ଖେଳ

ହକି ଦେଖିବାକୁ ମାଗଣା ଟିକେଟ

ନୂଆଦିଲ୍ଲୀ: ହକିର ପ୍ରଚାର ଓ ପ୍ରସାର ଲାଗି ହକି ଇଣ୍ଡିଆ ମଙ୍ଗଳବାର ରାଉରକେଲା ଓ ‌ରାଞ୍ଚିରେ ହେବାକୁ ଥିବା ହକି ଇଣ୍ଡିଆ ଲିଗ୍‌ (ହିଲ୍‌) ଲାଗି ଟିକଟକୁ ଦେୟମୁକ୍ତ କରିଛି। ଫଳରେ ରାଉରକେଲା ଓ ରାଞ୍ଚିରେ ପ୍ରଶଂସକମାନେ ମାଗଣା ପ୍ରବେଶ କରି ‘ହିଲ୍‌’ ମଜା ଉଠାଇପାରିବେ। ‘ହିଲ୍‌’ର ପରିଚଳାନା କମିଟି ଅଧ୍ୟକ୍ଷ ଦିଲୀପ ତିର୍କି କହିଛନ୍ତି ଯେ ‘‘ଏହା ଭାରତର ହକି ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ। ମାଗଣା ଟିକଟ ଦ୍ବାରା ଆମେ ସୁନିଶ୍ଚିତ କରିବୁ ଯେ ହକିପ୍ରେମୀଙ୍କୁ ନିଜର ମନପସନ୍ଦ ଖେଳାଳିଙ୍କ ଖେଳ ଦେଖିବାରେ ଅର୍ଥ ବାଧା ଦେବନି। ରାଉରକେଲା ଓ ରାଞ୍ଚିରେ ହକି ପ୍ରତି ଅହେତୁକ ଭଲପାଇବା ଅଛି। ଆମେ ସେଠାରେ ପ୍ରଶଂସକଙ୍କ ମନରେ ଉତ୍ସାହ ଓ ଊର୍ଜା ଭରିବାକୁ ଚାହୁ।’’ ସେହିଭଳି ପରିଚାଳନା କମିଟି ସଦସ୍ୟ ଭୋଳାନାଥ ସିଂହ କହିଛନ୍ତି ଯେ ‘‘ପ୍ରଶଂସକମାନେ ଆମର ପ୍ରତ୍ୟେକ ପଦକ୍ଷେପର କେନ୍ଦ୍ରବିନ୍ଦୁ।

ମାଗଣା ଟିକଟ ପରିକଳ୍ପନା ସେମାନଙ୍କ ପ୍ରତି ଧନ୍ୟବାଦ ଜଣାଇବାର ଏକ ପ୍ରୟାସ। ଆମେ ଚାହୁଛୁ ଯେ ପ୍ରତ୍ୟେକ ଷ୍ଟାଣ୍ଡର ସବୁ ଶୂନ୍ୟ ସିଟ୍ ପ୍ରଶଂସକଙ୍କ ଉତ୍ସାହ ଓ ଚିତ୍କାରରେ ଭରିଯାଉ। ‘ହିଲ୍‌’ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ହକିର ଏକ ଉତ୍ସବ, ଯାହାକୁ ଆମେ ‘ହକି କା ଜସ୍ନ’ କହିପାରୁ। ଟିକଟ ମାଗଣା କରିବା ଦ୍ବାରା ପ୍ରଶଂସକ ବିନା ପ୍ରତିବନ୍ଧକରେ ନିଜର ସ୍ମୃତିକୁ ଜୀବନ୍ତ କରିପାରିବେ।’’ ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪-୨୫ରେ ୮ ପୁରୁଷ ଓ ୪ ମହିଳା ଦଳ ଭାଗନେବେ। ପୁରୁଷ ଲିଗ୍‌ର ଆରମ୍ଭ ଚଳିତ ମାସ ୨୮ରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ହେବ ଏବଂ ଫାଇନାଲ ମ୍ୟାଚ୍ ୨୦୨୫ ଫେବ୍ରୁଆରି ୧ରେ ଖେଳାଯିବ। ମହିଳା ଲିଗ୍ ଆସନ୍ତା ବର୍ଷ ଜାନୁଆରି ୧୨ରୁ ରାଞ୍ଚିର ମାରାଂ ଗୋମକେ ଜୟପାଲ ସିଂହ ମୁଣ୍ଡା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍‌ରେ ଖେଳାଯିବ। ଏହାର ଫାଇନାଲ୍‌ ୨୬ ତାରିଖରେ ଅନୁଷ୍ଠିତ ହେବ। ଏହା ସହିତ, ଆଉ ଅନ୍ୟ ଅଞ୍ଚଳରେ ମଧ୍ୟ କିଛି ପୁରୁଷ ଓ ମହିଳା ମ୍ୟାଚ୍ ଆୟୋଜନ କରାଯିବ। ମାଗଣା ଟିକଟ୍‌ ଏବେ ୱେବ୍‌ ପୋର୍ଟାଲ (https://ticketgenie.in/Event/hero-hockey-india-league-2024-25) ଏବଂ ଆପ୍‌ରେ ଉପଲବ୍ଧ ଅଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button