ଚାଷୀଙ୍କ ଅଭିଯୋଗ ଶୁଣ, ଦଲାଲଙ୍କ ଉପରେ ନଜର ରଖ
ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ୯ଟି ଜିଲ୍ଲା ବରଗଡ଼, ନୂଆପଡ଼ା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ କିଣା ପ୍ରକ୍ରିୟା ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆସୁଛି। ଏପରିକି ଚାଷୀ ମଣ୍ଡିରେ ଠିକ୍ ଭାବେ ଧାନ ବିକ୍ରି କରିପାରୁ ନ ଥିବାରୁ ଦଲାଲ୍ଙ୍କୁ ଧାନ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବାବେଳେ କହିଛନ୍ତି ଯେ ଚାଷୀମାନଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଉ। ସବୁ ଜିଲ୍ଲାରେ ମଣ୍ଡିରେ ନୋଡାଲ୍ ଅଫିସର ଓ ମଣ୍ଡି ସୁପରଭାଇଜର ଅଛନ୍ତି। ସେମାନେ ଚାଷୀଙ୍କର ଅଭିଯୋଗକୁ ଶୁଣି ତା’ର ସମାଧାନ କଲେ ବ୍ୟବସ୍ଥା ଉପରେ ଭରସା ବଢ଼ିବ। ଏହାସହିତ ଦଲାଲମାନେ ଯେପରି କୌଣସି ପରିସ୍ଥିତିରେ ଚାଷୀଙ୍କ ଫାଇଦା ନ ଉଠାଇ ପାରିବେ, ସେଥିପାଇଁ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉ। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୋସାଇଟି ସ୍ତରୀୟ ଧାନ କିଣା କମିଟିଗୁଡ଼ିକୁ ଆହୁରି ସକ୍ରିୟ କରାଯାଉ। ଚାଷୀଙ୍କୁ ଅଧିକ ସଚେତନ କରିବା ଓ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଉ। କଳାହାଣ୍ଡି ଜିଲ୍ଲାରେ ଚାଷୀମାନଙ୍କ ପାଇଁ ମଣ୍ଡି ନିକଟରେ କ୍ୟାଣ୍ଟିନ୍, ପାନୀୟ ଜଳ ଓ ଟଏଲେଟ୍ର ବ୍ୟବସ୍ଥା କରାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ସେହିପରି ବ୍ୟବସ୍ଥାକୁ ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରନ୍ତୁ। ବରଗଡ଼ରେ ମଣ୍ଡିରେ ଧାନ ସଂଗ୍ରହର ସୁନ୍ଦର ମନିଟରିଂ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍କୁ ଧାନକିଣାର ଲାଇଲ୍ ଫିଡ୍ ମଧ୍ୟ ଆସୁଛି। ଏପରି ବ୍ୟବସ୍ଥାକୁ ଅନ୍ୟ ସମସ୍ତ ଜିଲ୍ଲା ଭଲ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ମଣ୍ଡିରେ ଚାଷୀଙ୍କ ପାଇଁ ଖାଦ୍ୟ, ପାଣି ଓ ଶୌଚାଳୟର ବ୍ୟବସ୍ଥା କରାଯାଉ
ବୈଠକରେ ଶ୍ରୀ ମାଝୀ କହିଥିଲେ ଆଜି ନୂଆ ସରକାରକୁ ୬ମାସ ପୂରିଛି। ଏହି ସମୟରେ ଅନେକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। ପିଏମ୍ କିଷାନ ଓ ସିଏମ୍ କିଷାନ ସହିତ ୮୦୦ ଟଙ୍କା ଇନ୍ପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ। ତେଣୁ ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଦକ୍ଷତାର ସହ, ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ଧ୍ୟାନ ଦେବାକୁ ହେବ। ବୈଠକରେ ଟୋକନ୍ ବ୍ୟବସ୍ଥା, ଟ୍ୟାଗିଙ୍ଗ୍ ବ୍ୟବସ୍ଥା, ମିଲରମାନଙ୍କ ସହଯୋଗ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଭର୍ଚୁଆଲ ମୋଡ଼ରେ ଯୋଗଦେଇ ଧାନ ସଂଗ୍ରହ ବ୍ୟବସ୍ଥା ଉପରେ ସୂଚନା ଦେଇଥିଲେ।
ଆଲୋଚନାରୁ ଜଣାପଡ଼ିଛି ଯେ ୯ଟି ଜିଲ୍ଲାର ୩୭,୦୭୯ ଜଣ ଚାଷୀ ୧,୮୧,୧୯୬ ମେଟ୍ରିକ ଟନ୍ ଧାନ ବିକ୍ରି କରିଛନ୍ତି। ଏହି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଭାବେ ୩୨୩.୭୩ କୋଟି ଓ ଇନ୍ପୁଟ୍ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଉ ୪୮ ଘଣ୍ଟା ମଧ୍ୟରେ ୯୩ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ ୩୨.୩୫ କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯିବ।
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଶ ନାଏକ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡି.କେ ସିଂହ, ପୁଲିସ ଡିଜି ୱାଇ.ବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।