ରାଜ୍ୟ

ଦୁଇ ଭାଗ ହେଲା ଚଉଷଠି ଯୋଗିନୀ ମହୋତ୍ସବ: ୨୩ରୁ ୨୫ ଉତ୍କଳ ମଣ୍ଡପ

ଭୁବନେଶ୍ବର/ବାଲିଅନ୍ତା: ଏଥର ଦୁଇଟି ଜାଗାରେ ହେବ ଚଉଷଠି ଯୋଗିନୀ ମହୋତ୍ସବ। ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆସନ୍ତା ଡିସେମ୍ବର ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ୩ ଦିନ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୃତ୍ୟ ପ୍ରତିଭା ଅନୁଷ୍ଠାନ ଘୋଷଣା କରିଥିବା ବେଳେ ୨୫ରୁ ୨୮ ତାରିଖ ଯାଏ ୪ ଦିନ ଧରି ହୀରାପୁର ଗ୍ରାମ୍ୟ କମିଟି ଓ ଟ୍ରଷ୍ଟ ପ୍ରଥମ କରି ଚଉଷଠି ଯୋଗିନୀ ପୀଠରେ ଆୟୋଜନ କରିବ। ୧୭ବର୍ଷ ଧରି ଏହି ମହୋତ୍ସବକୁ ପୀଠରେ ଆୟୋଜନ କରିଆସୁଥିବା ଓଡ଼ିଶୀ ନୃତ୍ୟ ପ୍ରତିଭା ଅନୁଷ୍ଠାନକୁ ଗ୍ରାମ୍ୟ କମିଟି ଓ ଟ୍ରଷ୍ଟ ବିରୋଧ କରିବାରୁ ଏଭଳି ପରିସ୍ଥିତି ଉପୁଜିଛି।

୨୩ରୁ ୨୫ ଉତ୍କଳ ମଣ୍ଡପ
୨୫ରୁ ୨୮ ହୀରାପୁର ପୀଠ
ଆର ବର୍ଷରୁ ଦେଶର ସବୁ ଯୋଗିନୀ ପୀଠରେ ହେବ

ଓଡ଼ିଶୀ ନୃତ୍ୟ ପ୍ରତିଭା ଅନୁଷ୍ଠାନ ସମ୍ପାଦିକା ଗୁରୁ ପ୍ରତିଭା ପଣ୍ଡା, ସଭାପତି ରଜନୀ ରଞ୍ଜନ ଓ ଉପସଭାପତି ବଙ୍କିମ ନାୟକଙ୍କ ଅଭିଯୋଗ ହେଉଛି, ପୂର୍ବବର୍ଷ ଭଳି ପୀଠରେ ଏହି ମହୋତ୍ସବ କରିବାକୁ ଗ୍ରାମ୍ୟ କମିଟି ଓ ଟ୍ରଷ୍ଟ ସ୍ବୀକୃତି ପ୍ରଦାନ କରିଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ମନା କରିଦେଇଥିଲେ। ଅନୁଷ୍ଠାନ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ୧୭ ବର୍ଷ ଧରି ଶୃଙ୍ଖଳିତ ଆୟୋଜନ ହେଉଥିଲା। ଏବେ କିଛି ଭିତ୍ତିହୀନ ଅଭିଯୋଗ ଅଣାଯାଇଛି। ଏନେଇ ଟ୍ରଷ୍ଟ ବୋର୍ଡ ତଥା ମହୋତ୍ସବ କମିଟି ପ୍ରମୁଖ ସଦସ୍ୟ ରବୀନ୍ଦ୍ରନାଥ ନାୟକଙ୍କ କହିବା କଥା ପୂର୍ବରୁ ଏହି ମହୋତ୍ସବ ଆୟୋଜନ କରୁଥିବା ନୃତ୍ୟ ପ୍ରତିଭା ଅନୁଷ୍ଠାନ ଗ୍ରାମବାସୀଙ୍କୁ ଉପେକ୍ଷା କରୁଥିଲା। ଅନୁଷ୍ଠାନର ଆୟୋଜନ ପ୍ରଣାଳୀ ତଥା କାର୍ଯ୍ୟ ଶୈଳୀ ସନ୍ତୋଷଜନକ ନଥିଲା। ମହୋତ୍ସବ ବାବଦ ଖର୍ଚ୍ଚର ହିସାବକୁ ନେଇ କମିଟି ଅସନ୍ତୁଷ୍ଟ ଥିଲା। ଏ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ତେଣୁ ଏବର୍ଷ ପ୍ରଥମ କରି ଗ୍ରାମ୍ୟ କମିଟି ଓ ଟ୍ରଷ୍ଟ ପକ୍ଷରୁ ଏହି ମହୋତ୍ସବ କରାଯିବ ବୋଲି ସ୍ଥିର ହୋଇଛି।

ସୂଚନାଯୋଗ୍ୟ, ଆସନ୍ତା ବର୍ଷରୁ ଏହି ମହୋତ୍ସବ ଓଡ଼ିଶୀ ନୃତ୍ୟ ପ୍ରତିଭା ଅନୁଷ୍ଠାନ ସମଗ୍ର ଭାରତବର୍ଷରେ ଥିବା ଯୋଗିନୀ ପୀଠରେ ଆୟୋଜନ କରିବ। ଚଳିତବର୍ଷ ୩ ଦିନ ଧରି ଉତ୍କଳ ମଣ୍ଡପରେ ଓଡ଼ିଶୀ, ପଶୁମୁଖା, ଛଉ, ବଣ୍ଡା, ସମ୍ବଲପୁରୀ, ଭାରତନାଟ୍ୟମ୍ ନୃତ୍ୟ ସହ କଣ୍ଠସଙ୍ଗୀତ, ତାଳବାଦ୍ୟ, ପ୍ରହଲ୍ଲାଦ ନାଟକ ପରିବେଷିତ ହେବ। ସାହିତ୍ୟ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରେ କବି ଫନୀ ମହାନ୍ତି, ପାର୍ଥସାରଥୀ ପାଣିଗ୍ରାହୀ ଓ ନୃତ୍ୟଗୁରୁ ନିରଞ୍ଜନ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯିବ। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତ୍ରିପୁରା ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ଯୋଗିନୀ ପୀଠ ଓ ତା’ର ରହସ୍ୟମୟ ପରମ୍ପରା ସମ୍ପର୍କିତ ଏକ ପାଠଚକ୍ର ମଧ୍ୟ ଅନୁଷ୍ଠିତ ହେବ।

 

Related Articles

Leave a Reply

Your email address will not be published. Required fields are marked *

Back to top button