ରାଜ୍ୟ

ପର ପ୍ଲଟ୍‌ ବନ୍ଧକ ରଖି ବ୍ୟାଙ୍କରୁ ୯୦ ଲକ୍ଷ ଋଣ: ବନ୍ଧାହେଲେ ୨ଧୂର୍ତ୍ତ

ଭୁବନେଶ୍ବର: ପର ପ୍ଲଟ୍‌କୁ ବ୍ୟାଙ୍କ୍‌ରେ ବନ୍ଧକ ରଖି ୯୦ ଲକ୍ଷ ଟଙ୍କା ଋଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୨ ଧୂର୍ତ୍ତଙ୍କୁ ବାନ୍ଧିଛି। ବିଶ୍ବାସରେ ବିଷ ଦେଇଥିବା ଅଭିଯୁକ୍ତଦ୍ବୟ ହେଲେ ଭୀମଟାଙ୍ଗୀ ଅଞ୍ଚଳର ଆଶୁତୋଷ ଆଚାର୍ଯ୍ୟ(୪୭) ଓ ଲିଙ୍ଗିପୁର ଅଞ୍ଚଳରେ ରହୁଥିବା ପୁରୀ ଚନ୍ଦନପୁରର ବିଭୂତି ଭୂଷଣ ପ୍ରଧାନ(୩୬)। ପୁଲିସ ସୂଚନାନୁସାରେ ୨୦୧୯ ମସିହାରେ ଝାରପଡ଼ା ଅଞ୍ଚଳର ସାଇରା ବିବି ତାଙ୍କ ଆର୍ଥିକ ସମସ୍ୟା ହେତୁ ୧୦ ଲକ୍ଷ ଟଙ୍କା ଆବଶ୍ୟକ କରୁଥିଲେ। ନିଜ ପ୍ଲଟ୍‌କୁ ବନ୍ଧକ ରଖି କୌଣସି ବ୍ୟାଙ୍କ୍‌ରୁ ସେ ଋଣ କରିବାକୁ ଚାହୁଥିଲେ। ଏଥିପାଇଁ ସେ ବ୍ୟାଙ୍କ୍‌ ଲୋନ୍‌ ଏଜେଣ୍ଟ କାମ କରୁଥିବା ବିଭୂତି ସହିତ ଯୋଗାଯୋଗ କରିଥିଲେ। ସାଇରାଙ୍କ ସରଳତା ଦେଖି ବିଭୂତି ତାଙ୍କୁ ଠକିବା ଯୋଜନା କରିଥିଲା। ତେଣୁ ସେ ଆଶୁତୋଷର ସହଯୋଗ ନେଇଥିଲା।

ଆଶୁତୋଷ ଜଣେ ବ୍ୟାଙ୍କ ଅଫିସର୍‌ ବୋଲି ପରିଚୟ ଦେଇ ବିଭୂତି, ସାଇରାଙ୍କୁ ଭେଟ କରାଇଥିଲା। ଆଶୁତୋଷ ଜଣେ ଭଲ ଅଫିସର୍‌ ଏବଂ ସେ ବହୁ ଲୋକଙ୍କୁ ଋଣ କରାଇବାରେ ସହଯୋଗ କରିଛନ୍ତି ବୋଲି ବିଭୂତି ବୁଝାଇଥିଲା। ସାଇରା ସେମାନଙ୍କୁ ବିଶ୍ବାସ କରି ପ୍ଲଟ୍‌ର ରେକର୍ଡପତ୍ର ଦେଇଥିଲେ ଏବଂ ଖୁବ୍‌ ଶୀଘ୍ର ଋଣ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜମିର ରେକର୍ଡ ପାଇବା ପରେ ବିଭୂତି ଓ ଆଶୁତୋଷ ଏକ ନକଲି କମ୍ପାନି ନାଁରେ ୯୦ ଲକ୍ଷ ଟଙ୍କା ଋଣ କରିଦେଇଥିଲେ। କିନ୍ତୁ ସାଇରାଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଘଟଣା ଦିନ ବ୍ୟାଙ୍କରେ ସାଇରା ଦସ୍ତଖତ କଲାବେଳେ ତାଙ୍କର ସନ୍ଦେହ ହୋଇଥିଲା। କିନ୍ତୁ ଧୂର୍ତ୍ତଦ୍ବୟ ତାଙ୍କୁ ବିଭିନ୍ନ ବାହାନା କରି ଭୁଲାଇ ଦେଇଥିଲେ। କିଛି ଦିନ ପରେ ସାଇରା ଓ ତାଙ୍କ ସ୍ବାମୀ ବ୍ୟାଙ୍କକୁ ଯାଇ ବୁଝିବା ବେଳକୁ ଅସଲ କଥା ଜଣାପଡ଼ିଥିଲା। ତାଙ୍କ ପ୍ଲଟ୍‌ ଉପରେ ଏକ କମ୍ପାନି ୯୦ ଲକ୍ଷ ଟଙ୍କା ଋଣ କରିଛି ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ବ୍ୟାଙ୍କ ଦସ୍ତାବିଜରେ ଦସ୍ତଖତ କରି ସେ ‘ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌’ ଦେଇଛନ୍ତି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସାଇରାଙ୍କୁ କହିଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଇରା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button