ରାଜ୍ୟ

ଗେମିଂ ଆପ୍‌ ସିଣ୍ଡିକେଟ୍‌ର ପର୍ଦ୍ଦାଫ‌ାସ: ପୁଲିସ ପଞ୍ଝାରେ ୪ଆଇଟି ଏକ୍ସପର୍ଟ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଆପାର୍ଟମେଣ୍ଟଗୁଡ଼ିକରୁ ଘନଘନ ସିନ୍ଧିଚୋରି କମିସନରେଟ୍‌ ପୁଲିସର ମୁଣ୍ଡବିନ୍ଧା ବଢ଼ାଇଛି। ତେବେ ଆଳୁ ଖୋଳୁଖୋଳୁ ମହାଦେବ ମିଳିବା ଭଳି ସିନ୍ଧିଚୋରଙ୍କୁ ଖୋଜିବାକୁ ଯାଇ କମିସନରେଟ୍ ପୁଲିସ ଏକ ବଡ଼ ସାଇବର ଠକ ରୢାକେଟ୍‌କୁ ଧରିଛି। ଏୟାର୍‌ଫିଲ୍‌ଡ ଥାନା ଅନ୍ତର୍ଗତ ରାଜଧାନୀ ଉପକଣ୍ଠ ବୋତଣ୍ଡାସ୍ଥିତ ପ୍ରେଷ୍ଟିଜ୍‌ ଆପାର୍ଟମେଣ୍ଟରୁ ପୁଲିସ ଏହି ରୢାକେଟ୍‌କୁ ଠାବ କରିଛି। ଗେମିଂ ଆପ୍‌ ଜରିଆରେ ଯୁବପିଢ଼ିଙ୍କୁ ଲୁଟୁଥିବା ଏହି ସିଣ୍ଡିକେଟ୍‌ର ସମସ୍ତ ସଦସ୍ୟ ଅଣଓଡ଼ିଆ। ସେମାନେ ହେଲେ ଦିଲ୍ଲୀର ବୈଭବ ଖାନ୍ନା, ଗୁଜରାଟର ପଟେଲ୍‌ ତେଜସ୍‌, ହରିୟାଣାର କମଲ୍‌ଜିତ୍‌ ସିଂହ ଓ ତେଲେଙ୍ଗାନାର ଜି.ମହୀପାଲ୍‌। ଏମାନେ ସମସ୍ତେ ବିଟେକ୍‌ ପାସ୍‌ ଆଉଟ୍ ଓ ଆଇଟି ଏକ୍ସପର୍ଟ। ପୁଲିସ ସେମାନଙ୍କ ନିକଟରୁ ୨ଲାପ୍‌ଟପ୍‌, ୨୦ ମୋବାଇଲ୍‌, ବିପୁଳ ସିମ୍‌ କାର୍ଡ, ୨ଟି ପିସି, ଦୁଇଟି ୱାଇଫାଇ, ପାସ୍‌ପୋର୍ଟ, ବ୍ୟାଙ୍କ୍‌ ଆକାଉଣ୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ଏହି ସିଣ୍ଡିକେଟ୍‌ର ରିମୋଟ୍‌ ଦୁବାଇରେ ଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ରାଜଧାନୀ ଉପକଣ୍ଠରେ ମାତିଥିବା ସିନ୍ଧିଚୋରଙ୍କୁ ଠାବ କରିବାକୁ ପୁଲିସ ବିଭିନ୍ନ ଆପାର୍ଟମେଣ୍ଟବାସିନ୍ଦାଙ୍କ ସହ ଯୋଗାଯୋଗ ଚଳାଇଛି। ବିଶେଷ କରି ଆପାର୍ଟମେଣ୍ଟଗୁଡ଼ିକରେ ଅପରାଧୀମାନେ ଆଡ଼ା ଜମାଉଥିବାରୁ ପୁଲିସ ସନ୍ଦିଗ୍ଧମାନଙ୍କ ବିଷୟରେ ଜଣାଇବାକୁ ପରାମର୍ଶ ଦେଇଛି। ଗତ କିଛି ଦିନ ପୂର୍ବେ ବୋତଣ୍ଡାସ୍ଥିତ ପ୍ରେଷ୍ଟିଜ୍‌ ଆପାର୍ଟମେଣ୍ଟରେ ରହୁଥିବା ଏହି ସନ୍ଦିଗ୍ଧମାନଙ୍କ ବାବଦରେ ପୁଲିସକୁ ସୂଚନା ମିଳିଥିଲା। ବ୍ରହ୍ମପୁରରେ ରହୁଥିବା ଫ୍ଲାଟ ମାଲିକଙ୍କଠାରୁ ଭଡ଼ା ନେଇ ଏମାନେ ୪ମାସ ହେଲା ରହୁଥିଲେ। ଏହି ୪ ଠକ ଅନ୍‌ଲାଇନ୍‌ରେ ବିଭିନ୍ନ ବ୍ୟବହାର ଉପଯୋଗୀ ସାମଗ୍ରୀ ମଗାଉଥିଲେ। ସତେ ଯେମିତି ସେମାନେ ଗୃହବନ୍ଦୀ ଥିଲେ। ୱାର୍କ ଫ୍ରମ୍‌ ହୋମ୍‌ ଢାଞ୍ଚାରେ ସବୁବେଳେ କାମରେ ବ୍ୟସ୍ତ ରହୁଥିଲେ। କାହା ସହିତ ସେମାନଙ୍କର ମିଳାମିଶା ନଥିଲା। ସେମାନଙ୍କ ଗତିବିଧି ବେଶ୍ ସନ୍ଦେହଜନକ ଥିଲା। ତେଣୁ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଏୟାର୍‌ଫିଲ୍‌ଡ ଥାନା ପୁଲିସ ଏହି ଆପାର୍ଟମେଣ୍ଟର ଏଫ୍‌ ବ୍ଲକ୍‌ର ୬୦୨ ଫ୍ଲାଟ୍‌ରେ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଫ୍ଲାଟ୍‌ରେ ଖଞ୍ଜାଯାଇଥିବା ଉପକରଣ ଦେଖି ପୁଲିସ ଟିମ୍‌ ବିସ୍ମିତ ହୋଇଯାଇଥିଲା। ପ୍ରତି ରୁମ୍‌ରେ ସିସି କ୍ୟାମେରା ଲାଗିଥିଲା। ୨୪ଘଣ୍ଟିଆ ପାୱାର୍‌ ସପ୍ଲାଏ ପାଇଁ ଇନ୍‌ଭର୍ଟର ଲାଗିଥିଲା।

