୨୦୦ ଫୁଟିଆ ରାସ୍ତା ଭାଗ୍ୟ ସିଲ୍! ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ
ଚନ୍ଦ୍ରଶେଖରପୁର: ରାଜ୍ୟ ସରକାର ବଦଳିବାକୁ ୭ ମାସ ହେଲାଣି। ବିଜେପି ଏବେ ରାଜ୍ୟ କ୍ଷମତାର ମଙ୍ଗ ଧରିଛି। ନୂଆ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀମଣ୍ଡଳ ବି ନୂଆ। ମନ୍ତ୍ରୀମାନେ ୭ ମାସ ହେଲା କ୍ଷମତା ଉପଭୋଗ କରିଥିଲେ ମଧ୍ୟ ରାଜଧାନୀର ପ୍ରମୁଖ ସମସ୍ୟାର ସମାଧାନ ଦିଗରେ କାଣିଚାଏ ବି ପଦକ୍ଷେପ ନେଇନାହାନ୍ତି। ବରଂ ସପ୍ତାହକ ତଳେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସରକାରୀ ବାବୁମାନେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ସହରର ନୀଳ ନକ୍ସାର ଚିତ୍ର ଉତାରି ଦେଇଥିଲେ ସତ। ମାତ୍ର ପ୍ରକଳ୍ପଗୁଡ଼ିକ କେବେ ଶେଷ ହେବ ସେନେଇ ଉତ୍ତର ରଖିପାରି ନଥିଲେ।
ବିଶେଷକରି ସହରର ଜନଗହଳିପୂର୍ଣ୍ଣ ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ନିର୍ମାଣାଧୀନ ବାମପାର୍ଶ୍ବ ବିକଳ୍ପ ରାସ୍ତା କେବେ ସରିବ ସେନେଇ କିଛି କହିନାହାନ୍ତି। ଯେତେବେଳେ କି ୧୩ କିମି ଏହି ରାସ୍ତାରେ ଏବେ ଭିଡ଼ ଅଣାୟତ୍ତ ହେଉଛି। ସବୁବେଳେ ଏହି ରାସ୍ତାରେ ଶହ ଶହ ଗାଡ଼ି ଟ୍ରାଫିକ୍ରେ ଫସି ରହୁଛି। ପୂର୍ବ ସରକାର ସମୟରେ ଡାହାଣପାର୍ଶ୍ବ ସମାନ୍ତରାଳ ରାସ୍ତା ଆଚାର୍ଯ୍ୟ ବିହାରରୁ ଡମଣା ଛକ ପର୍ଯ୍ୟନ୍ତ ସଂଯୋଗୀକରଣ ହୋଇଥିବାରୁ ଲୋକେ ଟିକିଏ ଆଶ୍ବସ୍ତ ଅନୁଭବ କରୁଛନ୍ତି। ମାତ୍ର ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଯେଉଁଠି ଥିଲା ସେଇଠି ଅଟକିଛି। ୮ ମାସ ହେଲା ଇଞ୍ଚିଏ ବି ଆଗେଇପାରି ନାହିଁ। ୫ ବର୍ଷ ହେଲା ପର୍ଯ୍ୟାୟକ୍ରମେ ନିର୍ମାଣ ହେଉଥିବା ଏହି ରାସ୍ତା କେତେବେଳେ ସାଲିଆସାହିରେ ତ ଆଉ କେତେବେଳେ ପଥରଗାଡ଼ିଆ ପଟୁ ପ୍ରଶାସନକୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ପରିଣାମ ସ୍ବରୂପ ସାଲିଆସାହି ଭିତରେ ଏଯାଏ ରାସ୍ତା ପଶିପାରି ନାହିଁ। ୯୦୦ ମିଟର ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ଝାଳନାଳ ହୋଇଗଲାଣି। ଏହି ସମସ୍ୟାର ସମାଧାନ ହୋଇ ନ ଥିବା ବେଳେ ଚୁନୁକୋଳି ଗାଁ ଲୋକେ ମଧ୍ୟ ନିଜ ଜିଦ୍ରେ ଅଟଳ ରହିଛନ୍ତି।
ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ
ପ୍ରକଳ୍ପ ନକ୍ସା ବଦଳିବନି, ଆଗକୁ ବଢ଼ିବ କାମ
ସାଲିଆସାହି ଓ ଚୁନୁକୋଳିରେ ବଢ଼ୁଛି ଅସନ୍ତୋଷ
ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହରେ ବିଡିଏ ଉପାଧ୍ୟକ୍ଷ ଏନ୍. ଥିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ୨୦୦ ଫୁଟିଆ ରାସ୍ତା କାମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡିଏ ସମେତ ପୂର୍ତ୍ତ, ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ପୂର୍ବଭଳି ଆଗେଇବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଏହି ରାସ୍ତାକୁ ଦୁଇଟି ସ୍ଥାନରେ ବିରୋଧ କରାଯାଉଥିବାରୁ ତାହାର କିଭଳି ମୁକାବିଲା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ। ତା’ପରେ ଯାଇ ରାସ୍ତା କାମ ହେବ। ତେବେ ବସ୍ତିବାସିନ୍ଦାଙ୍କୁ କେଉଁଠାରେ ଓ କେବେ ସୁଦ୍ଧା ଥଇଥାନ କରାଯିବ ସେନେଇ ସ୍ପଷ୍ଟ କରାଯାଇ ନାହିଁ। ଖୁବ୍ଶୀଘ୍ର ସଂଯୋଜନା କମିଟି ବୈଠକ ବସି ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।
ପ୍ରକଳ୍ପ ଆଗକୁ ନେବାକୁ ରାଜ୍ୟ ସରକାର ନକ୍ସା କରୁଥିଲେ ମଧ୍ୟ ସେତେଟା ସହଜ ହେବନାହିଁ। କାରଣ ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଯେଉଁ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର୍ କରିଛନ୍ତି ତାହା ପୂରଣ କରିବା ଏବେ ଆହ୍ବାନ ସୃଷ୍ଟି ହୋଇଛି। ଏହି ରାସ୍ତା ଚୁନୁକୋଳି ଗାଁ ବାହାରେ ଯିବ ନା ପରିବର୍ତ୍ତିତ ନକ୍ସା ଅନୁଯାୟୀ ଗାଁ ଭିତର ଦେଇ ଆଗକୁ ବଢ଼ିବ ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଗାଁ ଭିତର ଦେଇ ରାସ୍ତା ନେବା ସମୟରେ ଯେଉଁ ବିରୋଧ ହୋଇଥିଲା ସେଥିରେ ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇଥିଲେ। ଏବେ ରାଜ୍ୟରେ ବିଜେପି ସରକାର। ସାଂସଦ ପଦବିରେ ଶ୍ରୀମତୀ ଷଡ଼ଙ୍ଗୀ ରହିଛନ୍ତି। ତେଣୁ ଉଭୟଙ୍କ ନିଷ୍ପତ୍ତି ଉପରେ ଏବେ ଚୁନୁକୋଳି ଗ୍ରାମବାସୀଙ୍କ ନଜର ରହିଛି। ସେମାନଙ୍କ କହିବା କଥା ହେଉଛି ଯେ ୨୦୧୭ରେ ରାଜ୍ୟ ସରକାର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେବା ସହ ଖାଲି ଜାଗାରେ ଆବଶ୍ୟକ ମାଟି ବାଲି ପଥର ପକାଇ ରାସ୍ତା ପ୍ରସ୍ତୁତ କରିଥିଲେ। ତେବେ କେତେ ଜଣ ପୁଞ୍ଜିପତି, ବ୍ୟବସାୟୀଙ୍କ ଚାପରେ ରାସ୍ତାର ନକ୍ସା ପରିବର୍ତ୍ତନ ହୋଇଥିଲା। ଏବେ ରାଜ୍ୟରେ ବିଜେପି ସରକାର ଆସିଥିବାରୁ ଆମ ଦୁଃଖ ଶୁଣିବେ ବୋଲି ଆଶା ରଖିଛୁ।