ଖେଳ

ଚମତ୍କାର ୨୪: ରେକର୍ଡକୁ ବଳିଲା, ରାଜନୀତି

ଚବିଶର କ୍ରୀଡ଼ା ଦୃଶ୍ୟପଟ୍ଟରେ ଯେତିକି ନୂଆ ରେକର୍ଡ ଓ ମାଇଲ୍‌ଖୁଣ୍ଟ ଯୋଡ଼ି ‌ହୋଇଥିଲା ସେତିକି ବିବାଦ, ବିତର୍କ ଭରି ରହିଥିଲା। ଅନେକ କ୍ରୀଡ଼ା ତାରକା ନିଜ ପ୍ରଦର୍ଶନ ପରିବର୍ତ୍ତେ କାରନାମା ପାଇଁ ଖେଳ ପଡ଼ିଆର ଖଳନାୟକ ପାଲଟିଥିଲେ। ସେମାନଙ୍କ ଆଚରଣ ଓ କାର୍ଯ୍ୟ ବିତର୍କିତ ଅଧ୍ୟାୟ ଭାବେ କ୍ରୀଡ଼ା ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ଅନ୍ତର୍ଜାତୀୟ ସ୍ତରରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବଠାରୁ ଜାତୀୟରେ ବଜରଙ୍ଗ ପୁନିଆ ବାସନ୍ଦ ହେବା, ପୁଣି ରାଜ୍ୟ ଜିମ୍ନାଷ୍ଟିକ୍ସ‌ରେ ଅଭିଯୋଗ ଓ ପାଲଟା ଅଭିଯୋଗର ଫର୍ଦ୍ଦ କ୍ରୀଡ଼ା ଜଗତର ବିବାଦୀୟ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇଥିଲା। ଅଲିମ୍ପିକ୍ସ ବିଶ୍ବଏକତାର ବାର୍ତ୍ତା ନେଇ ଆସିଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ, ଅର୍ନ୍ତଦ୍ବନ୍ଦ୍ବ, ଦୁର୍ନୀତି ଆଦିରୁ ବର୍ତ୍ତି ପାରିନଥିଲା ପଡ଼ିଆ ଭିତର ଓ ବାହାରର ଖେଳ ଜଗତ।

ବଜରଙ୍ଗ ବାସନ୍ଦ, ଭିନେଶ ଅଯୋଗ୍ୟ

‘ନାଡା’ର ଡୋପିଂ ନିୟମ ଉଲ୍ଲଂଘନ କରି ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ୪ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ନିୟମ ଅନୁସାରେ ନମୁନା ପ୍ରଦାନ କରି ନଥିବାରୁ ବଜରଙ୍ଗଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା ‘ନାଡା’। ସେହିଭଳି ପ୍ୟାରିସ୍ ଅଲିମ୍ପିକ୍ସର ୫୦ କିଲୋଗ୍ରାମ୍ ମହିଳା କୁସ୍ତିର ଫାଇନାଲ୍ ପୂର୍ବରୁ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହୋଇଥିଲେ। ଯାହା ଭାରତୀୟ କ୍ରୀଡ଼ା ଜଗତକୁ ଲଜ୍ଜିତ କରିଥିଲା। ମାତ୍ର ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଭିନେଶ ଦେଶପାଇଁ ଏକ ନିଶ୍ଚିତ ଅଲିମ୍ପିକ୍ସ ପଦକ ଜିତିବାରୁ ବଞ୍ଚିତ ହେବା ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରିଥିଲା। ସେହିଭଳି ନିଜ ଭଉଣୀକୁ ବେଆଇନ ଭାବେ ଅଲିମ୍ପିକ୍ସ କ୍ରୀଡ଼ାଗ୍ରାମରେ ପ୍ରବେଶ କରାଇବାର ଚେଷ୍ଟା କରି ଭାରତୀୟ ମୁଷ୍ଟିଯୋଦ୍ଧା ଅନ୍ତିମ ପଙ୍ଘଲ ହରଡ଼ଘଣାରେ ପଡ଼ିଥିଲେ। ଏହି କାରଣରୁ ତାଙ୍କୁ ଭାରତୀୟ ଅଲିମ୍ପିକ୍ସ ସଂଘ ପ୍ୟାରିସ୍ ଅଲିମ୍ପିକ୍ସରୁ ପ୍ରତ୍ୟାହାର କରି ନେଇଥିଲା।

