ଜିଦ୍ ଓ ଆଗ୍ରହ ସୁଦୀପଙ୍କୁ ଆଜି ଆଣିଦେଇଛି ସଫଳତା, ଜାତୀୟ ସ୍ତରର ଖେଳାଳୀ ହେବାର ହାସଲ କରିଛନ୍ତି ଗୌରବ
ହକିର ଗଡ ସୁନ୍ଦରଗଡ଼ର ନିପଟ ମଫସଲ ବଡନୁଆ ଗାଁରେ ଜନ୍ମଗ୍ରହଣ କରିଛନ୍ତି ସୁଦୀପ ଚିରମାକୋ । ଜିଲ୍ଲା ସ୍ତରରୁ ସଫଳତା ପାଇବା ପରେ ପରେ ରାଜ୍ୟ ଓ ଜାତୀୟ ସ୍ତରର ଜୁନିଅର ଟିମ୍ ରେ ସ୍ଥାନ ପାଇଛନ୍ତି । ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଥିବା ଭାରତୀୟ ହକି ଲିଗ୍ ମ୍ୟାଚରେ ଉତ୍ତର ପ୍ରଦେଶର ରୁଦ୍ର ଟିମ୍ ର ଖେଳାଳୀ ଭାବେ ଏଥର ଖେଳିବେ ସୁଦୀପ ଚିରମାକୋ ।
ବଡନୁଆ ଗାଁରେ କୌଣସି ଖେଳ ପଡିଆ ନଥିବା ବେଳେ ବାପା ଓ ମାଆଙ୍କ ଆର୍ଥିକ ଦୁରାବସ୍ଥାରେ ହକି ଷ୍ଟିକ୍, ବଲ କିମ୍ବା ଜୋତା କିଣିବା ସକ୍ଷମ ନଥିଲା । କିନ୍ତୁ ହକି ଖେଳିବାର ଜିଦ୍ ଓ ଆଗ୍ରହ ସୁଦୀପଙ୍କୁ ଆଜି ଏଭଳି ଏକ ସମ୍ମାନଜନକ ସ୍ଥାନରେ ପହଞ୍ଚାଇଛି । ବଙ୍କା କାଠ ବାଡ଼ି ଓ ଆତରେ ଖେଳୁ ଖେଳୁ ଆଜି ଜାତୀୟ ସ୍ତରର ଖେଳାଳୀ ହେବାର ଗୌରବ ହାସଲ କରିଛନ୍ତି । ପୁଅର ଏପରି ସଫଳତାରେ ବେଶ ଖୁସି ଅଛନ୍ତି ବାପା ଓ ମା ।
ଗାଁରେ ଅନ୍ୟମାନେ ଗଛର ବଙ୍କା ଡାଳରେ ହକି ଖେଳୁଥିବା ଦେଖି ସୁଦୀପଙ୍କର ଆଗ୍ରହ ବଢିଥିଲା । ଜୋତା, ହକି ବାଡ଼ି କିମ୍ବା ବଲ ନଥିଲେ ମଧ୍ୟ ଉନ୍ନତମାନର ହକି ଖେଳି ନିଜର ଦକ୍ଷତା ଦେଖାଇ ଜିଲ୍ଲା ସ୍ତରରେ ଖେଳାଳୀ ହେବାର ସୁଯୋଗ ପାଇଥିଲେ । ହକି ଛାତ୍ରାବାସକୁ ଯାଇ ସରକାରଙ୍କ ପ୍ରୋତ୍ସାହନ ଫଳରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ସୁଦୀପ । ତାଙ୍କ ସଫଳତା ପାଇଁ ଗାଁରେ ଖୁସିର ଲହରୀ ଖେଳିଯାଇଛି।
ଲକ୍ଷ ସ୍ଥଳରେ ପହଞ୍ଚିବା ଜିଦ ମତେ ଏଭଳି ସଫଳତା ଆଣି ଦେଇଛି । ଆଗାମୀ ଦିନରେ ଜାତୀୟ ଦଳରେ ସ୍ଥାନ ପାଇ ଭାରତକୁ ସ୍ବର୍ଣ୍ଣ ପଦକ ଦେବା ପାଇଁ ଆଶା ରଖିଛି ବୋଲି କହିଛନ୍ତି ସୁଦୀପ ଚିରମାକୋ । ଜାତୀୟ ଜୁନିଅର ଟିମରେ ଖେଳୁ ଖେଳୁ ଲିଗ୍ ମ୍ୟାଚରେ ଉତ୍ତର ପ୍ରଦେଶର ରୁଦ୍ର ଟିମ୍ ର ଏବେ ଖେଳାଳୀ ହୋଇ ସମସ୍ତଙ୍କୁ ଗର୍ବିତ କରୁଛନ୍ତି ସୁଦୀପ ।