ଜମ୍ମୁ କଶ୍ମୀର : ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ୬ ମୃତ, ୪ ଗୁରୁତର

ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲା ଶିବାନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଜଣଙ୍କ ଘରେ ନିଆଁ ଲାଗିବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ସଧ୍ୟରେ ମହିଳା, ଶିଶୁ ଥିବା ବେଳେ ସେମାନେ ଏକ ପରିବାରର ସଦସ୍ୟ ବୋଲି ଜଣାଯାଇଛି । ତେବେ ସମସ୍ତଙ୍କ ଜୀବନ ଶ୍ବାସରୁଦ୍ଧ ହୋଇ ଚାଲିଯାଇଛି ।
ଶିବାନଗରରେ ଭଡ଼ାରେ ରହୁଥିବା ଅବସରପ୍ରାପ୍ତ ଡିଏସପିଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ଗତ ରାତିରେ ପରିବାରର ପ୍ରାୟ ୧୦ ସଦସ୍ୟ ଖାଇବା ସାରି ଶୋଇଥିଲେ । ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିବାରୁ ସେମାନେ ଉଠି ପଡ଼ିଥିଲେ । ମାତ୍ର ଚାରିଆଡ଼େ ଧୂଆଁମୟ ହୋଇ ଯାଇଥିବାରୁ ଅଣନିଶ୍ୱାସୀ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ଏହାପରେ ସେମାନେ ଭିତରେ ପଶି ଅଚେତ ହୋଇ ପଡ଼ିଥିବା ୪ ଜଣଙ୍କୁ ଉଦ୍ଧାର କରି ତୁରନ୍ତ କାଠୁଆ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ମୃତକଙ୍କ ଭିତରେ ୨ ଜଣ ପିଲା ରହିଛନ୍ତି ।