‘ଦି ଲାଷ୍ଟ୍‌ ସୁପର୍‌’ ଚିତ୍ର ଓ ସମଲିଙ୍ଗୀ ମଡେଲ୍‌
ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଉଦ୍‌ଘାଟନୀ ଉତ୍ସବ ପ୍ରଥମ ଥର ପାଇଁ ସିନ୍ ନଈ ଗର୍ଭରେ ଆୟୋଜିତ ହୋଇଥିଲା। ଏହାର ଗ୍ଲାମରସ୍ ଉଦ୍‌ଘାଟନୀ ଉତ୍ସବ ବି କ୍ରୀଡ଼ାପ୍ରେମୀଙ୍କ ମନ ଛୁଇଁ ନେଇଥିଲା। ହେଲେ ଏକ ପ୍ରଜ୍ଞାପନ ମେଢ଼ରେ ମହାନ ଚିତ୍ରକର ଲିଓନାର୍ଦୋ ଦା ଭିନ୍ସିଙ୍କ ପ୍ରସିଦ୍ଧ ‘ଦି ଲାଷ୍ଟ୍‌ ସୁପର‌୍’ର ବିଷୟବସ୍ତୁକୁ ନାଟକ ଆକାରରେ ସମଲିଙ୍ଗୀ ଓ ଟ୍ରାନ୍ସଜେଣ୍ଡର ମଡେଲ୍‌ମାନେ ପରିବେଷଣ କରିବା ନେଇ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ଏଭଳି କରି ଆୟୋଜକମାନେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଭାବନାରେ ଆଘାତ ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ସାରା ବିଶ୍ବରୁ ଏଥିନେଇ ପ୍ରତିବାଦର ସ୍ବର ଶୁଣା ଯାଇଥିଲା। ଆୟୋଜକ ଏଥିନେଇ ଭୁଲ୍ ମାଗିବା ପରେ ଯାଇ ମାମଲା ଶାନ୍ତ ପଡ଼ିଥିଲା। ଏହାକୁ ନେଇ କିନ୍ତୁ ଢେର ରାଜନୀତି ହୋଇଥିଲା।

ବାଲାନ ଡି’ଓରକୁ ବର୍ଜନ

ଫୁଟ୍‌ବଲ୍‌ ଜଗତର ଅନ୍ୟତମ ଚର୍ଚ୍ଚିତ ତଥା ସମ୍ମାନାସ୍ପଦ ପୁରସ୍କାର ବାଲାନ ଡି’ଓର୍ ପୁରସ୍କାର ମଧ୍ୟ ବିବାଦ ଘେରକୁ ଆସିଥିଲା। ସ୍ପେନ୍‌ର ଲୋକପ୍ରିୟ କ୍ଲବ୍ ଚଳିତ ବର୍ଷର ପୁରସ୍କାର ଚୟନ ପ୍ରକ୍ରିୟା ନେଇ ସନ୍ଦେହ ପ୍ରକାଶ କରିଥିଲା। ଏପରିକି ଏହି କାରଣରୁ କ୍ଲବ୍ ମଧ୍ୟ ବାଲାନ ଡି’ଓର୍ ପୁରସ୍କାର ବିତରଣ ଉତ୍ସବକୁ ବର୍ଜନ କରିଥିଲା। ପ୍ରକୃତ କଥା ହେଲା ଚଳିତବର୍ଷର ବାଲାନ ଡି’ଓର୍ ପୁରସ୍କାର୍ ଦୌଡ଼ରେ ଏହି କ୍ଲବ୍‌ର ଖେଳାଳି ଭିନସିଅସ୍ ଜୁନିଅର୍ ଆଗୁଆ ଥିଲେ। ହେଲେ ‌ଶେଷରେ ରୋଡ୍ରି ଭାବେ ପରିଚିତ ମାଞ୍ଚେଷ୍ଟର୍ ସିଟିର ସ୍ପେନୀୟ ତାରକା ରୋଡ୍ରିଗୋ ହର୍ଣ୍ଣାଣ୍ଡେଜ୍ କାସକାଣ୍ଟେ ବିଜେତା ଘୋଷିତ ହୋଇଥିଲେ। ଯାହା ବହୁ ଫୁଟ୍‌ବଲ୍‌ପ୍ରେମୀଙ୍କୁ ମଧ୍ୟ ବିସ୍ମିତ କରିଥିଲା। ଦେଢ଼ ଦଶନ୍ଧି ପରେ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ବିଶ୍ବ ଫୁଟ୍‌ବଲ୍‌ର ଦୁଇ ମହାନ ତାରକା ଲିଓନେଲ୍ ମେସି ଓ କ୍ରିଷ୍ଟିଆନୋ ରୋନାଲ୍‌ଡୋ ସାମିଲ ନଥିଲେ।

