ସାତ୍ ସୱାଲ୍: ମୋ ଭାଗ୍ୟରେ ଯାହା ଥିବ ତାହା ହେବ ବୋଲି ମୁଁ ବିଶ୍ବାସ କରେ
‘ଦୁର୍ଗା’ଧାରାବାହିକ ଜରିଆରେ ଅଭିନୟ ଯାତ୍ରା ଆରମ୍ଭ କରି ଏବେ ସୁଦ୍ଧା ସେ ୩ଟି ସିରିୟଲ୍ରେ କାମ କରିସାରିଲେଣି। ଟେଲିସିନେମା ‘ପୁଅ ଜନମ ପର ଘରକୁ’ ଓ ‘ଚୁଲ୍ବୁଲ୍ ପାଣ୍ଡେ’ର ନାୟିକା ସାଜିଥିବା ଏହି ଅଭିନେତ୍ରୀ ଅନେକ ମ୍ୟୁଜିକ୍ ଭିଡିଓରେ ବି ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। ଅଭିନେତ୍ରୀ ହିତୈଶା ବାଗଙ୍କ ସହ ଅଳ୍ପ ଆଳାପ।
ସଂପ୍ରତି ଆପଣ ‘ସଂଧ୍ୟା-ରାଗିଣୀ’ ଧାରାବାହିକରେ ଦର୍ଶକଙ୍କ ମନୋରଞ୍ଜନ କରାଉଛନ୍ତି। ଅଭିନୟ ଯାତ୍ରାର ପ୍ରାରମ୍ଭିକ ପର୍ବ କେମିତି ଥିଲା?
ତରଙ୍ଗରେ ପ୍ରସାରିତ ‘ଦୁର୍ଗା’ ଧାରାବାହିକରୁ ମୋର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ସେଥିପାଇଁ ଅଡିସନ୍ ଦେଇଥିଲି। ଅଡିସନ୍ରେ ପାସ୍ କରିବା ପରେ ହିଁ ଅଭିନୟ କରିବା ଲାଗି ସୁଯୋଗ ପାଇଥିଲି। ତା’ପରେ ଆଉ ପଛକୁ ଫେରି ଚାହିଁନି।
ଅଭିନୟ ବ୍ୟତୀତ ଆପଣଙ୍କୁ ଆଉ କ’ଣ କରିବାକୁ ଭଲ ଲାଗେ?
ଅଭିନୟ ବ୍ୟତୀତ ମୋତେ ଭଲ ଭଲ ଜିନିଷ ଖାଇବାକୁ, ବୁଲିବାକୁ, ଚିତ୍ର ଆଙ୍କିବାକୁ ଓ ପରିବାର ଲୋକଙ୍କ ସହିତ ସମୟ ବିତାଇବାକୁ ବହୁତ ଭଲ ଲାଗେ।
ଆପଣ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ। ସେଥିରୁ ଆୟ କିପରି ହୁଏ ଦର୍ଶକଙ୍କୁ କହିବେ କି?
ହଁ, ମୁଁ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ। ରୋଜଗାର ହୁଏ, କିନ୍ତୁ ନିର୍ଦ୍ଦିଷ୍ଟତା ନଥାଏ। ମାସକୁ ମାସ ବି ଦେୟ ମିଳି ନଥାଏ। ମାତ୍ର ବ୍ରାଣ୍ଡ୍ କୋଲାବରେସନ୍ ପାଇଁ ଟିକେ ଭଲ ରୋଜଗାର ହୁଏ। କେବଳ ସୋସିଆଲ୍ ମିଡିଆ ପୋଷ୍ଟ୍ ପାଇଁ ଯେ ରୋଜଗାର ହୁଏ; ତାହା ନୁହେଁ।
କେଉଁ ଓଡ଼ିଆ ହିରୋଙ୍କ ବିପକ୍ଷରେ ନାୟିକା ହେବାକୁ ଇଚ୍ଛା ଅଛି?
ସେମିତି କହିଲେ ତ ମୁଁ ସମସ୍ତଙ୍କ ସହ କାମ କରିବାକୁ ପସନ୍ଦ କରିବି। ମାତ୍ର ଏବେ ଯେଉଁ ୨ ଜଣ ସୁପର୍ଷ୍ଟାର୍ ଅଛନ୍ତି- ଅନୁଭବ ମହାନ୍ତି ଓ ବାବୁସାନ୍ ମହାନ୍ତି, ସେମାନଙ୍କ ସହ କାମ କରିବାକୁ ସୁଯୋଗ ମିଳିଲେ ବେଶି ଖୁସି ହେବି।
ଆପଣ ପ୍ରେମ ବିବାହ କରିବେ ନା ଆୟୋଜିତ?
କଥାରେ ଅଛି ଗୋ, ଭୂମି ଓ କନ୍ୟା ଭାଗ୍ୟରେ ଥିଲେ ମିଳନ୍ତି। ଠିକ୍ ସେମିତି ମୋ ଭାଗ୍ୟରେ ଯାହା ଥିବ ତାହା ହିଁ ଘଟିବ। ଆଗକୁ କ’ଣ ହେବ ସେ ବିଷୟରେ ମୁଁ ଚିନ୍ତା କରିନି।
ଜଣେ ଜୀବନସାଥୀ ଭିତରେ କେଉଁ ଗୁଣ ନିହାତି ରହିବା ଦରକାର ବୋଲି ଆପଣ ଭାବନ୍ତି?
ସଚ୍ଚୋଟପଣିଆ ନିହାତି ରହିବା ଦରକାର। ଯେକୌଣସି ପରିସ୍ଥିତିକୁ ବୁଝିବା ପାଇଁ ତାଙ୍କର ଭିନ୍ନ ଦୃଷ୍ଟିକୋଣ ରହିବା ଆବଶ୍ୟକ। ତାଙ୍କ ହୃଦୟରେ ବହୁତ ଭଲପାଇବା ଥିବା ଜରୁରି।
ମନ ଅଶାନ୍ତ ଥିଲେ ଘରେ ରହିବାକୁ ପସନ୍ଦ କରନ୍ତି ନା ବାହାରେ ବୁଲିବାକୁ?
ମନ ଅଶାନ୍ତ ଥିଲେ ମୁଁ ଘରେ ରହିବାକୁ ହିଁ ପସନ୍ଦ କରେ। ଯଦି ମୋର ପ୍ରିୟ ସାଙ୍ଗ କିଏ ମିଳିଯାଆନ୍ତି ତ ମୁଁ ବାହାରକୁ ଯାଇ ବୁଲାବୁଲି କରିବାକୁ ଭଲପାଏ।