ଅର୍ଚ୍ଚିତାଙ୍କ ବିପକ୍ଷରେ ପ୍ରଥମ ଥର
‘ଭୋକ’ ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି ଅଙ୍କିତ କୁମାର। ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି ସେ। ଏଣେ ଅଙ୍କିତ ନିଜର ଆଗାମୀ ସିନେମା ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ଅଙ୍କିତଙ୍କ ଆଗାମୀ ଓଡ଼ିଆ ଛବି ‘ପାଦେ ଆକାଶ’ରେ ସେ ପ୍ରଥମଥର ପାଇଁ ଓଲିଉଡ୍ର ଲୋକପ୍ରିୟ ନାୟିକା ଅର୍ଚ୍ଚିତାଙ୍କ ବିପକ୍ଷରେ ନଜର ଆସିବେ। କାହାଣୀ ଅନୁଯାୟୀ, ନାୟିକାଙ୍କ ପ୍ରେମିକ ତଥା ଭାବିସ୍ବାମୀ ଭୂମିକାରେ ଅଛନ୍ତି ଅଙ୍କିତ। କିନ୍ତୁ ଘଟଣାକ୍ରମେ ନାୟିକା ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ପକ୍ଷାଘାତରେ ପୀଡ଼ିତ ହୋଇଯାଆନ୍ତି। ତା’ପରେ କାହାଣୀ ନୂଆ ମୋଡ଼ ନିଏ। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଦ୍ବିଭାଷୀ (ଓଡ଼ିଆ-ହିନ୍ଦୀ) ଛବି ‘ପାଦେ ଆକାଶ’ରେ ତାଙ୍କ ଭୂମିକା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମନେ କରନ୍ତି ଅଙ୍କିତ।
‘ପାଦେ ଆକାଶ’ରେ ଅର୍ଚ୍ଚିତାଙ୍କ ସହ ଅଭିନୟର ଅନୁଭୂତି ଖୁବ୍ ଭଲ ବୋଲି କହନ୍ତି ଅଙ୍କିତ। ଆଗରୁ ଅଙ୍କିତ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଟେଲିସିନେମା ‘ପାପ’ରେ ଏଲିନାଙ୍କ ବିପକ୍ଷରେ ନାୟକ ବନିଥିଲେ। ‘ଭୋକ’ରେ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ କାବ୍ୟା କିରଣ। ଏଣେ ଅର୍ଚ୍ଚିତା ଅନୁଭବ, ବାବୁସାନ୍, ସବ୍ୟସାଚୀ, ଅରିନ୍ଦମ ଓ ଆକାଶଙ୍କ ପରି ଆଗଧାଡ଼ିର ନାୟକଙ୍କ ବିପକ୍ଷରେ ଅଧିକାଂଶ ସିନେମାରେ ନଜର ଆସିଛନ୍ତି। ଛୋଟ ପରଦା, ଟେଲି ସିନେମା, ମ୍ୟୁଜିକ୍ ଭିଡିଓ ଏବଂ ସିନେମା, ସବୁଥିରେ ନଜର ଆସିଥିବା ଅଙ୍କିତ କୁମାର ଏନ୍. ପାଢ଼ୀଙ୍କ ନିର୍ଦ୍ଦେଶିତ ‘ପାଗଳ ମୁଁ ତୋ ପାଇଁ’ ଜରିଆରେ ସିନେମାରେ କ୍ୟାରିଅର୍ ଆରମ୍ଭ କରିଥିଲେ। ହେଲେ ତାହା ଆଜିଯାଏ ରିଲିଜ୍ ହୋଇ ପାରିନାହିଁ। ତେବେ ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଭୋକ’ ଓ ‘ମାୟା ଦର୍ପଣ’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଦୃଷ୍ଟିକୋଣ’, ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶିତ ‘ସିନ୍ଦୂର’ ଓ ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଡଟ୍ପେନ୍’ ଆଦି ଓଡ଼ିଆ ଛବିରେ ତାଙ୍କୁ ଦର୍ଶକ ଦେଖିସାରିଛନ୍ତି।