ଶ୍ରଦ୍ଧାଞ୍ଜଳି: ପ୍ରେମ ବିବାହ କରିଥିଲେ
ବିଶ୍ବରେ ଭାରତୀୟ ସଙ୍ଗୀତ ଜଗତର ଉଜ୍ଜ୍ବଳ ଦୀପଶିଖା ଜାକିର ହୁସେନଙ୍କ ଜୀବନ ଦୀପ ଲିଭିଯାଇଛି। ୭୩ ବର୍ଷ ବୟସରେ ଆମେରିକାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତବଲାେର ତାଙ୍କ ଆଙ୍ଗୁଠି ଚାଲିବା ସମୟରେ ଯେଉଁ ନାଦ ଏବଂ ତାଳ ସୃଷ୍ଟି ହେଉଥିଲା ତାହା ସମସ୍ତଙ୍କୁ ବାନ୍ଧି ରଖୁଥିଲା। ମୁକୁଳା କେଶଗୁଚ୍ଛା ସହ ସୌମ୍ୟକାନ୍ତି ଚେହେରାର ଜାକିର ଯେ କେବଳ ଜଣେ ବିଖ୍ୟାତ ତବଲା ବାଦକ ବା ସଙ୍ଗୀତଜ୍ଞ ଥିଲେ ତାହା ନୁହେଁ ଜଣେ ନମ୍ର ଓ ଭଦ୍ର ବ୍ୟକ୍ତିଭାବେ ମଧ୍ୟ ପରିଚିତ ଥିଲେ। ଭାରତର ମୁମ୍ବାଇରେ ୧୯୫୧ ମସିହାରେ ଜନ୍ମିତ ଜାକିର ୨୦୨୪ ମସିହାରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଆରପାରିକୁ ଚାଲିଯାଇଛନ୍ତି। ତାଙ୍କ ପରଲୋକରେ ଭାରତ ଏବଂ ବିଶ୍ବ ସଙ୍ଗୀତଜଗତ ଜଣେ ଖ୍ୟାତନାମା ସଙ୍ଗୀତଜ୍ଞଙ୍କୁ ହରାଇଛି। ତାଙ୍କ ଜୀବନର କେତୋଟି ଘଟଣାକୁ ନେଇ ଏହି ସ୍ବତନ୍ତ୍ର ପ୍ରତିବେଦନ…
ମା ରାଜି ନଥିଲେ, ବାପା ସାହାଯ୍ୟ କରିଥିଲେ
ଜାକିର ହୁସେନ ଦେଶବିଦେଶର ସଙ୍ଗୀତ ଜଗତରେ ବେଶ୍ ପରିଚିତ। ୭ ବର୍ଷ ବୟସରେ ବିଚକ୍ଷଣ ଶିଶୁ ଜାକିର ତବଲା ବଜାଇବାର କଳାକୁ ଦକ୍ଷତାର ସହ ହାସଲ କରିପାରିଥିଲେ। ଜାକିର କଥକ ନୃତ୍ୟଶିଳ୍ପୀ ଆଣ୍ଟୋନିଆ ମିନେକୋଲାଙ୍କୁ ବିବାହ କରିଥିଲେ। ପନ୍ନୀ ମିନେକୋଲା ମଧ୍ୟ ଜାକିର ହୁସେନଙ୍କ ମ୍ୟାନେଜର ରହିଥିଲେ। ୧୯୭୮ ମସିହାରେ ସେମାନଙ୍କ ବାହାଘର ହୋଇଥିଲା। ସେମାନଙ୍କର ଦୁଇ ଝିଅ ଅଛନ୍ତି। ସେମାନଙ୍କ ନାମ ହେଲା ଅନିଷା କ୍ୟୁରେସି ଓ ଇସାବେଲା କ୍ୟୁରେସି। ଜାକିର ହୁସେନ୍ ଏବଂ ଆଣ୍ଟୋନିଆଙ୍କର ପ୍ରଥମେ ୭୦ ଦଶକରେ କାଲିଫର୍ଣ୍ଣିଆରେ ଭେଟ ହୋଇଥିଲା। ସେତେବେଳେ ଜାକିର ତବଲା ଏବଂ ଆଣ୍ଟୋନିଆ କଥକ ତାଲିମ ନେଉଥିଲେ। ପ୍ରଥମ ଦେଖାରେ ଜାକିର ଆଣ୍ଟୋନିଆଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଆଣ୍ଟୋନିଆ କିନ୍ତୁ ଜାକିରଙ୍କ ସହିତ ସଂପର୍କ ଆରମ୍ଭ ନେଇ ଦ୍ବନ୍ଦ୍ବରେ ଥିଲେ। ଆଣ୍ଟୋନିଆଙ୍କ କ୍ଲାସ ଶେଷ ହେବା ପର୍ଯ୍ୟନ୍ତ ଜାକିର କିନ୍ତୁ ସବୁଦିନ ସେଠାରେ ତାଙ୍କୁ ଅପେକ୍ଷା କରି ରହିଥାନ୍ତି।
