ରାଜ୍ୟ

କଳିଙ୍ଗ ଷ୍ଟୁଡିଓ ସମ୍ମୁଖ ଡ୍ରେନ୍‌ ସମସ୍ୟା: ୩ ବର୍ଷ ବିତିଲା, ସରିଲାନି କାମ

ଖଣ୍ଡଗିରି: କଳିଙ୍ଗ ଷ୍ଟୁଡିଓ ଛକ ନିକଟସ୍ଥ ରାଷ୍ଟ୍ରୀୟ ଆୟୁର୍ବେଦ ଔଷଧ ବିକାଶ ଗବେଷଣା ପ୍ରତିଷ୍ଠାନ ସମ୍ମୁଖସ୍ଥ ରାସ୍ତାରେ ଡ୍ରେନ ପାଣି ଭାସିବା ସମସ୍ୟାର ୪ ବର୍ଷ ପରେ ମଧ୍ୟ ସମାଧାନ ହୋଇପାରିଲା ନାହିଁ। ବର୍ଷ ବର୍ଷ ଧରି ନାଳ ପାଣି ସେଠାରେ ଜମି ରହି ପୂତିଗନ୍ଧମୟ ପରିସ୍ଥିତ ସୃଷ୍ଟି କରୁଛି ସିନା କୌଣସି ସମାଧାନ ହୋଇପାରି ନାହିଁ। ଅତୀତରେ ଏ ନେଇ ଆନ୍ଦୋଳନ ହେଲା। ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ସ୍ଥିତି ଅନୁଧ୍ୟାନ କଲେ। ପୂର୍ତ୍ତ ବିଭାଗ ଅଧିକାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟା ସୁଧାରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଟେଣ୍ଡର ହୋଇ କାମ ଆରମ୍ଭ ବି ହେଲା। ହେଲେ ଏତେ ସବୁ ପରେ ମଧ୍ୟ କାମ ସରୁନି କି ସ୍ଥିତି ସୁଧୁରିନି।

୩ ବର୍ଷ ତଳେ ଦୀର୍ଘ ଦିନ ହେବ ମଇଳା ପାଣି ଲହଡ଼ି ଭାଙ୍ଗିବା ପରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ। ଯେତେ ଅଭିଯୋଗ କଲେ ମଧ୍ୟ ବିଏମ୍‌ସି କି ପୂର୍ତ୍ତ ବିଭାଗ କେହି କର୍ଣ୍ଣପାତ କରୁ ନଥିଲେ। ସ୍ଥାନୀୟ ଲୋକ ଅଭିଯୋଗ କରି ଆନ୍ଦୋଳନ କଲେ। ଶାସକ ଦଳର ଦୁଇ ବିଧାୟକ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେତେବେଳେ ସେମାନଙ୍କ ସହ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଘଟଣାର ତଦାରଖ କଲେ। ଫଳରେ ପରେ ପୂର୍ତ୍ତ ବିଭାଗ ଦ୍ବାରା ନୂଆ ଡ୍ରେନ୍‌ ତିଆରି ହେବାର ଆଶ୍ୱାସନା ଦିଆଯାଇଥିଲା। ଏ ନେଇ ୧୧ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ ହେଲା। ସ୍ଥାୟୀ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିଏମ୍‌ସି ଅଳ୍ପ ଦିନ ବ୍ୟବଧାନରେ ଡ୍ରେନ୍‌ ସଫା କରିବାର ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କେଇଟା ଦିନ ପରେ ଏ ‌ସବୁ ଆଉ କିଛି ହେଲାନି। ୩ ବର୍ଷ ବିତିଲାଣି ହେଲେ କାମ ସରୁନି। ଫଳରେ ଗତ ୩ ମାସ ହେଲା ପୁଣି ଡ୍ରେନ୍‌ ପାଣି ରାସ୍ତାରେ ଭାସୁଛି।

