ରାଜ୍ୟ

ବର୍ଜ୍ୟ ପରିଚାଳନା ନେଇ ସାମାନ୍ୟ ଆଶ୍ବସ୍ତି: ବାୟୋଗ୍ୟାସ୍ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର: ଭୁବନେଶ୍ବରରେ ହେବ କମ୍ପ୍ରେସ୍‌ଡ୍‌ ବା‌ୟୋଗ୍ୟାସ୍‌ ପ୍ଲାଣ୍ଟ। ସହରରୁ ବାହାରୁଥିବା ଓଦା ବର୍ଜ୍ୟରୁ ଏହି ପ୍ଲାଣ୍ଟ ଗ୍ୟାସ୍‌ ପ୍ରସ୍ତୁତ କରିବ। ଦୁଇ ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ପ୍ଲାଣ୍ଟରେ ୧୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ଲାଣ୍ଟ ଦିନକୁ ୨୦୦ ଟନ୍‌ ବର୍ଜ୍ୟ ପରିଚାଳନା କରିବ। ପରେ ଏହାର କ୍ଷମତା ବଢ଼ିବ। ଏହାର ସମସ୍ତ ଖର୍ଚ୍ଚ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ବହନ କରିବ। ଏଥିପାଇଁ ମେହେରପଲ୍ଲୀ ଠାରେ ୮ ଏକର ଜାଗା ମିଳିଛି। ଆଜି ବିଏମ୍‌ସି ଓ ଅଏଲ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ବିଏମ୍‌ସି କମିସନର ରା‌ଜେଶ ପ୍ରଭାକର ପାଟିଲ୍‌ ଓ ଅଏଲ୍ ଇଣ୍ଡିଆ କାର୍ଯ୍ୟକାରୀ ନିର୍ଦେଶକ ରଞ୍ଜନ ଗୋସ୍ୱାମୀ ଏହି ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।

ବାୟୋଗ୍ୟାସ୍ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ
ପୁରୀ, କୋଣାର୍କ ସମେତ ୮ଟି ଜାଗାରେ ହେବ

ପରିମଳ ଏବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ବର୍ଜ୍ୟରୁ ସମ୍ପଦ ଏକ ଯୁଗପଯୋଗୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିବା ସହ ଗ୍ୟାସ୍‌ ଓ ଖତ ଏହି ପ୍ଲାଣ୍ଟରେ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ବରର ସମେତ ପୁରୀ, କୋଣାର୍କ, କଟକ, ରାଉରକେଲା, ସମ୍ବଲପୁର, ବୌଦ୍ଧ, ସୋନପୁର ଏଭଳି ୮ଟି ଜାଗାରେ ପ୍ଲାଣ୍ଟ ବସିବ। ଅଏଲ ଇଣ୍ଡିଆ ଏଭଳି ପ୍ଲାଣ୍ଟ ସ୍ଥାପନ କରିବ। ଗୋବର, କୁଟା ଓ ଅନ୍ୟାନ୍ୟ କୃଷିଭିତ୍ତିକ ବର୍ଜ୍ୟରୁ ବାୟୋଗ୍ୟାସ୍‌ ପ୍ରସ୍ତୁତ କରାଯିବ। କଟକରେ ଗୋପାଳକ ଥିବାରୁ ସେଠାରେ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ପ୍ରସ୍ତୁତ ହେବ। କେବଳ ଗ୍ୟାସ୍‌ ନୁହେଁ, ବରଂ ବର୍ଜ୍ୟରୁ ଶକ୍ତି(ୱେଷ୍ଟ ଟୁ ଏନର୍ଜି) ପ୍ରସ୍ତୁତ କରିବା ପାଇଁ ଯୋଜନା ହେଉଛି। ଏହାର ସମ୍ଭାବ୍ୟତା ଅନୁସନ୍ଧାନ କରିବା ପରେ ବ୍ୟବସ୍ଥା ହେବ। ୬ଟି ଜାଗାରେ ୱେଷ୍ଟ ଟୁ ଏନର୍ଜି ପ୍ଲାଣ୍ଟ ବସିବ। ବଡ଼କଥା ହେଉଛି ମହାନଦୀ ଅବବାହିକାର ପ୍ରାୟ ୧୫ହଜାର ବର୍ଗ କିମି ଅଞ୍ଚଳରେ ଅଏଲ୍‌ ଇଣ୍ଡିଆ ତେଲ ଓ ପ୍ରାକୃତିକ ଗ୍ୟାସ୍‌ର ସନ୍ଧାନ କରୁଛି। ଏଥିରୁ ୩ ରୁ ୯ ମିଲିଅନ୍‌ ଟନ୍‌ ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢୀ ବର୍ଜ୍ୟ ପରିଚାଳନା ନେଇ ଆଗାମୀ ଦିନରେ ବିଏମ୍‌ସି ରାଜ୍ୟରେ ଆଦର୍ଶ ହେବ ବୋଲି କହିଥିଲେ। ଅଏଲ୍‌ ଇଣ୍ଡିଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡ. ରଞ୍ଜିତ ରଥ ବର୍ଜ୍ୟ ପୃଥକୀକରଣକୁ ନେଇ ବିଏମ୍‌ସିକୁ ପ୍ରଶଂସା କରିଥିଲେ। ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିମଳ ଷ୍ଟାଣ୍ଡିଂ କମିଟି ସଦସ୍ୟ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଡାଇରେକ୍ଟର ଅପରେସନ(ଅଏଲ୍‌ ଇଣ୍ଡିଆ) ତ୍ରୈଲୋକ୍ୟ ବୋରଗୋହି ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button