ପ୍ରଥମ ସାକ୍ଷାତ୍ର ୮ ବର୍ଷ ପରେ ସେମାନଙ୍କ ମଧ୍ୟରେ ବାହାଘର ହୋଇଥିଲା। ଉଭୟ ପରସ୍ପରକୁ ଡେଟିଂ କରିବାର କିଛି ଦିନ ପରେ ଆଣ୍ଟୋନିଆଙ୍କ ଏହି ସଂପର୍କ ବିଷୟରେ ତାଙ୍କ ବାପାମା’ ଜାଣିଥିଲେ। ତେବେ ଆଣ୍ଟୋନିଆଙ୍କ ବାପା ଝିଅକୁ ଜଣେ ସଙ୍ଗୀତଜ୍ଞଙ୍କୁ ବିବାହ କରିବା ସପକ୍ଷରେ ନଥିଲେ। କାରଣ ସେ ସମୟରେ ସଙ୍ଗୀତରୁ ଠିକ୍ରେ ଆୟ ହେଉ ନଥିଲା। ଏହା ସତ୍ତ୍ବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଜାକିର ଏକଦା କହିଥିଲେ ଯେ ତାଙ୍କ ପରିବାରରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ କି ଜାତି ବାହାରେ ବିବାହ କରିବାକୁ ସ୍ଥିର କରିଥିଲେ। ତାଙ୍କ ନିଷ୍ପତ୍ତିଙ୍କୁ ମା କିନ୍ତୁ ସମର୍ଥନ କରି ନଥିଲେ। ଜାକିରଙ୍କ ବାପା ପତ୍ନୀଙ୍କ ଅଜାଣତରେ ପୁଅର ବାହାଘର ଆଣ୍ଟୋନିଆଙ୍କ ସହିତ କରିବା ପାଇଁ ସାହାଯ୍ୟ କରିଥିଲେ। ସେମାନେ କିଛିବର୍ଷ ଏକାଠି ରହିବା ପରେ ଆଣ୍ଟୋନିଆଙ୍କୁ ଜାକିରଙ୍କ ମା’ ବୋହୂ ଭାବେ ଗ୍ରହଣ କରିଥିଲେ। ଜାକିର ଏହା ମଧ୍ୟ ସ୍ବୀକାର କରିଥିଲେ ଯେ ଆଣ୍ଟୋନିଆ ଆମେରିକାରେ ରହୁଥିଲେ। ସେ ନିଜେ ବିଭିନ୍ନ ସ୍ଥାନକୁ କନସର୍ଟ କରିବାକୁ ଯିବା ସହ ରୋଜଗାର ପାଇଁ ସଂଘର୍ଷ କରୁଥିଲେ। ଆଣ୍ଟୋନିଆ କିନ୍ତୁ ତାଙ୍କ ଜୀବନକୁ ଦୁଇ ଝିଅଙ୍କ ଦେଖାଶୁଣା ପାଇଁ ଯେତେ ସମ୍ଭବ ଜୀବନ ଉତ୍ସର୍ଗ କରିଦେଇଥିଲେ।
ଜାକିର ଯେତେବେଳେ ବାହାରକୁ ସଙ୍ଗୀତ କାର୍ଯ୍ୟକ୍ରମରେ ଯାଉଥିଲେ ଆଣ୍ଟୋନିଆ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥିପାଇଁ ଅନେକ ସମୟରେ ତାଙ୍କ ଭିତରେ ରାଗ ଓ ଅବସାଦ ଦେଖାଦେଉଥିଲା। କିନ୍ତୁ ପିଲାଙ୍କ ପାଇଁ ସେ ସବୁକିଛି ସହି ଯାଉଥିଲେ। ଉଭୟ ଜାକିର ଓ ଆଣ୍ଟୋନିଆ ପରସ୍ପରର ପରମ୍ପରା ଓ ପାରିବାରିକ ମୂଲ୍ୟବୋଧକୁ ସମ୍ମାନ ଦେଉଥିଲେ। ପିଲାମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେବାକୁ ଯଥାସମ୍ଭବ ଉଦ୍ୟମ କରିଛନ୍ତି।