ଭଲ ଲେଖା ସହ ରୁଚିସମ୍ପନ୍ନ ପ୍ରକାଶନ ପାଠକଙ୍କୁ ଆକର୍ଷିତ କରେ: ‘ହାତ ବଢ଼େଇଲେ ଆକାଶ’ କବିତା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସାହିତ୍ୟ ହେଉଛି ଭାବ ସହ ଶବ୍ଦର ଖେଳ। ଭଲ ଲେଖା ସହିତ ରୁଚିସମ୍ପନ୍ନ ପ୍ରକାଶନ ପାଠକଙ୍କୁ ଆକର୍ଷିତ କରିଥାଏ। ଏଣୁ ପ୍ରକାଶକମାନେ ସୁନ୍ଦର ପୁସ୍ତକ ଛାପନ୍ତୁ ବୋଲି ବ୍ଲାକ୍ ଇଗଲ୍ ବୁକ୍ସ ପ୍ରକାଶନ ପକ୍ଷରୁ କବି ସଂଯୁକ୍ତା ନାୟକଙ୍କ ପ୍ରଥମ କବିତା ସଂକଳନ ‘ହାତ ବଢ଼େଇଲେ ଆକାଶ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ମହିଳା ଲେଖକ ଓ କବିମାନେ ଆଗେଇ ଆସିବା ଆବଶ୍ୟକ। ‘ହାତ ବଢ଼େଇଲେ ଆକାଶ’ କବିତା ପୁସ୍ତକରେ କବି ସମାଜର ଅପସଂସ୍କୃତି ବିରୋଧରେ ସ୍ବର ଉତ୍ତୋଳନ ସହିତ ପାରମ୍ପରିକ ଓଡ଼ିଆ ଚଳଣିକୁ ଗୁରୁତ୍ବ ଦେଇଥିବା କହିଥିଲେ। ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟ ସମାଲୋଚକ ବାବାଜୀ ଚରଣ ପଟ୍ଟନାୟକ କହିଲେ, ପୁସ୍ତକରେ ସ୍ଥାନ ପାଇଥିବା କବିତାଗୁଡ଼ିକ ଅତି ସରଳ ଓ ସାବଲୀଳ ଢଙ୍ଗରେ ଉପସ୍ଥାପିତ ହୋଇଛି। ପାଠକମାନେ ଏହାକୁ ଅକ୍ଳେଶରେ ପଢ଼ିବା ସହ ବୁଝି ପାରିବେ ବୋଲି କହିଥିଲେ। ମୁଖ୍ୟବକ୍ତା ଡ. ପ୍ରବୀଣା ମହାନ୍ତି ପୁସ୍ତକର ସମୀକ୍ଷା କରିବା ସହିତ କବିତା ରଚନାରେ କବି ଶ୍ରୀମତୀ ନାୟକଙ୍କ ଆବେଗ ଓ ଆଗ୍ରହ ସମ୍ପର୍କରେ ମତ ରଖିଥିଲେ। ଜଗତସିଂହପୁର ଜିଲ୍ଲାର ବିଲିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା କବି ଶ୍ରୀମତୀ ନାୟକ ବାଲ୍ୟକାଳରୁ କିଭଳି କବିତା ରଚନା ପ୍ରତି ଆକୃଷ୍ଟ ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ। ସଭାପତି ଦାଶ ବେନହୁର ଏହି ପୁସ୍ତକ ଆଦୃତି ଲାଭ କରିବା ନେଇ ଆଶାବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, କଥାକାର ଗୌରହରି ଦାସ, ଶକୁନ୍ତଳା ବଳୀୟାରସିଂହ, ସରୋଜିନୀ ସାହୁ, ଗୋଲାପମଞ୍ଜରୀ କର, କନକମଞ୍ଜରୀ ସାହୁ, ରବି ସ୍ବାଇଁ, ପରେଶ ପଟ୍ଟନାୟକ, ସହଦେବ ସାହୁ, ଚନ୍ଦ୍ରଶେଖର ହୋତା, ପବିତ୍ର ମୋହନ କର, ମହେନ୍ଦ୍ର ପ୍ରସାଦ, ଶୁଭଶ୍ରୀ ଲେଙ୍କା, ସଂଗ୍ରାମ ଜେନା, ବିଜୟାନନ୍ଦ ସିଂହ, ଯୁଗଳ ମିଶ୍ର, ସଂଘମିତ୍ରା ଭଞ୍ଜ, ଅରବିନ୍ଦ ରାୟ, ସୀତେଶ ତ୍ରିପାଠୀ ପ୍ରମୁଖ ସାହିତ୍ୟିକମାନେ ଉପସ୍ଥିତ ଥିଲେ। ବ୍ଲାକ୍ ଇଗଲ୍ ବୁକ୍ସ ପ୍ରକାଶନର ପ୍ରତିନିଧି ଅଶୋକ ପରିଡ଼ା ଧନ୍ୟବାଦ ଦେଇଥିଲେ।