ମିଳିଥିବା ସୂଚନା ଅନୁସାରେ, ଭରତପୁର ବସ୍ତି ସମେତ ଲକ୍ଷ୍ମୀବିହାର, ଜୟଦୁର୍ଗାନଗର ଓ ଏହାର ଆଖପାଖ ଅଞ୍ଚଳରୁ ଆସୁଥିବା ମଇଳା ପାଣିରେ କଠିନ ବର୍ଜ୍ୟବସ୍ତୁ ଯେପରିକି ଜରି, ବୋତଲ, କାଚ ଓ ପ୍ଲାଷ୍ଟିକ୍ ସାମଗ୍ରୀ, ବିଭିନ୍ନ ଖାଦ୍ୟ ସାମଗ୍ରୀ ମିଶ୍ରିତ ଭାବେ ଆସୁଛି। ପୂର୍ତ୍ତ ବିଭାଗର ଡ୍ରେନ୍‌କୁ ସଂଯୋଗ କରୁଥିବା ଗଳି ରାସ୍ତା ପାର୍ଶ୍ବର ଏହି ଡ୍ରେନ୍‌ରେ ମଝିରେ ଏକ ଜାଲି ଦିଆଯାଇଛି। ଯାହା ମଇଳା ପାଣିରୁ କଠିନ ବର୍ଜ୍ୟବସ୍ତୁକୁ ପୃଥକ କରୁଛି। ତେବେ ଏହି କଠିନ ବର୍ଜ୍ୟବସ୍ତୁକୁ ନିୟମିତ ବ୍ୟବଧାନରେ ସଫା କରାଯିବା କଥା। ବିଏମ୍‌ସି ପକ୍ଷରୁ ସଫେଇ ପାଇଁ ଠିକା ଦିଆଯାଇଥିବା ସଂସ୍ଥା ଏହି କାମ କରୁନାହିଁ। ନିୟମିତ ବ୍ୟବଧାନରେ ଏହି କାମ ହେଉ ନ ଥିବାରୁ ଜାଲି ନିକଟରେ ଅଳିଆ ଲାଗି ଜାମ୍‌ ହୋଇ ରହୁଛି। ଅନ୍ୟପଟେ ଡ୍ରେନ୍ ବଡ଼ କରିବା କାମ ସରୁ ନଥିବାରୁ ସ୍ଥିତି ଆହୁରି ଖରାପ ହୋଇଯାଉଛି। ଏଥିପାଇଁ କେବଳ ସ୍ଥାନୀୟ ଲୋକ ନୁହେଁ ଜାତୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ମଧ୍ୟ ପ୍ରଭାବିତ ହୋଇଛି। ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଦ୍ବାର ପାର୍ଶ୍ବରେ ଥିବା ଅନ୍ୟ ଦୁଇଟି ଗେଟ୍‌କୁ ନାଳ ପାଣି ମାସ ମାସ ଧରି ଅବରୋଧ କରୁଛି। ଯେଉଁଥିପାଇଁ ଏହି ଗେଟ୍‌କୁ ଆଉ ପ୍ରତିଷ୍ଠାନ ପକ୍ଷରୁ ଖୋଲାଯାଉ ନାହିଁ କି ଲୋକେ ଆଉ ସେପଟେ ଯାତାୟତ ମଧ୍ୟ କରୁନାହାନ୍ତି।

ଏ ନେଇ ଅଞ୍ଚଳବାସୀ ଏବେ ଚିନ୍ତାରେ। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଡ୍ରେନ୍‌ ଗନ୍ଧ କେବେ ମଧ୍ୟ ବନ୍ଦ ହେଉନି। ଯେଉଁ ଡ୍ରେନ୍‌ରୁ ମଇଳା ବାହାରୁଛି, ତାକୁ ମଧ୍ୟ ବିଏମ୍‌ସି ସଫା କରୁନି। ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ତତ୍ପରତା ପ୍ରକାଶ ପାଉନି। ପୂର୍ତ୍ତ ବିଭାଗ ଦ୍ବାରା ସର୍ଭେ କରାଯାଇ ସମ୍ପୂର୍ଣ୍ଣ ଡ୍ରେନ୍‌ ପାଇଁ ବ୍ୟୟ ଅଟକଳ ହୋଇ କାମ ଆରମ୍ଭ ହେଇଛି ହେଲେ କାମ ସରୁନି।

Related Articles

Leave a Reply

Your email address will not be published. Required fields are marked *

Back to top button