IBN ଓଡ଼ିଶା ବ୍ୟୁରୋ

ଗୋଲ୍‌ଡେନ୍‌ ଗ୍ଲୋବ୍‌ରେ ପାୟଲ୍

ପୁ ଣି ଥରେ ଦେଶ ପାଇଁ ଗୌରବ ଆଣିଛନ୍ତି ଉଦୀୟମାନ ସିନେନିର୍ଦ୍ଦେଶିକା ପାୟଲ୍‌ କପାଡ଼ିଆ। ପୂର୍ବରୁ ନିଜ ଫିଲ୍ମ ପାଇଁ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପୁରସ୍କୃତ ହୋଇସାରିଥିବା ବେଳେ ଏବେ ତାଙ୍କର ଆଉ ଏକ ଫିଲ୍ମ ଚର୍ଚ୍ଚାରେ ରହିଛି। ପାୟଲ୍‌ଙ୍କ ନିର୍ଦ୍ଦେଶିତ ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ୍’କୁ ପ୍ରସିଦ୍ଧ ଗୋଲ୍‌ଡେନ୍‌ ଗ୍ଲୋବ୍ ଅନ୍ତର୍ଜାତୀୟ ପୁରସ୍କାର ଲାଗି ୨ଟି ବର୍ଗରେ ପ୍ରତିଯୋଗିତାରେ ସାମିଲ୍‌ କରାଯାଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଅଣ-ଇଂରାଜୀ ଚଳଚ୍ଚିତ୍ର ବର୍ଗରେ ଏହା ପୁରସ୍କ‌ାର ଦୌଡ଼ରେ ଅନ୍ତର୍ଭୁକ୍ତ ହୋଇଛି।

ଯଦି ଆମେ ପାୟଲ୍‌ଙ୍କ ଅତୀତକୁ ପରଖିବା, ତେବେ ଦେଖିବା ସେ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସିଛନ୍ତି। ୨୦୧୫ରେ ପୁନେ ଫି‌‌ଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଧ୍ୟୟନ କରୁଥିବା ବେଳେ ପାୟଲ୍‌ ତାଙ୍କ ସାଥୀମାନଙ୍କ ସହ ମିଶି ଅଭିନେତା ଗଜେନ୍ଦ୍ର ଚୌହାନଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। ଗଜେନ୍ଦ୍ରଙ୍କୁ ଫି‌‌ଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଭାବରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତି ଦିଆଯିବା ପରେ ସେ ଚାରିମାସ ଧରି ଆନ୍ଦୋଳନ କରିଥିଲେ। ତାଙ୍କର ଏହି କାମ ଉଭୟ ସମର୍ଥନ ଓ ବିବାଦକୁ ସ୍ବାଗତ କରିଥିଲା। ଏମିତିକି ତାଙ୍କ ବିରୋଧରେ ଏତଲା ରୁୁଜୁ କରି ପୁନେ ପୁଲିସ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୦୧୭ରେ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର ‘ଆଫ୍‌ଟର୍‌ନୁନ୍ କ୍ଲାଉଡ୍’ କାନ୍‌ ଚଳଚ୍ଚିତ୍ର ଉତ୍ସବ ପାଇଁ ମନୋନୀତ ହେବା ପରେ ପାୟଲ୍‌ଙ୍କ କଳା ଜୀବନ ନୂଆ ମୋଡ଼ ନେଇଥିଲା। ଏଇଠୁ ଆରମ୍ଭ ହୋଇଯାଇଥିଲା ତାଙ୍କ ସଫଳତାର ଯାତ୍ରା। ଏହା ପରେ ୨୦୨୧ରେ ତାଙ୍କ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରି ଫିଲ୍ମ ‘ଏ ନାଇଟ୍ ଅଫ୍ ନୋଇଙ୍ଗ୍ ନଥିଙ୍ଗ୍’ ୭୪ତମ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ପୁରସ୍କାର ଜିତିଥିଲା।

ଏବେ ପୁଣିଥରେ ପାୟଲ୍‌ ଭାରତ ପାଇଁ ଗୌରବ ଆଣିଛନ୍ତି। ଗୋଲ୍‌ଡେନ୍ ଗ୍ଲୋବ୍‌ରେ ପ୍ରଥମ ଭାରତୀୟ ଭାବେ ଶ୍ରେଷ୍ଠ ନିର୍ଦ୍ଦେଶକ ବର୍ଗରେ ସାମିଲ୍‌ ହୋଇ ସେ ଇତିହାସ ରଚିଛନ୍ତି। ଏହାପୂର୍ବରୁ ଚଳିତବର୍ଷ ମେ’ ମାସରେ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବେ ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ୍’ ଗ୍ରାଣ୍ଡ୍ ପ୍ରିକ୍ସ ପୁରସ୍କାର ଜିତିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button