୨ ଲାପ୍‌ଟପ୍‌, ୨୦ ମୋବାଇଲ୍‌, ବିପୁଳ ସିମ୍‌କାର୍ଡ ଜବତ
ଦୁବାଇରେ ରିମୋଟ୍‌, ଭୁବନେଶ୍ବରରେ ଗେମ୍‌

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଚାରିଜଣଯାକ ବିଟେକ୍‌ ପାସ୍‌ କରିଛନ୍ତି ଏବଂ ଆଇଟି ବିଶେଷଜ୍ଞ। ଏମାନଙ୍କ ମଧ୍ୟରୁ ଗୁଜରାଟର ପଟେଲ ତେଜସ୍‌ ସାମାଜିକ ଗଣମାଧ୍ୟମ ପରିଚାଳନାରେ ବେଶ୍ ଦକ୍ଷ। ସେମାନେ ଅନ୍‌ଲାଇନ୍‌ରେ ବେନାମି ଗେମିଂ ଆପ୍‌ ପ୍ରସ୍ତୁତ କରି ଠକାମିର ଥୋପ ପକାଉଥିଲେ। ଏହି ଗ୍ୟାଙ୍ଗ୍‌ ଓଡ଼ିଶାରେ ବେପାର ଆରମ୍ଭ କରିଦେଇଥିଲା। ହ୍ବାଟ୍‌ସ୍ ଆପ୍ ଲିଙ୍କ୍‌ ପଠାଇ ଗେମିଂ ଆପ୍‌ରେ ଅର୍ଥ ବିନିଯୋଗ କରିବାକୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରୁଥିଲେ। ଯିଏ ବିନିଯୋଗ କଲା, ସେମାନଙ୍କୁ ପ୍ରଥମେ ପ୍ରଥମେ ରିଟର୍ଣ୍ଣ ଦେଉଥିଲେ। କିନ୍ତୁ ପରେ ଅର୍ଥାତ୍‌ ଅଧିକ ବିନିଯୋଗ କଲେ, ତାଙ୍କୁ ଆପ୍‌ରୁ ଆଉଟ୍‌ କରିଦିଆଯାଉଥିଲା। ସେମାନେ ଉକ୍ତ ଗେମିଂ ଆପ୍‌ ପରିଚାଳିତ ହେଉଥିବା ମୋବାଇଲ୍‌ ଓ ସିମ୍‌ କାର୍ଡକୁ ଅଚଳ କରିଦେଉଥିଲେ। ତେଣୁ ପରେ ବିନିଯୋଗକାରୀ ଖୋଜିଲେ ବି ତାଙ୍କୁ ଉକ୍ତ ବେନାମି ଆପ୍‌ର ସନ୍ଧାନ ମିଳୁନଥିଲା। ଠକାମିର ଶିକାର ହେବା ପରେ ବି ବିନିଯୋଗ କରିଥିବା ଯୁବକ ଅତି ବେଶିରେ ସାଇବର ଥାନା ପର୍ଯ୍ୟନ୍ତ ଯାଇ ଶେଷରେ ହତାଶ ହେଉଥିଲେ। ଗତ ସପ୍ତାହରେ ପୁରୁଣା ଭୁବନେଶ୍ବରର ଜଣେ ଯୁବ ସେବାୟତ ଏଥିପାଇଁ ଆତ୍ମହତ୍ୟା କରିଥିଲେ। ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୬ ତାରିଖ ଦିନ ଏୟାର୍‌ଫିଲଡ୍ ଥାନା ସୁନ୍ଦରପଦା ଅଞ୍ଚଳସ୍ଥିତ କାଞ୍ଚନ ଟାୱାର୍‌ ଆପାର୍ଟମେଣ୍ଟରୁ ଏକ ଅନ୍‌ଲାଇନ୍‌ ଫ୍ରଡ୍‌ କଲ୍‌ ସେଣ୍ଟର ପରିଚାଳନା କରୁଥିବା ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button