଏହା ଦେଖି କୃଷ୍ଣ ଡାହାଣ ଗୋଡ଼ରେ ମକା ଗୁଡ଼ିକୁ ଚାପିବା ପରେ ପୁଣି ମିସିନ ଚାଲିଥିଲା। ଦ୍ଵତୀୟ ଥର ପୁଣି ମେସିନ ଜାମ ହେବା ଯୋଗୁଁ କୃଷ୍ଣ ମକା ଗୁଡ଼ିକୁ ଡାହାଣ ଗୋଡ଼ରେ ଚାପିବା ବେଳେ ମକା ମିସିନ ଡାହାଣ ଗୋଡ଼କୁ ଟାଣି ନେଇ ଯାଇଥିଲା। ଫଳରେ ଡାହାଣ ଗୋଡ଼ର ଆଣ୍ଠୁ ଠାରୁ ତଳେ ହାଡ଼ ଓ ମାଂସ ଅଲଗା ହୋଇ ଯାଇଥିଲା।
ଘଟଣା ପରେ ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଏଠାରେ ପ୍ରକାଶ ଯେ କୃଷ୍ଣ ଝରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ଖବର ପ୍ରସାର ହେବା ପରେ ଦୁଃଖର ପରିବେଶ ସୃଷ୍ଟି ହୋଇଛି।