ଲୁନା ବିତାଡ଼ିତ, ଟମଙ୍କଠୁ କୋକେନ୍ ଜବତ

ଅଷ୍ଟ୍ରେଲୀୟ ହକି ତାରକା ଟମ୍ କ୍ରେଗ୍‌ଙ୍କଠାରୁ ‌କୋକେନ୍ ଜବତ ହେବା, ପାରାଗୁଏ ସନ୍ତରଣ ତାରକା ଲୁନା ଆଲନ୍‌ସୋ ଅଲିମ୍ପିକ୍ସ କ୍ରୀଡ଼ାଗ୍ରାମରୁ ବିତାଡ଼ିତ ହେବା, ଆମେରିକୀୟ ଜିମ୍ନାଷ୍ଟ ଜୋର୍ଡାନ୍ ଚିଲ୍‌ସ ଦଣ୍ଡିତ ହେବା, ଓଡ଼ିଆ ତାରକା ଅମିତ ରୋହିଦାସ ପ୍ୟାରିସ୍ ଅଲିମ୍ପିକ୍ସର ସେମିଫାଇନାଲ୍‌ରୁ ବାଦ ପଡ଼ିବା, କୁସ୍ତି ସଂଘ ନିର୍ବାଚନକୁ ନେଇ ରାଜନୀତି, ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତିରୁ ଅବସର ନେଇ ଭିନେଶ ଫୋଗଟ ହଠାତ୍ ରାଜନୀତି ମଇଦାନରେ ଲମ୍ଫ ମାରିବା ଭଳି ଘଟଣା ବି ୨୦୨୪ର କ୍ରୀଡ଼ା କ୍ୟାଲେଣ୍ଡର୍‌କୁ ଦୋହଲାଇ ଦେଇଥିଲା।

ରାଜ୍ୟ କ୍ରୀଡ଼ାରେ ପାତରଅନ୍ତର
ରାଜ୍ୟ ଜିମ୍ନା‌ଷ୍ଟିକ୍ସରେ ବାହାର ଖେଳାଳିଙ୍କୁ ସାମିଲ କରିବା ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଥିଲା। ସେହିଭଳି କ୍ରିକେଟ୍ ଦଳରୁ ବାଦ୍ ପଡ଼ି ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଭିଷେକ ରାଉତଙ୍କ ଭଳି ଖେଳାଳି ଓଡ଼ିଶା କ୍ରିକେଟ୍ ସଂଘ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ପୁଣି କ୍ଲବ୍ କ୍ରିକେଟ୍‌ରେ ଦଳ ଚୟନକୁ ନେଇ ଜଣେ ମହିଳା ଅଭିଭାବକ କଟକର ସନ୍‌ସାଇନ୍‌ ପଡ଼ିଆରେ ଧାରଣା ଦେବା ଭଳି ଘଟଣା ରାଜ୍ୟ କ୍ରୀଡ଼ାରେ ଆଲୋଡ଼ନ ସୃଷ୍ଟି କରିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button