ରାଜ୍ୟ

୧୨ ଏମ୍ଏସ୍‌ଏମ୍‌ଇ ପାର୍କ ନିର୍ମାଣ ଆରମ୍ଭ: ଗଣ୍ଡମୁଣ୍ଡାରେ ପିଏମ୍ ଏକତା ମଲ୍‌

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ବିକାଶ ଲାଗି ୧୪ଟି ପାର୍କ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୧୨ଟି ପାର୍କର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଗୁରୁବାର ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓସିଆ)ର ୬୯ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏମ୍ଏସ୍‌ଏମ୍‌ଇ ଶିଳ୍ପକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ସେମାନଙ୍କ ସ୍ବତନ୍ତ୍ର ଜମି ଆବଶ୍ୟକତା ପୂରଣ କରିବା ଲାଗି ଉଦ୍ୟମ କରାଯାଉଛି। ରାଜ୍ୟର ପ୍ରତି ବ୍ଲକ୍‌ରେ ଜମି ବ୍ୟାଙ୍କ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତି ବ୍ଲକ୍‌‌ର ସ୍ବତନ୍ତ୍ର ସାମଗ୍ରୀକୁ ନେଇ ପାର୍କ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ପିଏମ୍‌ ବିଶ୍ବକର୍ମା ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ କ୍ଷୁଦ୍ର ଶିଳ୍ପର ବିକାଶ କରାଯାଉଛି। ସେହିପରି, ଭୁବେନଶ୍ବରର ଗଣ୍ଡମୁଣ୍ଡାଠାରେ ୧୩୦ କୋଟି ଟଙ୍କା ବ୍ୟୟରେ ପିଏମ୍‌ ଏକତା ମଲ୍‌ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ନିକଟରେ ତାହାର ଶିଳାନ୍ୟାସ କରାଯାଇଛି। ସେଠାରେ କ୍ଷୁଦ୍ର ଶିଳ୍ପର ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ କରାଯିବ ଏବଂ ଉଦ୍ୟୋଗୀମାନଙ୍କୁ ତାଲିମ ପ୍ରଦାନ କରିବା ଯୋଜନା ରହିଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଏମ୍ଏସ୍‌ଏମ୍‌ଇ ପାର୍କ ଲାଗି ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ପାର୍କ ନିକଟରେ ଶ୍ରମିକ ହଷ୍ଟେଲ୍ ନିର୍ମାଣ କରାଯାଉଛି। ଏହି ଅବସରରେ ସେ ଏମ୍ଏସ୍‌ଏମ୍ଇଗୁଡ଼ିକୁ ୨୦୨୫ ଜାନୁଆରି ୨୮-୨୯ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୪ରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରଣ କରିଛନ୍ତି।

କାର୍ଯ୍ୟକ୍ରମରେ ଓସିଆର ସଭାପତି ସ୍ମରଜିତ ମହାନ୍ତି ଏମ୍ଏସ୍‌ଏମ୍ଇଗୁଡ଼ିକ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଜମି ଆବଣ୍ଟନରେ ବିଳମ୍ବ, ପାଣ୍ଠି ମିଳିବାରେ ଅସୁବିଧା, ବ୍ୟାଙ୍କଗୁଡ଼ିକର ଅସହଯୋଗ ଏବଂ ପ୍ରକ୍ୟୁରମେଣ୍ଟ ନୀତିକୁ ଠିକ୍ ଭାବେ ପାଳନ କରାଯାଉନଥିବା ଉପରେ ସେ ଦୃଷ୍ଟି ନିକ୍ଷେପ କରିଥିଲେ। ଏହି ଅବସରରେ ଓସିଆର ପ୍ରତିଷ୍ଠାତା ସଭାପତି ଚନ୍ଦ୍ର ମାଧବ ମିଶ୍ରଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ପୁତ୍ର ନିଶିକାନ୍ତ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ। ଓଆଇଏର ଅବନୀ କାନୁନ୍‌ଗୋ, ଓଇୱାଇଏର ସୁକାନ୍ତ ମଲ୍ଲିକ, ୟୁପିଏମ୍‌ଏର ସୁବ୍ରତ ଗରାବଡ଼ୁ, ଓସ୍‌ମିର ଗୌରୀ ଶଙ୍କର ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button