ଖେଳ

ହାମିଲଟନ୍ ଟେଷ୍ଟ୍‌: ସାଉଦିଙ୍କୁ ସାନ୍ତ୍ବନା ବିଜୟରେ ବିଦାୟୀ

ହାମିଲଟନ୍‌: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଏହାର ଦୃତ ବୋଲର ଟିମ୍‌ ସାଉଦିଙ୍କୁ ବିଜୟ ଉପହାର ସହ ବିଦାୟ ଦେଇଛି। ପ୍ରଥମ ଦୁଇ ମ୍ୟାଚ୍‌ ଜିତି ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ବାଧୀନ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ଆଗୁଆ କବ୍‌ଜା କରି ନେଇଥିଲା। ହେଲେ ଶେଷ ତଥା ତୃତୀୟ ଟେଷ୍ଟ୍‌କୁ ଘରୋଇ ଦଳ ୪୨୩ ରନ୍‌ରେ ଜିତି ପରାଜୟ ବ୍ୟବଧାନକୁ ୧-୨କୁ ଆଣିଛି। ଏହି ବିଜୟ ସହ ସାଉଦିଙ୍କ ୧୬ ବର୍ଷର ଟେଷ୍ଟ୍‌ ଜୀବନ ଶେଷ ହୋଇଛି। ୬୫୮ ରନ୍‌ର ଅସମ୍ଭବ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୨୪୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜ୍ୟାକବ ବେଥେଲ (୭୬) ଓ ଜୋ ରୁଟ୍‌ (୫୪) ପରାଜୟକୁ ସାମାନ୍ୟ ଡେରି କରିଥିଲେ। ମିଚେଲ ସାଣ୍ଟନର୍‌ ୪ ଓ ବିଦାୟୀ ମ୍ୟାଚ୍‌ ଖେଳୁଥିବା ସାଉଦି ୨ ‌ୱିକେଟ୍‌ ନେଇଥିଲେ।

ନ୍ୟୁଜିଲାଣ୍ଡର ସର୍ବାଧିକ ୱିକେଟ୍‌ ହାସଲକାରୀ ୩୬ ବର୍ଷୀୟ ସାଉଦି ‌ସବୁ ଫର୍ମାଟ୍‌ରେ ୭୭୬ ୱିକେଟ୍‌ ଅକ୍ତିଆର କରିଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରେ ନ୍ୟୁଜିଲାଣ୍ଡର ସର୍ବାଧିକ ୱିକେଟ୍‌ ହାସଲକାରୀ ରିଚାର୍ଡ ହାଡ୍‌ଲି (୪୩୧)ଙ୍କ ପରେ ସାଉଦି (୩୯୧) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସାଉଦି ୨୦୦୮ ନାପିଅର ଟେଷ୍ଟ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳି ଟେଷ୍ଟ୍‌ ପଦାର୍ପଣ କରିଥିଲେ। ଏହି ପଦାର୍ପଣ ମ୍ୟାଚ୍‌ରେ ସେ ପ୍ରଥମ ପାଳିରେ ୫/୫୫ ବୋଲିଂ ସଫଳତା ପାଇଥିଲେ। ଏଥିସହ ଦ୍ବିତୀୟ ପାଳିରେ ୪୦ ବଲ୍‌ରୁ ୯ ଛକା ଓ ୪ ଚୌକା ସହ ୭୭ ରନ୍‌ କରିଥିଲେ। ଏହି ପ୍ରଦର୍ଶନ ଦଳରେ ତାଙ୍କ ସ୍ଥାନ ସୁରକ୍ଷିତ କରିଥିଲା। ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ପହଞ୍ଚିବାରେ ସାଉଦିଙ୍କ ପ୍ରମୁଖ ଅବଦାନ ରହିଥିଲା। ‌ହେଲେ ତାଙ୍କ ଦଳ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ୨୦୨୧ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ନ୍ୟୁଜିଲାଣ୍ଡ ଜିତିବା ତାଙ୍କ ବଡ଼ ଟ୍ରଫି ଧରିବାର ସ୍ବପ୍ନକୁ ସାକର କରିଥିଲା। ୨୦୨୨ରେ ସେ ଟେଷ୍ଟ୍‌ ଦଳର ନେତୃତ୍ବ ଭାର ନେଇଥିଲେ। ‌ତାଙ୍କ ନେତୃତ୍ବରେ ଦଳ ୧୪ ଟେଷ୍ଟ୍‌ ଖେଳି ୬ ଲେଖାଏଁ ବିଜୟ ଓ ପରାଜୟ ପାଇଥିଲା ବେଳେ ୨ଟି ଅମୀମାଂସିତ ରଖିଥିଲା।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୩୪୭। ଇଂଲଣ୍ଡ ପ୍ରଥମ ପାଳି: ୧୪୩। ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳି: ୪୫୩। ଇଂଲଣ୍ଡ ଦ୍ବିତୀୟ ପାଳି: ୨୪୩ (ଜ୍ୟାକବ୍ ବେଥେଲ୍‌-୭୪, ଜୋ ରୁଟ୍‌-୫୪, ଗସ୍‌ ଆଟ୍‌କିନ୍‌ସନ୍‌-୪୩, ମିଚେଲ ସାଣ୍ଟନର-୪/୮୫, ଟିମ୍ ସାଉଦି-୨/୩୪, ମ୍ୟାଟ୍ ହେନରି-୨/୬୨)।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button