ବ୍ରାଏନ ଆଡାମ୍ସଙ୍କ ମୁମ୍ବାଇ କନସର୍ଟରେ ପଇସା ଦେଇ ପ୍ୟାଣ୍ଟରେ ପରିସ୍ରା କଲେ ଦର୍ଶକ, ଚିଠି ଲେଖି ବଖାଣିଲେ ନିଜର ଦୁଃଖ

ଡିସେମ୍ବର ୧୩ ତାରିଖ ରାତିରେ ପୂରା ମୁମ୍ବାଇ ବ୍ରାଏନ ଆଡାମ୍ସଙ୍କ ଲାଇଭ୍ ପରଫର୍ମାନ୍ସରେ ଝୁମି ଉଠିଥିଲା । କାନାଡାର ରକ୍ ଲିଜେଣ୍ଡ ବ୍ରାଏନ୍ ନିଜର ‘ସୋ ହାପି ଇଟ୍ ହଟ୍ସ’ ବିଶ୍ୱ ଭ୍ରମଣର ଏକ ଅଂଶ ଭାବରେ ଗତ ଶୁକ୍ରବାର ମୁମ୍ବାଇରେ ପରଫର୍ମାନ୍ସ କରିଥିଲେ । ଏଠାରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । କିନ୍ତୁ ମଧୁମେହରେ ପୀଡ଼ିତ ଜଣେ ଦର୍ଶକ ବହୁ ଅସୁବିଧାର ସାମ୍ନା କରିଥିଲେ ।
ମ୍ୟାନେଜମେଣ୍ଟ ତରଫରୁ ବାଥରୁମ୍ ସୁବିଧା ନ ଥିବାରୁ ଏହି ବ୍ୟକ୍ତିଙ୍କୁ କଷ୍ଟ ସହିବାକୁ ପଡ଼ିଥିଲା । ଏବେ ସେ ଏକ ଖୋଲା ଚିଠି ଲେଖି ନିଜର ଯନ୍ତ୍ରଣା ବଖାଣିଛନ୍ତି । ଏଥିରେ ସେ ଆୟୋଜକ ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲଙ୍କୁ ଟ୍ୟାଗ୍ କରି ପ୍ରୋଗ୍ରାମରେ ଅବ୍ୟବସ୍ଥା ସମ୍ପର୍କରେ କହିଛନ୍ତି ।
ଶେଲଡନ୍ ଅରଞ୍ଜେ ନାମକ ଏହି ବ୍ୟକ୍ତି ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରରେ କାମ କରନ୍ତି । ତାଙ୍କୁ ଡାଇବେଟିସ୍ । ସେ ଗତ ଶୁକ୍ରବାର ବ୍ରାଏନ ଆଡାମ୍ସଙ୍କ ଲାଇଭ୍ ପ୍ରଦର୍ଶନ ଦେଖିବା ପାଇଁ ବମ୍ବେ କନଭେନସନ୍ ଏବଂ ପ୍ରଦର୍ଶନୀ ସେଣ୍ଟର ଯାଇଥିଲେ । ହେଲେ ସେଠାରେ ହଜାର ହଜାର ଲୋକଙ୍କ ଭିଡ଼ ଭିତରେ କେବଳ ତିନୋଟି ବାଥରୁମ୍ ଥିଲା । ଶେଲଡନ୍ ପରିସ୍ରା କରିବା ପାଇଁ ପ୍ରତ୍ୟେକ ବାଥରୁମ୍ ପାଖକୁ ଯାଇଥିଲେ, କିନ୍ତୁ ସେଠାରେ ଲମ୍ବା ଲାଇନ ଲାଗିଥିଲା । ଶେଷରେ ବାଥରୁମ୍ ନ ମିଳିବାରୁ ସେ ନିଜ ପ୍ୟାଣ୍ଟରେ ହିଁ ପରିସ୍ରା କରିଥିଲେ ।
ଶେଲଡନ୍ ସୋସିଆଲ୍ ମିଡିଆରେ ପ୍ରମାଣ ସ୍ୱରୂପ ମଇଳା ପ୍ୟାଣ୍ଟର ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ଏଥିପାଇଁ ସେ ଲଜ୍ଜିତ ନୁହନ୍ତି, କାରଣ ସେ ଜଣେ ମଧୁମେହ ରୋଗୀ ଏବଂ ପରିସ୍ରା ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ ।
ଶେଲଡନ୍ ଲିଙ୍କଡଇନରେ ପୋଷ୍ଟ କରି କହିଛନ୍ତି ଯେ ମୁଁ ବ୍ରାଏନ୍ ଆଡାମ୍ସଙ୍କ କନସର୍ଟରେ ପଇସା ଦେଇ ପରିସ୍ରା କଲି (ନିଜ ପ୍ୟାଣ୍ଟରେ) । ଆଶ୍ଚର୍ଯ୍ୟ ହୋଇଗଲେ ନା ? ଆପଣ ଆଶ୍ଚର୍ଯ୍ୟ ହେବା ଉଚିତ୍ । ସେ ଆହୁରି ଲେଖିଛନ୍ତି ଯେ ବ୍ରାଏନ୍ ଆଡାମ୍ସଙ୍କ କନସର୍ଟ ବହୁତ ଭଲ ଥିଲା । ସେ ସନ୍ଧ୍ୟାକୁ ବଞ୍ଚାଇବାରେ ସଫଳ ହୋଇଥିଲେ, ଅନ୍ୟଥା ଏହା ଏକ ଭୁଲିଯିବା ଭଳି ସନ୍ଧ୍ୟା ହୋଇଥାନ୍ତା । ଏହା ନିନ୍ଦନୀୟ ପୋଷ୍ଟ ନୁହେଁ । ଏହା ସାହାଯ୍ୟ ପାଇଁ ଏକ ନିବେଦନ ।
ଶେଲଡନ୍ ଅନ୍ତର୍ଜାତୀୟ କଳାକାରମାନଙ୍କୁ ଆଣିବା ପୂର୍ବରୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମ୍ୟାନେଜମେଣ୍ଟକୁ ଅନୁରୋଧ କରିଛନ୍ତି । କହି ରଖୁଛୁ ଯେ ବ୍ରାଏନ୍ ଆଡାମ୍ସ ଡିସେମ୍ବର ୮ରେ କୋଲକାତାରୁ ଭାରତର ୬ଟି ସହରକୁ ନିଜର ଯାତ୍ରା ଆରମ୍ଭ କରିଥିଲେ ।




